ମୁମ୍ବାଇ: ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରିସ୍ଥିତି ଏପରି ହେଲାଣି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ଏବେ ପୋଲିସ ଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଟ ହୋଇଗଲେଣି । ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଏତେ ନିୟମ କାନୁନ୍, ସୁରକ୍ଷା ବ୍ୟବସ୍ଥା କରାଯିବା ସତ୍ତ୍ଵେ ମଧ୍ୟ ରାଜରାସ୍ତା, କର୍ମ କ୍ଷେତ୍ର ଏପରିକି ନିଜ ଘରେ ମଧ୍ୟ ମହିଳା ଅସୁରକ୍ଷିତ । ତେବେ ଏହାରି ଭିତରେ ମହାରାଷ୍ଟ୍ର ମନ୍ତ୍ରୀ ଗୁଲାବରାଓ ପାଟିଲ ମହିଳାମାନଙ୍କୁ ଏକ ଅଜବ ଉପଦେଶ ଦେଇଛନ୍ତି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ମନ୍ତ୍ରୀ କହିଛନ୍ତି ଯେ, କେବଳ ଲିପଷ୍ଟିକ, କାଜଲ୍ ନୁହେଁ, ଝିଅମାନେ ପର୍ସରେ ଛୁରୀ-ଲଙ୍କାଗୁଣ୍ଡା ରଖ ।
ବାସ୍ତବରେ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବରିଷ୍ଠ ଶିବସେନା ନେତା ତଥା ମନ୍ତ୍ରୀ ଗୁଲାବରାଓ ପାଟିଲ ମହିଳାଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, ‘ଆମେ ମହିଳା ସଶକ୍ତିକରଣ ବିଷୟରେ ସବୁବେଳେ କହିଥାଉ, କିନ୍ତୁ ସତରେ କଣ ମହିଳା ସଶକ୍ତ । ଆଜି ମଧ୍ୟ ରାସ୍ତା ଘାଟ, କର୍ମ କ୍ଷେତ୍ର ଏପରିକି ନିଜ ଘରେ ମଧ୍ୟ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଛି । ଏପରି ଅନେକ ଖରାପ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ମହିଳା ମାନଙ୍କୁ ନିଜକୁ ଦୃଢ କରିବାକୁ ପଡିବ । ନିଜ ପ୍ରତି ହେଉଥିବା ଅତ୍ୟାଚାରରୁ ନିଜକୁ ସୁରକ୍ଷିତ ରଖିବାକୁ ପଡିବ । ମହିଳାମାନେ ସେମାନଙ୍କ ପର୍ସରେ ଖାଲି ଲିପଷ୍ଟିକ୍, କାଜଲ ରଖିଲେ ହେବନି, ସୁରକ୍ଷା ପାଇଁ ପର୍ସରେ ଲଙ୍କାଗୁଣ୍ଡ ଏବଂ ଛୁରୀ ପରି ମାରଣାସ୍ତ୍ର ମଧ୍ୟ ରଖିବା ଉଚିତ୍ ।
ପାଟିଲ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ବି କିଛି ପରିବର୍ତ୍ତନ ହୋଇନାହିଁ । ଆଗରୁ ପରିସ୍ଥିତି ଯାହାବି ଥିଲା ଆଜି ବି ସମାନ । ତେଣୁ ମୁଁ ଆଜିର ମହିଳାମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏବେ ନିଜର ରକ୍ଷା ନିଜେ କରନ୍ତୁ । ଆତ୍ମରକ୍ଷା ପାଇଁ ଏହିପରି ସାମଗ୍ରୀ ନିଜ ପାଖରେ ସର୍ବଦା ରଖନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ଗୁଲାବରାଓ ପାଟିଲ ।
Comments are closed.