Latest Odisha News

BREAKING NEWS

ବିଶ୍ୱ ଏଡସ୍ ଦିବସ: ପ୍ରଥମଥର ପାଇଁ ଏଚ.ଆଇ.ଭି. ସିଫିଲିସ ଦ୍ୱୈତ ପରୀକ୍ଷଣ କିଟ ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ 

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି. ଓ ସିଫିଲିସ ଦ୍ୱୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଲୋକାର୍ପଣ କରିଛନ୍ତି ।

ବିଶ୍ୱ ଏଡସ୍ ଦିବସ ଅବସରରେ ଆଜି ଓସାକ୍ସ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଅନଲାଇନରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସଂପୃକ୍ତ କିଟ ସହ ଓସାକ୍ସର ଅର୍ଦ୍ଧବାର୍ଷିକ ନ୍ୟୁଜ ଲେଟରର ଉନ୍ମୋଚନ କିରଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ସୁଦ୍ଧା ୬ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିଲାବେଳେ ୨୦୧୯ ରେ ଏହା ୧୪ ଲକ୍ଷରେ ପହଂଚିଛି । ଅଧିକ ସଂକ୍ରମଣ ପ୍ରବଣ ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥା ତଥା ବ୍ୟବହାରିକ ପରିବର୍ତନ ଫଳରେ ଏଚ.ଆଇ.ଭି. ର ବ୍ୟାପକତା ୨୦୧୦ ଠାରୁ ହ୍ରାସ ଘଟି ୦.୩୧ ପ୍ରତିଶତରୁ ୨୦୧୯ ରେ ଏହା ୦.୧୪ ପ୍ରତିଶତରେ ପହଂଚିଛି ।

ରାଜ୍ୟରେ ୨୩୨ଟି ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ର ରହିଛି ଯେଉଁଠାରେ ବିନା ମୂଲ୍ୟରେ ପରାମର୍ଶ ଓ ରକ୍ତ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି । ଏତଦବ୍ୟତୀତ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪୫୯ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ରହିଛି । ୪୮ଟି ଲକ୍ଷ୍ୟଭେଦୀ ପ୍ରକଳ୍ପ, ୬ଟି ଲିଙ୍କ ୱାର୍କର ସ୍କିମ ଏବଂ ୧୧ଟି ଟ୍ରାନଜିଟ ପ୍ରୋଜେକ୍ଟ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ଏଚ.ଆଇ.ଭି ସଂପର୍କୀତ ସମସ୍ତ ପ୍ରକାର ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି ।

ଓଡ଼ିଶାରେ ଏଚ.ଆଇ.ଭି ର ପ୍ରଭାବ ଶତକଡା ୦.୧୪ ରହିଛି ଯାହା ଜାତୀୟ ହାର ଶତକଡା ୦.୨୨ ରୁ କମ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଏହି ଅବସରରେ ଓସାକଠାରେ ଦୁଇଟି ଆଇସି ପ୍ରଚାର ଭ୍ୟାନକୁ ସ୍ୱତନ୍ତ୍ର ସଚିବ ଡ. ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସାହୁ ଶୁଭାରମ୍ଭ କରିଥିଲାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଜିଠାରୁ ସଚେତନାଧର୍ମୀ ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି । ଯାହା ଆଗାମୀ ସାତ ଦିନ ଧରି ଏଚ.ଆଇ.ଭି. ଓ ଏଡସ୍ ସଚେତନତା କାର୍ଯ୍ୟ କରିବ ।

Leave A Reply

Your email address will not be published.