Latest Odisha News

BREAKING NEWS

ସୈାରାଷ୍ଟ୍ରରେ କଂଗ୍ରେସ ଗଡ଼କୁ ଭାଙ୍ଗିପାରିବେ କି ମୋଦି?

ସୈାରାଷ୍ଟ୍ର ପାଇଁ ତିନି ଦିନ ପ୍ରଚାର କରିବେ ମୋଦି

ସୈାରାଷ୍ଟ୍ର: ଗୁଜରାଟ ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି, କଂଗ୍ରେସ ଏବଂ ଆପ ନେତାମାନେ ଘନ ଘନ  ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୁଜୁରାଟର ସୈାରାଷ୍ଟ୍ର ଅଞ୍ଚଳର ବାପି ସହରରେ ରୋଡ ସୋ ପ୍ରଦର୍ଶନ କରି ଲୋକଙ୍କୁ ପୁଣି ଭୋଟ ମାଗିଛନ୍ତି । ବିଜେପି ହିଁ ରାଜ୍ୟରେ ବିକାଶକୁ ଆଗେଇ ନେଉଥିବାରୁ ବିଜେପିକୁ ବିଶ୍ବାସକୁ ନେଇ ପୁଣି ଭୋଟ ଦେବାକୁ ମୋଦି କହିଛନ୍ତି ।

ରୋଡ ଶୋ ବେଳେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ପ୍ରଶ୍ନ ହେଉଛି ମୋଦି ଏଥର ସୈାରାଷ୍ଟ୍ରକୁ କାହିଁକି ଏତେ ପ୍ରାଧାନ୍ୟ ଦେଉଛନ୍ତି । କାରଣ ହେଉଛି ଗତ ନିର୍ବାଚନରେ ବିଜେପି ଏହି ଅଂଚଳରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା । ପଟିଦାର ଆନ୍ଦୋଳନ ବିଜେପି ରଣନୀତିକୁ ଓଲଟପାଲଟ କରିଥିଲା । ବିଜେପି ଆଶା ଯାହା କରିଥିଲା ତାହାର ଓଲଟା ଫଳ ହୋଇଥିଲା । ଅବଶ୍ୟ ବିଜେପି ସରକାର ବଂଚାଇଥିଲା କିନ୍ତୁ ଏହି ଅଂଚଳର ଅଧିକାଂଶ ଆସନ କଂଗ୍ରେସ ଖାତାକୁ ଚାଲିଯାଇଥିଲା । ତେଣୁ ଏଥର ବିଜେପି ମୋଦିଙ୍କୁ ଏହି ଆସନରେ ପ୍ରଚାର ପାଇଁ ଆଗୁଆ ତାରିଖ ଧାର୍ଯ୍ୟ କରିଛି । ଏହି ଅଂଚଳର ଆସନ କଂଗ୍ରେସର ଗଡ଼ କୁହାଯାଉଥିବା ବେଳେ ମୋଦି ଏଥର ଏହି ଗଡ଼କୁ ଭାଙ୍ଗିବାକୁ ରଣନୀତି କରିଥିବା ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

ଗୁଜୁରାଟରେ ଗତ ୨୭ ବର୍ଷ ଧରି ବିଜେପି ଦଳ କ୍ଷମତାରେ ଅଛି। ଏଥର ନରେନ୍ଦ୍ର ମୋଦୀ, ଅମିତ ଶାହା  ୧୪୦ ରୁ ଅଧିକ ସିଟ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ବିଜେପି ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଚାହୁଁଥିବା ବେଳେ କଂଗ୍ରେସ ବିଜେପିକୁ ବ୍ରେକ୍ ଦେବାକୁ ଚେଷ୍ଟା କରି ବିଫଳ ହେଉଛି । ଆପ୍ ଦଳ ଏଥର  କଂଗ୍ରେସ ଭୋଟକୁ ଭାଙ୍ଗି ସରକାର ଗଠନ କରିବାକୁ କହୁଥିବା ବେଳେ ଏହାର ସ୍ଥିତି ସେତେ ସୁଦୃଢ଼ ହୋଇନଥିବା ଗୁଜରାଟରେ ଆଲୋଚନା ହେଉଛି । ତେବେ ଦେଖିବାକୁ ଗଲେ  ରାଜ୍ୟର ୧୮୨ ଟି ବିଧାନସଭା ଆସନ ମଧ୍ୟରୁ ୪୮ ଟି ଆସନ ସୈାରାଷ୍ଟ୍ର  ଅଞ୍ଚଳରେ ରହିଛି ।  ଯେଉଁ ସବୁ ଆସନରେ  ଡିସେମ୍ବର ୧ ରେ ପ୍ରଥମ ପର‌୍ୟ୍ୟାୟରେ ମତଦାନ ହେବ।
୨୦୧୭ ବିଧାନସଭା ନିର୍ବାଚନରେ ​​ପଟିଦାର ଆନ୍ଦୋଳନ ଚାଲିଥିବାରୁ  କଂଗ୍ରେସ ଏଠାରେ ୨୮ ଟି ସିଟ୍ ଜିତିଥିଲା। ଏଥର ଅଧିକାଂଶ ପଟିଦାର ନେତା ବିଜେପିରେ ସାମିଲ ହୋଇ ଟିକେଟ ହାତେଇଛନ୍ତି । ଏପରିକି ହାର୍ଦ୍ଦିକ ପଟେଲଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି ।ଏଠାର ଗଣିତ ଅନୁସାରେ ଭାରତୀୟ ଜନତା ପାର୍ଟିରେ ବିଧାୟକଙ୍କ ସଂଖ୍ୟା ୨୦୧୨ ରେ ୩୦ ଆସନ ରୁ ୨୦୧୭ରେ  ଏଠାରେ ୧୯ ଆସନ କୁ ହ୍ରାସ ପାଇଥିଲା। ଏହି ଅଞ୍ଚଳରେ ପଟିଦାର ଏବଂ ଓବିସି ଭୋଟର ଯାହାକୁ ସମର୍ଥନ କରିବେ ସେହି ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି ।
୧୮୨ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ଗୁଜୁରାଟରେ  ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର‌୍ୟ୍ୟାୟରେ ମତଦାନ କରାଯିବାକୁ ସ୍ଥିର ହୋଇଥିବା ବେଳେ ସୈାରାଷ୍ଟ୍ର ଏବେ ରାଜନୀତିର କେନ୍ଦ୍ର ବିନ୍ଦୁ ହୋଇଛି ।

ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ମୋଦି ସୈାରାଷ୍ଟ୍ରରୁ ସୁରଟ ପର‌୍ୟ୍ୟନ୍ତ  ଆଠଟି ସଭାରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଆଜିଠାରୁ ନଭେମ୍ବର ୨୨ ପର‌୍ୟ୍ୟନ୍ତ ଲଗାତାର ତିନି ଦିନ ପାଇଁ ଗୁଜରାଟରେ ମୋଦି ପ୍ରଚାର କରିବେ । ସୈାରାଷ୍ଟ୍ର ଭୋଟରଙ୍କୁ ବିଜେପି ପ୍ରତି ପୁଣି ଆକର୍ଷଣ କରିବା ପାଇଁ ମୋଦି ସଭା କରିବା ସହ ରୋଡ ଶୋ କରିବାର କାର‌୍ୟ୍ୟକ୍ରମ ରହିଛି ।
ଆସନ୍ତାକାଲି ମୋଦିଙ୍କ  ତିନିଟି ରାଲି ରହିଥିବା ବେଳେ  ନଭେମ୍ବର ୨୧ ରେ ଦକ୍ଷିଣ ଗୁଜୁରାଟ ରେ ଦୁଇଟି ନଭେମ୍ବର ୨୨ ରେ  ଦୁଇଟି ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି ।
ଆସନ୍ତାକାଲି ମୋଦି ପ୍ରଥମେ ସୋମନାଥ ମନ୍ଦିର ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି । ଏହାପରେ  ଚାରୋଟି ସମାବେଶକୁ ସମ୍ବୋଧିତ କରିବେ  । ଗତ ବିଧାନସଭା ନିର୍ବାଚନରେ ବିଜେପି ଏହି ଅଂଚଳରେ ଖରାପ ପ୍ରଦର୍ଶନ କରିଥିଲା ।  ତେଣୁ ମୋଦି ଏଥର ନିର୍ବାଚନରେ ​​କଂଗ୍ରେସର ଦୁର୍ଗକୁ ଭାଙ୍ଗିବାକୁ ଚେଷ୍ଟା କରିବେ ବୋଲି ଆଲୋଚନା ହେଉଛି । ତୃତୀୟ ଦିନରେ  ପ୍ରଧାନମନ୍ତ୍ରୀ ମୋଦୀ ସୁରେନ୍ଦ୍ରନଗର, ଭାରୁଚ ଏବଂ ନବସାରୀରେ ତିନୋଟି ରାଲି କରିବେ।

ଭାରୁଚ ଆସନ ଟି  କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାବେଳେ ଏଠାରେ କିଏ ଜିତିବ ତାହା ମଧ୍ୟ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଅବଶ୍ୟ ବିଜେପି ରାଜ୍ୟ ସଭାପତି ସିଆର ପାଟିଲ ଏହି ଅଞ୍ଚଳ ନାଭସାରୀରୁ  ଲୋକସଭା ଆସନରେ ବିଜୟୀ ହୋଇଛନ୍ତି।

ଏପରିକି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ନଭେମ୍ବର ୨୧ ରେ ରାଜକୋଟ, ସୁରଟ, ନବସରୀ ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ନବସାରୀରେ ନଭେମ୍ବର ୨୧ରେ ରାଲି କରିବାର କାର‌୍ୟ୍ୟକ୍ରମ ରହିଥିବାରୁ ଦୁଇ ନେତା କଣ କହୁଛନ୍ତି ତାହାକୁ ଭୋଟରମାନେ ଅପେକ୍ଷା କରିଛନ୍ତି । ତେବେ ଏଥର ସମସ୍ତ ଓପିନିୟନ ପୋଲରେ ବିଜେପି ସରକାର ଗଠନ କରିବ ବୋଲି ଆଗୁଆ କହିସାରିଛି । ତେବେ କଂଗ୍ରେସ ଏବଂ ଆପ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ମଧ୍ୟ ଡିସେମ୍ବର ୮ର ଫଳାଫଳରେ ଜଣାପଡିବ । କଂଗ୍ରେସ ଏବଂ ଆପ କିଏ ଦୁଇ ନମ୍ବର ଦଳ ହେଉଛି ନା ସରକାର ଗଠନ କରୁଛି ତାହାକୁ ମଧ୍ୟ ଗୁଜରାଟବାସୀ  ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.