Latest Odisha News

ଆଜିଠୁ ମହିଳା ବିଶ୍ୱକପ ହକି: ଭାରତ ଭେଟୁଛି ଇଂଲଣ୍ଡକୁ, ଦଳରେ ୪ ଜଣ ଓଡ଼ିଆ ଝିଅ

ଲଣ୍ଡନ : ଆଜିଠୁ ଲଣ୍ଡନରେ ଆରମ୍ଭ ହେଉଛି ୧୪ତମ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା । ଭାରତ ଆଜିର ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି । ଭାରତୀୟ ଦଳରେ ୪ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି । ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳିମାନେ ହେଲେ ଦୀପ ଗ୍ରେସ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ।

କିଛି ଦିନ ପୂର୍ବରୁ ଭାରତ ଏସିଆନ ଚାମ୍ପିୟନସିପ ହକିରେ ରନର୍ସ ଅପ ହୋଇଥିଲା ଏବଂ ଏହି ଚାରିଜଣ ଓଡ଼ିଆ ଖେଳାଳି ମଧ୍ୟ ମହିଳା ଭାରତୀୟ ଦଳ ଲାଗି ଖେଳୁଥିଲେ ।

“ଆୟୋଜକ ଇଂଲଣ୍ଡ ଉପରେ ଚାପ ରହିବ” ବୋଲି ମ୍ୟାଚର ଅବ୍ୟବହିତ ପୂର୍ବରୁ ଭାରତୀୟ ଅଧିନାୟିକା ରାଣୀ ରାମପାଲ କହିଛନ୍ତି । ଅବଶ୍ୟ ଇଂଲଣ୍ଡର ଏହା ଘରୋଇ ପଡ଼ିଆ ଏବଂ ସେମାନେ ଘରୋଇ ଦର୍ଶକଙ୍କ ସମର୍ଥରେ ଖେଳିବେ । ତେବେ ନିକଟ ଅତୀତରେ ଆମେ ଇଂଲଣ୍ଡକୁ ପରାସ୍ତ କରିଥିବାରୁ ମ୍ୟାଚ ଜିତିବା ନେଇ ଆମ ଦଳର ମନୋବଳ ଦୃଢ ରହିଛି ବୋଲି ଭାରତୀୟ ଅଧିନାୟିକା ରାଣୀ କହିଛନ୍ତି ।

ଇଂଲଣ୍ଡର ଲଣ୍ଡନରେ ଅନୁଷ୍ଠିତ ହେଉଥିବା ଏହି ମହିଳା ବିଶ୍ୱକପ ହକି ଜୁଲାଇ ୨୧ରୁ ଅଗଷ୍ଟ ୫ ତାରିଖ ଯାଏ ଖେଳାଯିବ । ଏହି ବିଶ୍ୱକପରେ ବିଶ୍ୱର ବଛା ବଛା ୧୬ଟି ଦଳ ଭାଗ ନେଉଛନ୍ତି ।

ଗ୍ରୁପ ଏ
ନେଦରଲାଣ୍ଡ, ଦକ୍ଷିଣକୋରିଆ, ଇଟାଲି ଓ ଚୀନ

ଗ୍ରୁପ ବି
ଇଂଲଣ୍ଡ, ଆମେରିକା, ଭାରତ ଓ ଆୟାର୍ଲାଣ୍ଡ

ଗ୍ରୁପ ସି
ଜର୍ମାନୀ, ଆର୍ଜେଣ୍ଟିନା, ସ୍ପେନ ଓ ଦକ୍ଷିଣ ଆଫ୍ରିକା

ଗ୍ରୁପ ଡ଼ି
ଅଷ୍ଟ୍ରେଲିଆ, ନ୍ୟିୁଜିଲାଣ୍ଡ, ଜାପାନ ଓ ବେଲଜିୟମ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ୪ ଜଣ ଓଡ଼ିଆ ଖେଳାଳିଙ୍କୁ ଆଶୀର୍ବାଦ କରିଛନ୍ତି ।

Leave A Reply

Your email address will not be published.