Latest Odisha News

BREAKING NEWS

ଲାଲୁଙ୍କ ସହ ସମ୍ପର୍କ ଛିନ୍ନ କରିବା ପୂର୍ବରୁ ଜେଡିୟୁ ବିଧାୟକମାନେ ନୀତୀଶଙ୍କ ସହ ବିଶ୍ୱାସଘାତକତା କରିବେ କି?

ପାଟଣା: ବତ୍ୟା ଯେପରି ସ୍ଥଳଭାଗ ଛୁଇଁବା ପରେ କ’ଣ କରିବ କିଛି ଜଣାନଥାଏ ଠିକ୍ ସେହିପରି ବିହାର ରାଜନୀତି ଏବେ କେଉଁ ମୋଡ ନେବ ତାହା ଆକଳନ କରିବା କଷ୍ଟକର ହୋଇପଡିଛି। ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣିଥରେ ମିଶି ନୀତୀଶ କୁମାର ସରକାର ଗଢିବା ନେଇ କଳ୍ପନାଜଳ୍ପନା ହେଉଛି। ଏହାରି ଭିତରେ ଜେଡିୟୁର କିଛି ବିଧାୟକ ଆରଜେଡି ସହ ସମ୍ପର୍କରେ ଥିବା କୁହାଯାଉଛି।

ଜେଡିୟୁର ୬ରୁ ୭ ଜଣ ବିଧାୟକ ଆରଜେଡି ସହ ଯୋଗାଯୋଗରେ ଅଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଜେଡିୟୁର ଜଣେ ବିଧାୟକଙ୍କ ବାସଭବନରେ ଏକ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା। ଆରଜେଡି ଏହି ବିଧାୟକମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି। ଯଦି ନୀତୀଶ କୁମାର ବିଜେପି ସହ ଯାଆନ୍ତି ତେବେ ଆରଜେଡି ସହ ଜେଡିୟୁର ୬ରୁ ୭ ଜଣ ବିଧାୟକ ଯାଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

ବିହାରର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଆରଜେଡି ବିଧାୟକ ରିତଲାଲ ଯାଦବ କହିଛନ୍ତି, “ଆମ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ପର୍ଯ୍ୟନ୍ତ କେହି ବିଶ୍ୱାସଘାତକତା କରିନାହାଁନ୍ତି କିମ୍ବା ସେ ବିଶ୍ୱାସଘାତକତା କରିପାରିବେ ନାହିଁ। ସରକାରଙ୍କ ସହ ଆମର କ’ଣ ସମ୍ପର୍କ ରହିଛି? ଆମେ ସରକାର ସହ ରହିଲେ ମଧ୍ୟ କାମ କରିବୁ, ନଥିଲେ ମଧ୍ୟ କାମ କରିବୁ।

ସରକାର ଗଢିବାକୁ ସଂଖ୍ୟାର ଗଣିତ

ଆରଜେଡିର ୭୯ ବିଧାୟକ ଅଛନ୍ତି। ଜେଡିୟୁର ୪୫ ବିଧାୟକ ।ବିଜେପି ପାଖରେ ୭୮ ବିଧାୟକ । ସିପିଆଇ(ଏମ୍-ଏଲ୍)(ଏଲ୍)ର ୧୨ ଜଣ ବିଧାୟକ । କଂଗ୍ରେସର ୧୯ ବିଧାୟକ। ହାମ୍ (ଏସ୍)ର ୪ ଜଣ ବିଧାୟକ ଅଛନ୍ତି। ଏଆଇଏମ୍ ଆଇଏମ୍ ର ଜଣେ ବିଧାୟକ ଅଛନ୍ତି। ସିପିଆଇ(ଏମ୍)ର ୨ ବିଧାୟକ ଅଛନ୍ତି। ସିପିଆଇର ୨ ଜଣ ବିଧାୟକ ଅଛନ୍ତି । ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

ବିହାରରେ ସରକାର ଗଠନ ପାଇଁ ଗୋଟିଏ ରାଜନୈତିକ ଦଳକୁ ମୋଟ ୨୪୩ ଆସନ ମଧ୍ୟରୁ ୧୨୨ (ଅଧା) ଆସନ ଦରକାର। ବିହାରରେ ମହାମେଣ୍ଟର ସମୁଦାୟ ୧୫୯ ବିଧାୟକ ଅଛନ୍ତି।

ଯଦି ଜେଡିୟୁ ବିଜେପି ସହ ଯାଏ?

ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ଜେଡିୟୁ ୪୫ ବିଧାୟକଙ୍କୁ ନେଇ ୭୮ ବିଧାୟକ ଥିବା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିପାରେ। ଉଭୟ ଦଳର ମିଳିତ ଭାବେ ୧୨୩ ଜଣ ବିଧାୟକ ରହିବେ, ଯାହା କି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ମାତ୍ର ଗୋଟିଏ ଅଧିକ। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମଧ୍ୟ ଜୁଲାଇ ୨୦୨୩ରେ ଏନଡିଏରେ ଯୋଗ ଦେଇଥିଲା, ଯାହା ୨୦୨୪ରେ ନୀତୀଶ କୁମାରଙ୍କ ପାଇଁ ଏହି କାର୍ଯ୍ୟକୁ ସହଜ କରିଥିଲା।

ଯଦି ଜେଡିୟୁ ମହାମେଣ୍ଚରୁ ଓହରିଯାଏ ତେବେ ଆରଜେଡି ବାମପନ୍ଥୀ ଦଳମାନଙ୍କ ସହ ମେଣ୍ଟ କରି ସରକାର ପାଇଁ ଦାବି କରିବାକୁ ଯୋଜନା କରିପାରେ। ତେବେ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ମେଣ୍ଟକୁ ଆଉ ୮ ଜଣ ବିଧାୟକଙ୍କ ଆବଶ୍ୟକତା ପଡ଼ିବ। ତେଣୁ ଜେଡିୟୁର ଯଦି ୬ରୁ ୭ ବିଧାୟକ ଦଳ ବଦଳ କରିବେ ତାହେଲେ ଆରଜେଡି ସରକାର ଗଠନ କରିବାକୁ ଦାବି କରିପାରେ। କିନ୍ତୁ ଏହି ବିଧାୟକଙ୍କ ବିରୋଧରେ ଦଳ ଅଦଳ ବଦଳ ଆଇନ ଉଲ୍ଲଂଘନ ଅଭିଯୋଗ ଆସିବ।

Leave A Reply

Your email address will not be published.