Latest Odisha News

ସ୍ବାମୀର ମୃତ୍ୟର କେଇ ଘଣ୍ଟା ପରେ ଆଖି ବୁଜିଲେ ପତ୍ନୀ, ଏକାକି ହୋଇଗଲେ ତିନି ଛୁଆ

ମାଲକାନଗିରି:ବାଲିମେଳାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କୁ ହରାଇବାର ମାତ୍ର କିଛି ଘଣ୍ଟା ପରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଶନିବାର ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ମୃତ ହରି କୁଳଦୀପଙ୍କ ଘର ବାଲିମେଳା ଏନ୍ଏସି ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ। ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ। ସକାଳୁ ସକାଳୁ ହରି ହୃଦଘାତରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳେ ତାଙ୍କ ପାଖରେ ପତ୍ନୀ କମଳା ଓ ତିନି ପିଲା ଥିଲେ। କିନ୍ତୁ କମଳା ସ୍ବାମୀର ମୃତ୍ୟୁର କେଇ ଘଣ୍ଟା ପରେ ପ୍ରାଣ ହରାଇଛନ୍ତି।

ସ୍ୱାମୀଙ୍କୁ ଝୁରିଝୁରି ମର ଶରୀର ନିକଟରେ ଶୋକାକୁଳ ଅବସ୍ଥାରେ ଥିବା ବେଳେ ହଠାତ ଅଚେତ ହୋଇପଡିଥିଲେ କମଳା। ଏହାପରେ ପରିବାର ଲୋକେ ତାଙ୍କୁ ବାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ସେତେବେଳକୁ ଡେରି ହୋଇଯାଇଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ତିଆରି କରିଛି। ଏବଂ ସ୍ଥାନୀୟ ଲୋକମାନେ କହିଛନ୍ତି, କମଳା ତାଙ୍କ ସ୍ୱାମୀଙ୍କ ମୃ୍ତ୍ୟୁକୁ ସହିନପାରିବାରୁ ପ୍ରାଣ ହରାଇଛନ୍ତି।

ମୃତକଙ୍କ ଜଣେ ପଡ଼ୋଶୀ ସେମାନଙ୍କ ଦୁଃଖ ବଖାଣିବା ସହ କମଳା ଓ ହରି ଆର୍ଥିକ ଅନଟନ ସତ୍ତ୍ୱେ କିପରି ତିନି ପିଲାଙ୍କୁ ନେଇ ଏକ ସୁଖୀ ଦମ୍ପତି ଥିଲେ ତାହା ମନେ ପକାଇ ଦେଇଥିଲେ। ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଦମ୍ପତ୍ତିଙ୍କ ଶବକୁ ନିଆଯିବା ସହ ଏକାଠି ଶବଦାହ କରାଯାଇଥିଲା।

Comments are closed.