ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ପ୍ରତିବର୍ଷ ଜୁନ ୮ ତାରିଖ ଦିନ ପାଳନ କରାଯାଏ ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ଏକ ମାତ୍ର ଉଦ୍ଦେଶ୍ୟ। ବ୍ରେନ ଟ୍ୟୁମର ଏକ ଗୁରୁତର ରୋଗ। ବିଭିନ୍ନ କାରଣରୁ ଏହି ରୋଗ ହୋଇପାରେ। ନୂଆଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲର ଜଣେ ବରିଷ୍ଠ ପ୍ରଫେସର ଡକ୍ଟର କେ.ବି ଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଡିଜିଟାଲ୍ ସ୍କ୍ରିନ୍ ମସ୍ତିଷ୍କ ଏବଂ ଏହାର ସମ୍ବନ୍ଧୀୟ ବ୍ୟାଧି ସହିତ ସିଧାସଳଖ ଜଡିତ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଗାମୀ ୫-୧୦ ବର୍ଷ ମଧ୍ୟରେ ପ୍ରମାଣିତ ହେବ ଯେ ଅତ୍ୟଧିକ ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ ସ୍କ୍ରିନ ବ୍ୟବହାର ଦ୍ୱାରା ମସ୍ତିଷ୍କରେ ଟ୍ୟୁମର ମାମଲା ବୃଦ୍ଧି ପାଉଛି। ଏହା ବ୍ୟତୀତ ଚାପଗ୍ରସ୍ତ ଜୀବନଶୈଳୀ, ପ୍ରଦୂଷଣ ଏବଂ ଅନାବନା ଖାଦ୍ୟ-ପାନୀୟ ମଧ୍ୟ ମସ୍ତିଷ୍କ ଟ୍ୟୁମର ହେବାର କାରଣ ଅଟେ। ଅନ୍ୟପଟେ ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୧୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବ୍ରେନ ଟ୍ୟୁମର ମାମଲା। ଆସନ୍ତା ୨୦୨୫ ମଧ୍ୟରେ ୩୬,୨୫୮ ବ୍ରେନ ଟ୍ୟୁମର ମାମଲା ବୃଦ୍ଧି ଘଟିବ ବୋଲି ଆକଳନ କରାଯାଉଛି। ଆମେ ଯଦି ୨୦୨୦ ରିପୋର୍ଟକୁ ଲକ୍ଷ କରିବା ତେବେ ୩୨,୭୨୯ ମସ୍ତିଷ୍କ ଟ୍ୟୁମର ମାମଲା ସାମ୍ନାକୁ ଆସିଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ମସ୍ତିଷ୍କ ଟ୍ୟୁମରର ଶୀଘ୍ର ଚିହ୍ନଟ କରାଯାଇପାରିବ। ଯେଉଁ ସହରରେ ବିଶେଷ ଡାକ୍ତରଖାନା ନାହିଁ, ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଏପରି ମେସିନ୍ ରହିବା ଉଚିତ୍। ବର୍ତ୍ତମାନ, ଅଧିକାଂଶ ଏମଆରଆଇ ମେସିନ୍ AI ଆଧାରିତ। ଏହା ମସ୍ତିଷ୍କରେ ଥିବା ଟ୍ୟୁମରର ସଠିକ୍ ସ୍ଥାନ ସହିତ ଏହାର ଚାରିପାଖରେ ଥିବା କୋଷଗୁଡିକର ଗତିବିଧି ବିଷୟରେ କହିପାରେ।
ତେବେ ଆସନ୍ତୁ ଜାଣିବା ବ୍ରେନ ଟ୍ୟୁମରର ଲକ୍ଷଣ-
ଜଣେ ସାଧାରଣ ବ୍ୟକ୍ତିଙ୍କୁ ଲଗାତାର ମୁଣ୍ଡ ବ୍ୟଥା ହୁଏ ତେବେ ଏହାକୁ ନଜର ଅନ୍ଦାଜ କରିବା କଥା ନୁହେଁ। ଏପରି କ୍ଷେତ୍ରରେ ବ୍ୟକ୍ତିକୁ ମୁଣ୍ଡ ବ୍ୟଥା ଔଷଧ ନଖାଇ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ସେହିପରି ଅନ୍ୟ ଲକ୍ଷଣ ଗୁଡିକ ହେଉଛି- ଅତ୍ୟଧିକ ଥକ୍କାପଣ, ଦୃଷ୍ଟି ଶକ୍ତି କମିଯିବା, ବାରମ୍ବାର ବାନ୍ତି ହେବା, ମାଂସପେଶୀ ଯନ୍ତ୍ରଣା ହେବା, ଶୋଇବାରେ ସମସ୍ୟା ହେଲେ, ସ୍ମୃତି ଶକ୍ତି ହ୍ରାସ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
ନୂଆଦିଲ୍ଲୀ ସ୍ଥିତ ଜିବି ପନ୍ତ ସୁପର ସ୍ପେସିଆଲିଟି ହସ୍ପିଟାଲର ଡ. ଦଲଜିତ ସିଂ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ଟ୍ୟୁମରରେ ଅସ୍ତ୍ରୋପଚାର ଆବଶ୍ୟକ ନାହିଁ। ଯଦି ରୋଗୀର ଟ୍ୟୁମର ବହୁତ ଛୋଟ ଥାଏ, ତେବେ ପ୍ରଥମେ ଔଷଧ ଦିଆଯାଏ। ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରୋଗୀକୁ ଏହି ଔଷଧ ଦିଆଯାଏ। ଏହାପରେ ପୁନର୍ବାର ରୋଗୀର ଏମଆରଆଇ କରାଯାଇ ଟ୍ୟୁମର ଆକାରରେ କୌଣସି ପରିବର୍ତ୍ତନ ଅଛି ନା ନାହିଁ ତାହା ପରୀକ୍ଷା କରାଯାଏ। ଯଦି ଆକାର ପରିବର୍ତ୍ତନ ହୋଇନାହିଁ, ତେବେ ଅସ୍ତ୍ରୋପଚାରକୁ ମଧ୍ୟ ଏଡାଯାଇପାରିବ।
Comments are closed.