ଟିଟିଲାଗଡ଼: ପଥର ଖଦାନରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗ୍ରାନାଇଟ ପଥର ଖାଦାନରେ କାମ କରୁଥିବା ସମୟରେ ତଳକୁ ଖସି ପଡି ଶ୍ରମିକଙ୍କ ଜୀବନ ଯାଇଛି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଳା ଥାନା ଅନ୍ତର୍ଗତ ସମିଆପଡ଼ାରେ ଥିବା ଖାଦାନାରେ ଏହି ଘଟଣା ଘଟିଛି। ମୃତ ଶ୍ରମିକ ହେଉଛନ୍ତି ଚିତ୍ରସେନ ବଚ୍ଛା(୩୯ )।
ସୂଚନା ଅନୁଯାୟୀ, ବୁଧବାର ଗ୍ରାନାଇଟ ପଥର ଖାଦାନର ଉପରେ କାମ କରୁଥିବା ବେଳେ କୌଣସି କାରଣରୁ ଉପରୁ ତଳକୁ ପଡ଼ିଯାଇଥିଲେ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୁତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ସିନ୍ଧେକେଲା ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି। ସେ ଦୀର୍ଘ ଦିନରୁ ଏହି ଗ୍ରାନାଇଟ ପଥର ଖାଦନରେ କାମ କରି ଆସୁଥିଲେ।
ତେବେ ମୃତ ଶ୍ରମିକଙ୍କ ପରିବାର ଲୋକେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଶବ ନେବାକୁ ରାଜି ହୋଇନଥିଲେ। ପରେ ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ପୋଲିସ ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିବା ଜାଣିବାକୁ ମିଳିଛି।