Latest Odisha News

BREAKING NEWS

ମହିଳା ଏସିଆ କପ: ପାକିସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ଦାମ୍ବୁଲା: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ଦୀପ୍ତି ଶର୍ମା ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର, ରେଣୁକା ସିଂ ଓ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ୧୦୯ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ୧୪.୧ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଶେଫାଳୀ ବର୍ମା ୨୯ ବଲରୁ ୪୦, ସ୍ମୃତି ମାନ୍ଧାନା ୩୧ ବଲରୁ ୪୫ ରନ ସଂଗ୍ରହ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଉଭୟ ୯.୩ ଓଭରରେ ୮୫ ରନ ସଂଗ୍ରହ କରି ନେଇଥିଲେ । ଏହା ପରେ ସ୍ମୃତି ଆଉଟ ହୋଇ ଯାଇଥିଲେ । ୧୧.୪ ଓଭରରେ ଦଳର ସ୍କୋର ୧୦୦ ହୋଇଥିବା ବେଳେ ଶେଫାଳୀ ପ୍ୟାଭିଲିୟନ ଫେରି ଯାଇଥିଲେ । ଦୟାଲନା ହେମଲତା ୧୪ ରନ କରି ଆଉଟ ହେବା ପରେ ଅଧିନାୟକ ହରମନପ୍ରୀତ କୌର ୫ ରନ ଓ ଜେମି ରୋଡ୍ରିଗ୍ୟୁସ ୩ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ପାକିସ୍ତାନ ପକ୍ଷରୁ ଅରୂବ ଶାହ ୨ଟି ୱିକେଟ ନେଇଥିଲେ ।

Comments are closed.