ଖୋର୍ଦ୍ଧା: ବାରମ୍ବାର ଚାକିରି ବଦଳିରେ ଅସନ୍ତୋଷ ପ୍ରକାଶ କରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ନିଜ ହାତଗୋଡ଼ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାମ ରାଜଶ୍ରୀ ଭାରତୀ ବୋଲି ଜଣାପଡ଼ିଛି।
ବଦଳିକୁ ବିରୋଧ କରୁଥିବା ରାଜଶ୍ରୀ ଭାରତୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସହକର୍ମୀମାନେ କିଛି ସମୟ ଧରି ନିର୍ଯାତନା ଦେଉଥିଲେ। ଆଜି ସେ ତାଙ୍କ ବଦଳି ସମ୍ପର୍କରେ ଜାଣିବା ପରେ ବିଚଳିତ ହୋଇପଡ଼ିଥିଲେ ଏବଂ ନିଜ ହାତଗୋଡ଼ କାଟି ଜୀବନ ହାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ କାବୁ କରିଥିଲା। ପରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେବା ପରେ ଥାନାକୁ ଆଣିଥିଲେ। ଏହାପରେ ଛାଡି ଦେଇଥିଲେ।
ବ୍ୟାଙ୍କର ସିଇଓ ବନଶ୍ରୀ ମଲ୍ଲିକ କହିଛନ୍ତି,ଦୁଇ ମାସ ତଳେ ସେ ଶାଖାରେ ଯୋଗ ଦେଇଥିଲେ। ରାଜଶ୍ରୀଙ୍କ ଏଭଳି କଠୋର ପଦକ୍ଷେପ ପଛର ପ୍ରକୃତ କାରଣ ସେ ଜାଣିନାହାନ୍ତି। ତାଙ୍କୁ ବଦଳି ଆଦେଶ ମିଳିଛି। ମାତ୍ର ସେ ଯିବାକୁ ଚାହୁଁଥିବାରୁ ତାଙ୍କୁ ବଦଳି କରାଯାଇଥିଲା। ଏବେ ସେ ଏଥିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ଏବେ ବଦଳି ଆଦେଶକୁ ରଦ୍ଦ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ରାଜଶ୍ରୀ ଭାରତୀ କହିଛନ୍ତି, ପୂର୍ବତନ ଡିଜିଏମ୍ ସାରଥୀ ଶତପଥୀ ମାନସିକ ନିର୍ଯାତନା ଦେଉଥିଲେ । ଏନେଇ ସେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏବେ ତାଙ୍କର ବଦଳି ହୋଇଯାଇଛି। ଏହାପରେ ବ୍ୟାଙ୍କର ଅନ୍ୟ ତିନି ଜଣ ସହକର୍ମୀ ସନ୍ଦୀପ ପଟ୍ଟନାୟକ, ନିହାର ପ୍ରଧାନ ଓ ସଞ୍ଜୟ ପଟ୍ଟନାୟକ ତାଙ୍କୁ ଜାଣିଶୁଣି ହଇରାଣ କରୁଛନ୍ତି। ସଞ୍ଜୟ ପଟ୍ଟନାୟକ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରନ୍ତି। ଏପରିକି ସେ ତାଙ୍କ ଝିଅକୁ ମଧ୍ୟ ବିଭିନ୍ନ ମେସେଜ୍ ପଠାନ୍ତି ବୋଲି କହିଛନ୍ତି। ଏହି ବ୍ୟାଙ୍କରେ ଯେଉଁମାନେ ୩୦ ବର୍ଷ ହେବ କାମ କରୁଛନ୍ତି ସେମାନଙ୍କର ବଦଳି ହେଉନାହିଁ। ହେଲେ ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଦୁଇ ଥର ବଦଳି ଆଦେଶ ମିଳିଛି।
Comments are closed.