Latest Odisha News

ଆସିଛି ଶୀତ, ଆଣିଛି ଅଜସ୍ର ଉନ୍ମାଦନା, ଆନମନା କବି ଓ ଲେଖକ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ଓଡିଶାକୁ ଫେରିଛି ଶୀତ । ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଶୀତର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ, ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବିଷୟ ପାଲଟିଛି । ଶୀତ ସାଙ୍ଗକୁ ଘନ କୁହୁଡି ରେ ମୁହଁ କୁ ମୁହଁ ଦୃଶ୍ୟ ହେଉନି । ସକାଳୁ ସକାଳୁ ସବୁଜ ଘାସ ଉପରେ କାକରର ବିନ୍ଦୁ ଦେଖିବାକୁ ଖୁବ୍ ସୁନ୍ଦର ଲାଗୁଥିବାବେଳେ, ଏହା ମୋତି ର ଭ୍ରମ ସୃଷ୍ଟି କରୁଛି । ଅନ୍ୟପଟେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଏପରି ଶୀତ ଅନୁଭବ ହେଉଥିବାରୁ ଏହାକୁ ମଧ୍ୟ ଲୋକମାନେ ବେଶ ଏଞ୍ଜୟ କରୁଥିବାବେଳେ, ବୟସ୍କ ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ଏହା ସମସ୍ୟା ପାଲଟିଛି । ତେବେ ସେ ଯାହାବି ହେଉ ଶୀତର ମଜା ନେବା ପାଇଁ ସକାଳୁ ସକାଳୁ କିଏ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ତ ଆଉ କିଏ କିଏ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇ ରହୁଛନ୍ତି । ବର୍ତ୍ତମାନ ଏହି ଅସହ୍ୟ ଜାଡ ଯୋଗୁଁ ସକାଳ 6 ଟା ରୁ ଦିନ 10 ଟା ପର୍ଯ୍ୟନ୍ତ ରାଜ୍ୟ ର ଅନେକ ଚା’ ଦୋକାନରେ ଲୋକଙ୍କ ଭିଡ ଜମୁଛି । ଥଣ୍ଡାରେ ଟିକେ ଗରମା ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ ।

ତେବେ ଦୀର୍ଘ ଦିନ ଧରି କଢା ଯାଇନଥିବା ଶୀତ ବସ୍ତ୍ର ଏବେ ସମସ୍ତଙ୍କ ଉପଯୋଗୀ ପାଲଟିଛି । ଆଉ ଏବେ ଶୀତ ବସ୍ତ୍ର କିଣିବା ନେଇ ସ୍ଥାନେ ସ୍ଥାନେ ପଡିଥିବା ଷ୍ଟଲ୍ ଓ ଦୋକାନ ବଜାର ଗୁଡିକରେ ଭିଡ ଜମୁଛି । ଲୋକେ ଆଜିକାଲି ଯେମିତି ଷ୍ଟାଇଲିସ ହୋଇଥିବା ଆଉ ଥଣ୍ଡା ରୁ ମଧ୍ୟ ରକ୍ଷା କରୁଥିବ ସେହିପରି ଶୀତ ବସ୍ତ୍ରକୁ କିଣିବାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ବର୍ତ୍ତମାନ ଏବେ ସେଲଫି ର ଜମାନା ହୋଇଥିବାରୁ ସମସ୍ତଙ୍କ ର ନିଜ ନିଜ ଗୁଡ୍ ଲୁକ୍ କୁ ନେଇ ଚିନ୍ତା ।

ସେହିପରି ଶୀତ ଋତୁରେ ବିଭିନ୍ନ ରକମର ପନି ପରିବା, ଶାଗ ଓ ଶୀତଦିନିଆ ଫଳ ବଜାରରେ ବହୁଳ ପରିମାଣରେ ମିଳିଲାଣି, ଯେପରି ଶୀତଦିନିଆ ବନ୍ଧା କୋବି, ଫୁଲ କୋବି, ମୂଳା, ନାଲି କୋଶଳା, ବିଭିନ୍ନ ରଙ୍ଗର ବ୍ରୋକୋଲି, ଧନିଆଁ ପତ୍ର, ପିଆଜ ଷଣ୍ଢା, ବରକୋଳି, କାଶି କୋଳି ଇତ୍ୟାଦି । ଅବଶ୍ୟ ଏସବୁ ଉନ୍ନତମାନର ଟେକ୍ନୋଲୋଜି ଦ୍ବାରା ସମସ୍ତ ଋତୁରେ ଏବେ ସବୁ ପରିବା ଉପଲବ୍ଧ ହେଉଥିବାବେଳେ, କିନ୍ତୁ ଶୀତ ଦିନରେ ଏହାର ମଜା କିନ୍ତୁ ନିଆରା । ସେହିପରି ଏବେ କୁସୁମ ଫୁଲ, ମାଣିକଚାନ୍ଦି, ଭଳିକି ଭଳି ରଙ୍ଗର ସେବତି, ଡାଲିଆ ଓ ଅନେକ ହାଇବ୍ରିଡ ଫୁଲ ମାର୍କେଟରେ ଉପଲବ୍ଧ ହେଉଛି । ଯାହାକୁ ନେଇ ନିଜ ଗାର୍ଡେନ, ବାଲକୋନି, ଛାତ ଉପରେ ଓ ଘର ଆଗରେ ରଖି ସେଜେଇବାକୁ ମାର୍କେଟରୁ କିଣି ନେଉଛନ୍ତି ଲୋକେ ।

ସେହିପରି ଶୀତ ଋତୁ ଆସିଲେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଳାଶୟ ଗୁଡିକ ପାଲଟେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଠିକଣା । କାହିଁ କେଉଁ କେତେ ଦୂରରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ଉଡି ଆସୁଥିବା ବିଦେଶୀ ପକ୍ଷୀ ଏଠାକାର ଜଳବାୟୂ ଓ ପରିବେଶ ସହିତ ଖାପ ଖୁଆଇ ପ୍ରାୟ ଊଷ୍ଣ ମାସ କଟାଇଥାନ୍ତି । କିଏ ଖାଦ୍ୟ ସନ୍ଧାନରେ ତ କିଏ ବଂଶ ବୃଦ୍ଧି କରିବାକୁ ଆସିଥାନ୍ତି । ଆଉ ଏହି ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ପୁଲକିତ ହୁଏ ସମଗ୍ର ଅଞ୍ଚଳ । ଆଉ ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଦେଖିଲେ ଆହ୍ଲାଦିତ ହୁଏ ମନପ୍ରାଣ । ଆନମନା ହୁଅନ୍ତି କବି ଓ ଲେଖକ ।

Comments are closed.