ନ୍ୟୁୟର୍କ: ବଜାରରେ ମିଳୁଥିବା କ୍ଷୀର ତୁଳନାରେ ମାଆ କ୍ଷୀର ଲକ୍ଷ ଲକ୍ଷ ଗୁଣ ଭଲ । ଅର୍ଥାତ୍ ମାଆ କ୍ଷୀରରେ ଶିଶୁ ପାଇଁ ସମସ୍ତ ଆବଶ୍ୟକ ଆହାର ଭଗବାନ ଭରି ରଖିଛନ୍ତି । ସେଥିପାଇଁ ତ ଜନ୍ମପରେ ପ୍ରଥମ ୬ ମାସ କେବଳ ମାଆକ୍ଷୀର ଦିଆଯିବା ଉଚିତ୍ ବୋଲି ଚିକିତ୍ସକ ମତ ରଖନ୍ତି । ତେବେ ସବୁ ଶିଶୁଙ୍କୁ ମାଆ କ୍ଷୀର ମିଳେ ନାହିଁ । ଏଭଳି କିଛି ଶିଶୁଙ୍କ ପାଇଁ ମାଆ ସାଜିଛନ୍ତି ଜଣେ ମହିଳା । ନିଜ କ୍ଷୀରକୁ ହଜାର ହଜାର ଶିଶୁଙ୍କୁ ପାନ କରାଇ ସେ ବିଶ୍ୱ ରେକର୍ଡ଼ କରିଛନ୍ତି ।
ଆମେରିକାରେ ରୁହନ୍ତି ଏଲିଜାବେଥ୍ ଆଣ୍ଡରସନ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । କିନ୍ତୁ ସେ ହଜାର ହଜାର ପିଲାଙ୍କ ମାଆ ସାଜି ସ୍ତନ୍ୟପାନ କରାଉଛନ୍ତି । ୨୦୧୫ରୁ ୨୦୧୮ପର୍ଯ୍ୟନ୍ତ ସେ ଏକ ଦୁଗ୍ଧ ବ୍ୟାଙ୍କକୁ ୧୬୦୦ ଲିଟର ନିଜର କ୍ଷୀର ଦାନ କରିଛନ୍ତି । ଏବେ ବି ସେ ଏହି ପ୍ରୟାସ ଜାରି ରଖିଛନ୍ତି ।
ଏଲିଜାବେଥ୍ କହିଛନ୍ତି ଯେ, ମୁଁ ଗତ ୯ ବର୍ଷରେ ୧୦,୩୫୦ ଲିଟର କ୍ଷୀର ଦାନ କରିଛି । ମୁଁ କେବଳ ସେହି ଲୋକମାନଙ୍କୁ ଦାନ କରେ, ଯେଉଁମାନେ ଏହାକୁ ଅଧିକ ଆବଶ୍ୟକ କରନ୍ତି । ପୂର୍ବରୁ ମୁଁ ଅଧିକାଂଶ କ୍ଷୀର ଫିଙ୍ଗୁଥିଲି । ଦିନେ ଅନୁଭବ କଲି ଯଦି ଏହା ସଠିକ୍ ଭାବରେ ବ୍ୟବହୃତ ହେଉ ।
ଦୁନିଆରେ ଅନେକ ପିଲା ଅଛନ୍ତି ଯେଉଁମାନେ ମାଆ କ୍ଷୀର ପାଇବାରୁ ବଞ୍ଚିତ ହେଉଛନ୍ତି । ଯେତେବେଳେ ମୋର ଦ୍ୱିତୀୟ ଝିଅ ଜନ୍ମ ହେଲା, ମୋର ପ୍ରଚୁର କ୍ଷୀର ହେଉଥିଲା । କ୍ଷୀର ନଷ୍ଟ ନ କରି ଝିଅ ହେବାର ଗୋଟିଏ ସପ୍ତାହ ପରେ ମୁଁ ନିଜ କ୍ଷୀର ଦାନ କରିବା ଆରମ୍ଭ କଲି । ପମ୍ପ ଜରିଆରେ ପ୍ରତ୍ୟେକ ଦିନ ୬ ଲିଟର କ୍ଷୀର ବାହାର କରିଥାଏ । ଏହାକୁ ଏକ ବୋତଲରେ ପ୍ୟାକ୍ କରି କ୍ଷୀର ବ୍ୟାଙ୍କକୁ ଦାନ କରେ ।
ବାସ୍ତବରେ, ହାଇପରଲାକ୍ଟେସନ ସିଣ୍ଡ୍ରୋମ ହେତୁ ଏଲିଜାବେଥଙ୍କ ଅଧିକ କ୍ଷୀର ଉତ୍ପନ୍ନ ହୁଏ । ତାଙ୍କ ଶରୀର ପ୍ରୋଲାକ୍ଟିନ ନାମକ ଅନେକ ହରମୋନ ତିଆରି କରେ ଏବଂ ଏହା ଦୁଗ୍ଧ ଉତ୍ପାଦନକୁ ବଢ଼ାଇଥାଏ । ସବୁଠୁ ବଡ଼ କଥା, ଯଦି ଆପଣ ପମ୍ପ କରିବା ଜାଣନ୍ତି, ତେବେ ଆପଣ ବହୁତ କ୍ଷୀର ବାହାର କରିପାରିବେ ।
Comments are closed.