ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଶୁକ୍ରବାର ଓଡିଶାର ମହିଳା ରଗବୀ ଟିମ ଓ ୱେଟଲିଫ୍ଟର ରୀମା ଗୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ରଗବୀ ଫାଇନାଲରେ ଓଡିଶା ୨୯-୫ରେ ବିହାରକୁ ପରାସ୍ତ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ପୂର୍ବରୁ ସେମିଫାଇନାଲରେ ଓଡିଶା ୩୧-୫ରେ ମହାରାଷ୍ଟ୍ରକୁ ହରାଇଥିଲା । ତେବେ ଓଡିଶାର ପୁରୁଷ ରଗବୀ ଟିମ ନିରାଶ କରିଛନ୍ତି । ସେମାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଓଡିଶା ୨୬-୧୦ରେ ପଶ୍ଚିମବଙ୍ଗଙ୍କୁ ହରାଇଥିଲା । ମହିଳା ୫୯ କିଗ୍ରା ୱେଟଲିଫ୍ଟିଂ ବିଭାଗରେ ରୀମା ସ୍ୱର୍ଣ୍ଣ ଜିତି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।
ଷ୍ଟାର ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ୬୦ କିିମି ରୋଡ ମାସ ଷ୍ଟାର୍ଟ ଇଭେଂଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗୁଜରାଟର ମୁସ୍କାନ ଗୁପ୍ତା ଓ ମହାରାଷ୍ଟ୍ରର ପୂଜା ଡାନୋଲେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ । ଉଶୁ ଖେଳାଳି ରିୟା ଠାକୁର ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ମହିଳା ଗୁନଶୁ(ଟାଓଲୁ) ଇଭେଂଟରେ ଏହି ସଫଳତା ହାସଲ କରିଥିଲେ । ମଧ୍ୟ ପ୍ରଦେଶର ଭାନଶିକା ନାମଦେଓ ଓ ଆସାମର ପଦ୍ମାନୀ ନାରଜାରୀ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିିତିଛନ୍ତି । ମହିଳା ଖୋ ଖୋ ଫାଇନାଲରେ ଓଡିଶା ପ୍ରବେଶ କରି ସାରିଥିବାରୁ ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ସେମିରେ ଓଡିଶା ୩୬-୨୩ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା ।
Comments are closed.