Latest Odisha News

ୱାକଫ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟ ସହ ଜଡିତ ଏକ ପ୍ରସଙ୍ଗରେ ସୃଷ୍ଟି ହୋଇଛି ବିବାଦ । ସରଗରମ ହୋଇଛି ରାଜନୀତି । ଆରମ୍ଭ ହୋଇଯାଇଛି କଥା କଟାକଟି । ମୋଦି ସରକାର ମୁସଲିମ ସଂପ୍ରଦାୟ ସହ ଜଡିତ ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ ପାଇଁ ପ୍ରୟାସ କରୁଛନ୍ତି । ଅଧିନିୟମରେ ୪୦ଟି ସଂଶୋଧନ ହେବା ସମ୍ଭାବନା ରହିଛି । ଏ ସଂପର୍କିତ ବିଲ୍ ସଂସଦରେ ଆଗତ କରିପାରନ୍ତି ସରକାର । ଦେଶର ବିଭିନ୍ନ ୱାକଫ ବୋର୍ଡର ପ୍ରାଧାନ୍ୟ ହ୍ରାସ ପାଇଁ ବିଲରେ ବ୍ୟବସ୍ଥା ରହିବ । ଅଧିନିୟମରେ ସଂଶୋଧନ ହେଲେ ଯେକୌଣସି ସଂପତ୍ତିକୁ ନିଜର ବୋଲି ଦାବି କରି କବଜା କରିପାରିବେ ନାହିଁ ୱାକଫ ବୋର୍ଡ । ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ ପାଇଁ ମୁସଲିମ ସଂପ୍ରଦାୟରୁ ମଧ୍ୟ ଦାବି ଉଠିଛି । କିନ୍ତୁ ରକ୍ଷଣଶୀଳ ମୁସଲିମ ସଂଗଠନ ଓ କିଛି ରାଜନୈତିକ ଦଳ ସରକାରଙ୍କ ପ୍ରସ୍ତାବିତ ସଂଶୋଧନକୁ ଜୋରଦାର ବିରୋଧ କରିଛନ୍ତି ।

ୱାକଫ ହେଉଛି ଏକ ପ୍ରକାର ଦାତବ୍ୟ ଓ ଧାର୍ମିକ ସଂପତ୍ତି । ମୁସଲିମ ସମାଜାର କଲ୍ୟାଣ ପାଇଁ ଦାନ କରାଯାଉଥିବା ସଂପତ୍ତି ହିଁ ୱାକଫ । ୱାକଫ ବୋର୍ଡ ମାଲିକାନାରେ ଅନୁଦାନ ସଂପତ୍ତି ରହିଥାଏ । ଯେକୌଣସି ସାବାଳକ ମୁସଲିମ ନିଜର ସଂପତ୍ତି ୱାକଫ ନାଁରେ କରିବା ବ୍ୟବସ୍ଥା ରହିଛି । ୱାକଫ ପାଖରେ ରହିଛି ବିପୁଳ ସଂପତ୍ତି । ଏହି ସଂପତ୍ତିର ହିସାବନିକାଶ ସହ ସୁବିନିଯୋଗ ପାଇଁ ବିଭିନ୍ନ ସ୍ତରରେ ରହିଛି ଏକାଧିକ ସଂସ୍ଥା , ଯାହା କି ୱାକଫ ବୋର୍ଡ ନାମରେ ପରିଚିତ । ଦାନରେ ମିଳିଥିବା ସଂପତ୍ତିକୁ ଗରିବଙ୍କ ସହାୟତା, ମସଜିଦ ଓ କବ୍ରିସ୍ଥାନର ରକ୍ଷଣାବେକ୍ଷଣ ଓ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରେ ୱାକଫ ବୋର୍ଡ । ଦେଶରେ ରହିଛି ମୋଟ ୩୨ ୱାକଫ ବୋର୍ଡ । କିଛି ରାଜ୍ୟରେ ସିହା ଓ ସୁନ୍ନୀ ୱାକଫ ବୋର୍ଡ ମଧ୍ୟ ରହିଛି ।

୧୯୫୪ରେ ତତ୍କାଳୀନ ନେହରୁ ସରକାର ଅମଳରେ ଗୃହୀତ ହୋଇଥିଲା ୱାକଫ ଅଧିନିୟମ । ଏଥିଯୋଗୁଁ ୱାକଫ ସଂପତ୍ତି ଉପରେ କେନ୍ଦ୍ରର ନିୟନ୍ତ୍ରଣ ରହିଲା । ଏହି ଅଧିନିୟମରେ ଏକାଧିକ ସଂଶୋଧନ ହୋଇଛି, ଯାହା କି ୱାକଫ ବୋର୍ଡଗୁଡିକୁ ଅଧିକ କ୍ଷମତାଶାଳୀ କରିଛି ।

ଏବେ ସରକାର ୱାକଫ ବୋର୍ଡର ଅଖଣ୍ଡ କ୍ଷମତା ଉପରେ ଅଂକୁଶ ଲଗାଇବାକୁ ଚାହୁଁଥିବା କୁହାଯାଉଛି । କ୍ଷମତାର ଅପବ୍ୟବହାର ମଧ୍ୟ ୱାକଫ ବୋର୍ଡ ନାଁରେ ଆସିଛି । ଯେକୌଣସି ଜମିକୁ ୱାକଫ ବୋର୍ଡ ନିଜର ବୋଲି ଦାବି କରିବା ଅନେକ ନଜିର ରହିଛି । କିଛି ଘରୋଇ ଜମିକୁ ମଧ୍ୟ ୱାକଫ ବୋର୍ଡ ନିଜର ବୋଲି ଦାବି କରି କବଜା କରିଛି । ଏବେ କେନ୍ଦ୍ର ସରକାର ୱାକଫ ସମ୍ପତ୍ତି ଭେରିଫିକେସନ କରିବାକୁ ଚାହୁଁଛନ୍ତି । ଏଥିସହ ବୋର୍ଡରେ ମହିଳାମାନଙ୍କୁ ବି ସାମିଲ କରିବାକୁ ଚାହୁଁଛନ୍ତି ସରକାର ।
ସରକାରଙ୍କ ସଂଶୋଧନ ପ୍ରସ୍ତାବକୁ ଚିରାଚରିତ ଭାବେ ବିରୋଧ କରାଯାଇଛି । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ସମେତ ଏମଆଇଏମ, ସମାଜବାଦୀ ପାର୍ଟି ଓ ଏନଡିଏର ଅଂଶୀଦାର ଜେଡିୟୁ ମଧ୍ୟ ପ୍ରସ୍ତାବିତ ସଂଶୋଧନକୁ ବିରୋଧ କରିଛନ୍ତି । ମୁସଲିମ ଭୋଟବ୍ୟାଙ୍କ ପାଇଁ ଏହି ବିରୋଧ ବୋଲି କିଛି ବିଶେଷଜ୍ଞ କହିଛନ୍ତି । ବିଜେପିର ମୁସଲିମ ନେତା ମୁକ୍ତାର ଆବାସ୍ ନକଭୀ ୱାକଫ ବୋର୍ଡର ଆଭିମୁଖ୍ୟକୁ ‘ଟଚ୍ ମି ନଟ୍‌’ କହି ତାତ୍ସଲ୍ୟ କରିଛନ୍ତି । ସମୟ ସହ ତାଳ ଦେଇ ଚାଲିବାକୁ ୱାକଫ ବୋର୍ଡଗୁଡିକୁ ପରାମର୍ଶ ଦେଇଛନ୍ତି ନକଭୀ । ଏ ପ୍ରସଙ୍ଗରେ ବାଦାନୁବାଦ ଜାରି ରହିଛି ।

Comments are closed.