Latest Odisha News

BREAKING NEWS

ସ୍ବତନ୍ତ୍ର ଅଧିବେଶନରେ ‘ମୋଦୀ ଚାଳିଶା’ ଜପିବାକୁ ଯିବୁ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏଜେଣ୍ଡା ଓ ପ୍ରସ୍ତାବିତ କାର୍ଯ୍ୟସୂଚୀ ପ୍ରକାଶ ନପାଇବାରୁ ମଙ୍ଗଳବାର ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ ଦଳକୁ ଏଜେଣ୍ଡା ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥାଏ ଏବଂ ବିରୋଧୀ ଦଳମାନଙ୍କ ସହ ଏକ ବିସ୍ତୃତ ଏଜେଣ୍ଡା ପ୍ରସ୍ତୁତ କରାଯାଇ ଆଲୋଚନା କରାଯାଇଥାଏ। ସେ କହିଛନ୍ତି ଯେ ଦଳ ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେବ, କିନ୍ତୁ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହେବା ଉଚିତ।

ଆମେ ପ୍ରଥମ ଥର ପାଇଁ ଦେଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସହଯୋଗୀମାନେ ଇଣ୍ଡିଆ ବୈଠକରୁ ଧ୍ୟାନ ହଟାଇବା ପାଇଁ 5 ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଆଜି କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ଯେ ଆମେ ଏହି ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେବୁ, କିନ୍ତୁ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହେବା ଉଚିତ ବୋଲି ଜୟରାମ ରମେଶ ଗଣମାଧ୍ୟମକୁ କହିଛନ୍ତି।

କେବଳ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହି ଅଧିବେଶନ ଡାକରା ଦିଆଯାଇଛି। ଆମେ ଚାହୁଁଛୁ ସ୍ୱତନ୍ତ୍ର ଅଧିବେଶନରେ ଆର୍ଥିକ, ରାଜନୈତିକ ପ୍ରସଙ୍ଗ ସହିତ ବିଦେଶ ନୀତି ଓ ସୀମା ସମ୍ପର୍କିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେଉ। ଆମେ ‘ମୋଦି ଚାଳିଶା’ ପାଇଁ ବସିବାକୁ ଯାଉନାହୁଁ ବୋଲି ସେ କହିଛନ୍ତି।

କଂଗ୍ରେସ ଆହୁରି କହିଛି ଯେ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ର ନେତାମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଭେଟିବେ ଏବଂ ଗୃହରେ ଆଲୋଚନା ପାଇଁ ରଖିଥିବା ପ୍ରସଙ୍ଗ ଏବଂ ଦାବି ଉପରେ ଆଲୋଚନା କରିବେ। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦୀୟ ଦଳ ବୈଠକ ଡାକିଥିଲେ।

Comments are closed.