ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁସଗଡା ନଦୀରେ କଙ୍କଡ଼ା ଧରୁଥିବା ସମୟରେ ଜଣେ ମହିଳା ଓ ତାଙ୍କ ପୁଅ ପାଞ୍ଚ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ସୋମବାର ଦିନ ଉଭୟ ହାବାଲା ଜଙ୍ଗଲରେ ସୁରକ୍ଷିତ ଭାବରେ ମିଳିଥିବାର ସୂଚନା ମିଳିଛି।
ଉଭୟ ରାଜନଗର ତହସିଲ ଅନ୍ତର୍ଗତ ଦେବେନ୍ଦ୍ରନାରାୟଣପୁର ଗ୍ରାମର ବାସିନ୍ଦା ଥିଲେ। ତେବେ ମହିଳାଙ୍କ ନାମ ଅଞ୍ଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିନ୍ଦ୍ର ମିର୍ଦ୍ଧା ବୋଲି ଜଣାପଡ଼ିଛି। ଗତ ବୁଧବାର ଦିନ ଉଭୟ ଅନ୍ୟ ଦୁଇଜଣଙ୍କ ସହିତ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଅନ୍ୟ ଦୁଇ ଗ୍ରାମବାସୀ ସୁରକ୍ଷିତ ଭାବରେ ଫେରି ଆସିଥିଲେ। ସେହି ସମୟରେ ଘନ ମାଙ୍ଗ୍ରୋଭ୍ ଭୂଖଣ୍ଡ ଭିତରକୁ ପ୍ରାୟ ଆଠ କିଲୋମିଟର ଯିବା ପରେ ଅଞ୍ଜନା ଏବଂ ରତିନ୍ଦ୍ର ବାଟ ହଜିଯାଇଥିଲେ। ପରେ ରାତି ସୁଦ୍ଧା ଦୁହେଁ ଘରକୁ ନ ଫେରିବାରୁ ସେମାନଙ୍କ ପରିବାର ସଦସ୍ୟମାନେ ରାଜନଗର ଥାନାରେ ନିଖୋଜ ହେବାର ଅଭିଯୋଗ କରିଥିଲେ।
ଯାହା ପରେ ବନ ବିଭାଗକୁ ଏ ବିଷୟରେ ସୂଚନା ଦିଆ ଯାଇଥିଲା ଓ ଦୁହିଁଙ୍କୁ ଖୋଜିବା ପାଇଁ ଚାରୋଟି ଟିମ୍ ମଧ୍ୟ ଗଠନ କରାଯାଇଥିଲା। ବହୁ ସମୟ ଖୋଜିବା ଓ ଡ୍ରୋନ୍ ବ୍ୟବହାର କରି ମା ଓ ପୁଅଙ୍କୁ ଗୁପ୍ତି ନେଚର କ୍ୟାମ୍ପରେ ଠାବ କରାଯାଇଥିଲା। ତେବେ ସେଠାରେ ସେମାନେ ଏକ ନାଳ ପାଖରେ ବସିଥିବାର ଦେଖିବାକୁ ମିଳିଥିଲା। ପରେ ସେମାନଙ୍କୁ ଖାଦ୍ୟ ପାଣି ଯୋଗାଇ ଦିଆଯାଇଥିଲା ଓ ଡଙ୍ଗା ଦ୍ୱାରା ସୁରକ୍ଷିତ ଭାବରେ ସେଠାରୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି।

Comments are closed.