Latest Odisha News

ଝିଅ ବାହାଘର ପାଇଁ ଲକରରେ ରଖିଥିଲେ ୧୮ ଲକ୍ଷ ଟଙ୍କା; ସବୁ ଖାଇଦେଲା ଉଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ କ୍ୟାସ ରଖୁଛନ୍ତି କି? ଯଦି ରଖୁଛନ୍ତି ହୁଏତ ମହଙ୍ଗା ପଡିପାରେ । କାରଣ ଉତ୍ତରପ୍ରଦେଶ ମୁରାଦବାଦରେ ଜଣେ ମହିଳା ବ୍ୟାଙ୍କ ଲକରରେ ରଖିଥିବା ୧୮ ଲକ୍ଷ ଟଙ୍କାକୁ ଖାଇଯାଇଛି ଉଇ । ଟଙ୍କା ବଦଳରେ ଲକରରୁ ମହିଳାଙ୍କୁ ମିଳିଛି କେବଳ କାଗଜ ଗୁଣ୍ଡ । ମହିଳାଙ୍କ ଅଭିଯୋଗ ଶୁଣିବା ପରେ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଯାହା ବି ହେଉ,ବ୍ୟାଙ୍କ କର୍ମଚାରୀ ନିୟମ ଏବଂ ଏଗ୍ରିମେଣ୍ଟ ଦେଖାଇ ନିଜ ମୁଣ୍ଡରୁ ବୋଝ ଉଠାଇ ଦେଇଛନ୍ତି । ମହିଳାଙ୍କୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି  ଯେ, ଲକରରେ କ୍ୟାସ ରଖାଯାଏ ନାହିଁ । ଯଦି ସେ କ୍ୟାସ ରଖିଛନ୍ତି ତେବେ ସେଥିପାଇଁ ସେ ଦାୟୀ ନୁହଁନ୍ତି ।

ମୁରାଦବାଦର ଅଳକା ପାଠକଙ୍କ କହିବା ଅନୁଯାୟୀ, ସେ ତାଙ୍କ ଝିଅ ବାହାଘର ପାଇଁ ଲକରରେ ୧୮ ଲକ୍ଷ ଟଙ୍କା ରଖିଥିଲେ । ଗତ ସୋମବାର ଦିନ ବ୍ୟାଙ୍କରୁ ଡାକରା ଆସିଥିଲା କେୱାଇସି ପାଇଁ । ଏହି ସମୟରେ ସେ ନିଜ ଲକର ଖୋଲିଥିଲେ । ହେଲେ ନୋଟ ଜାଗାରେ ନୋଟର ଟୁକୁଡା ଦେଖିବାକୁ ପାଇଥିଲେ । ସବୁ ଟଙ୍କା ଉଇ ଖାଇ ଯାଇଛି ।

ଅଳକା ତୁରନ୍ତ ବ୍ୟାଙ୍କ ଷ୍ଟାଫଙ୍କୁ ଏବିଷୟରେ ଜଣାଇଥିଲେ । ସେ ତାଙ୍କ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କ ପାଖର ଦାବି କରିଥିଲେ । ଅବଶ୍ୟ ଏହି କଥା ଶୁଣି ବ୍ୟାଙ୍କ କର୍ମଚାରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ମିଡିଆକୁ ଏକ ବାର୍ତ୍ତା ଦେଇ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ସେମାନେ ବ୍ୟାଙ୍କ ଅଫ ବଡୋଦା ହେଡକ୍ୱାର୍ଟରକୁ ରିପୋର୍ଟ ପଠାଇ ଦେଇଛନ୍ତି ।

ଏପଟେ ଅଳକା ପାଠକ ଅଭିଯୋଗ କରିଛନ୍ତି, ବ୍ୟାଙ୍କ ଅଧିକାରୀ ତାଙ୍କୁ କୌଣସି ତଥ୍ୟ ସେୟାର କରୁନାହାନ୍ତି । ସେ ଆହୁରି କହିଛନ୍ତି, ଯଦି ବ୍ୟାଙ୍କ ପକ୍ଷରୁ ମୋତେ କୌଣସି ସହଯୋଗ ନ ମିଳେ ତେବେ ଏହି ପ୍ରସଙ୍ଗ ମୁଁ ଆଗକୁ ନେବି ଏବଂ ମିଡିଆରେ ଦେବି ।

ଅଳକାଙ୍କର କହିବା କଥା, ତାଙ୍କର ଏକ ଛୋଟ ବ୍ୟବସାୟ ଅଛି । ଏହାବ୍ୟତୀତ ସେ ପିଲାମାନଙ୍କୁ ଟ୍ୟୁସନ ବି କରନ୍ତି । ସେ ତାଙ୍କର ସବୁ ଜମା ପୁଞ୍ଜି ଲକରରେ ରଖିଥିଲେ । ପ୍ରଥମ ଝିଅର ବାହାଘର ବେଳେ ମଧ୍ୟ ସେ ଲକରରେ ଟଙ୍କା, ଗହଣା ରଖିଥିଲେ । ୨ୟ ଝିଅ ବାହାଘର ସମୟରେ ରଖିଥିଲି  ଏବଂ ବାହାର କରିବା ସମୟରେ ଏପରି ଅଘଟଣା ଘଟିଲା ।

ଅଳକା ଆହୁରି କହିଛନ୍ତି, ସେ ଜାଣି ନାହାନ୍ତି ଯେ, ବ୍ୟାଙ୍କ ଲକରରେ ଟଙ୍କା ରଖନ୍ତି ନାହିଁ ବୋଲି । ବ୍ୟାଙ୍କ ପକ୍ଷରୁ ଏ ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ ।

Comments are closed.