Latest Odisha News

BREAKING NEWS

ଆଜି ବିଶ୍ୱକପରେ ଭାରତ-ପାକିସ୍ତାନ ଯୁଦ୍ଧ: ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ…

ଭୁବନେଶ୍ୱର: ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନକୁ ଆଜି ମାଞ୍ଚେଷ୍ଟରଠାରେ ୭ମ ଥର ଲାଗି ଭେଟୁଛି । ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ସବୁଠାରୁ ଖୁସିର କଥା ହେଲା ଭାରତ ଏହି ସମସ୍ତ ୬ଟି ଯାକ ମ୍ୟାଚରେ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ପାରିଛି । ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଥିବା ଯୋଗୁଁ ଆଜି ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲୀ ବେଶ୍ ଆଶାବାଦୀ ଅଛନ୍ତି । ତେବେ ପାକିସ୍ତାନ ଭାରତ ବିରୁଦ୍ଧରେ ଯେକୌଣସି ଫର୍ମାଟରେ ମ୍ୟାଚ ଖେଳିଲା ବେଳେ ସମସ୍ତ ଶକ୍ତି ଖଟାଇ ଖେଳିଥାଏ । ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେଉଥିବା ସମସ୍ତ ମ୍ୟାଚକୁ ଉପଭୋଗ କରିବା ଲାଗି ବିଶ୍ୱର ସର୍ବାଧିକ ଦର୍ଶକ ଦେଖୁଥିବାର ଏକ ରିପୋର୍ଟ ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ୧୯୯୨ ବିଶ୍ୱକପ ପାକିସ୍ତାନ ଚମ୍ପିଆନ ହୋଇଥିଲା । ମାତ୍ର ଏହି ବିଶ୍ୱକପର ଏକ ମ୍ୟାଚରେ ଭାରତ ପାକିସ୍ତାନକୁ ୪୩ରେ ପରାସ୍ତ କରିପାରିଥିଲା । ଏହା ଥିଲା ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା । ସେହିପରି ୧୯୯୬ ବିଶ୍ୱକପର ବେଙ୍ଗାଲୁରୁଠାରେ ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ଦଳ ଭାରତଠାରୁ ୩୯ ରନରେ ପରାସ୍ତ ହୋଇଛି । ୧୯୯୯ ବିଶ୍ୱକପ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚରେ ଭାରତ ୪୬ ରନ ବ୍ୟବଧାନରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା । ୨୦୦୩ ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ର୍ଥଥର ଲାଗି ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରି ୪-୦ ବିଶ୍ୱକପ ମୁକାବିଲା ଅଗ୍ରଣୀ ଲାଭ କରିପାରିଥିଲା । ୨୦୧୧ ବିଶ୍ୱକପ ହାସଲ କରିଥିଲା ଭାରତ ।ମୋହାଲୀଠାରେ ଭାରତ ୫ମଥର ଲାଗି ପାକିସ୍ତାନକୁ ଭେଟିଥିଲା । ଏହି ରୋମାଞ୍ଚକର ମ୍ୟାଚଟିକୁ ଭାରତ ୨୯ରନରେ ବିଜୟୀ ହୋଇ ସମସ୍ତ ଭାରତୀୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ । ୨୦୧୫ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିଲା ବିଶ୍ୱକପ । ଆଡ଼ିଲେଡ଼ ଠାରେ ଅନୁଷ୍ଠିତ ଭାରତ-ପାକିସ୍ତାନ ୬ଷ୍ଠ ମୁକାବିଲାରେ ଭାରତ ପାକିସ୍ତାନକୁ ୭୬ ରନରେ ପରାସ୍ତ କରି ବିଶ୍ୱକପ ବିଜୟ ଲାଭକୁ ବଜାୟ ରଖିପାରିଥିଲା ।

ବିଶ୍ୱର ଦୁଇଟି ଶ୍ରେଷ୍ଠ ପ୍ରତିଦ୍ୱନ୍ଦୀ ଦଳ ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୧୩୧ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି । ତେବେ ଭାରତ ୫୪ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନ ୭୩ଟି ମ୍ୟାଚରେ ବିଜୟ ହାସଲ କରିପାରିଛି । ଏଥିମଧ୍ୟରୁ ୪ଟି ମ୍ୟାଚ ଅମିମାଂସିତ ବା କୌଣସି କାରଣରୁ ଫଳାଫଳ ଘୋଷିତ ହୋଇପାରିନାହିଁ ବା ଖେଳ ବାତିଲ୍ ହୋଇଛି ।

ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଭାରତକୁ ପରାସ୍ତ କରିବାର ଆଶା ଆଶାରେ ହିଁ ରହିଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସମସ୍ତ ୬ଟି ମ୍ୟାଚରେ ଭାରତ ବିଜୟ ହାସଲ କରି ଏକ ରେକର୍ଡ଼ କରିଛି । ପାକିସ୍ତାନୀ ଦର୍ଶକମାନେ ବିଶ୍ୱକପରେ ଭାରତକୁ ପରାସ୍ତ କରିବାକୁ ଅନେକ ଦିନ ହେଲା ସ୍ୱପ୍ନ ଦେଖିଆସୁଛନ୍ତି, ମାତ୍ର ପାକିସ୍ତାନୀ ଖେଳାଳି ସବୁଥର ମ୍ୟାଚ ହାରିଯିବା ଫଳରେ ପାକିସ୍ତାନୀଙ୍କ ସ୍ୱପ୍ନ ସେହି ସ୍ୱପ୍ନ ହୋଇ ରହିଯାଉଛି ।

ଆଜି ପାକିସ୍ତାନ ନିଜର ସମସ୍ତ ଶକ୍ତି ଖଟାଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ମ୍ୟାଚ ଅନୁଷ୍ଠିତ ହେବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନ କପ୍ତାନ ସର୍ଫରାଜ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି, ଆମେ ଭାରତ ବିରୁଦ୍ଧରେ ଜୀବନ ଦେଇ ଖେଳିବୁ । ସମସ୍ତ ପାକିସ୍ତାନୀ ଦର୍ଶକଙ୍କ ଭରସା ଆମ ଦଳ ଉପରେ ରହିଛି ଏବଂ ଆମେ ମ୍ୟାଚ ଜିତିବୁ ବୋଲି ସର୍ଫରାଜ କହିଛନ୍ତି ।

ଭାରତୀୟ ଦଳର ସଫଳ ଅଧିନାୟକ ବିରାଟ କୋହଲୀ କହିଛନ୍ତି, ଆମେ ବିଶ୍ୱକପରେ ପାକିସ୍ତାନ ବିରୋଧରେ ଭଲ ପ୍ରଦର୍ଶନ କରି ଅପରାଜେୟ ରହିଛୁ । ବିଶ୍ୱର ଯେକୌଣସି ଶକ୍ତିଶାଳୀ ଦଳକୁ ପରାସ୍ତ କରିବାର କ୍ଷମତା ଆମ ଦଳର ରହିଛି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସାମି, ବିଜୟ ଶଙ୍କର ଓ ଦିନେଶ କାର୍ତ୍ତିକ ।

ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକ୍କର୍ ଜମାନ, ଇମାମ-ଉଲ-ହକ, ବାବର ଆଜମ, ହାସନ ଅଲ୍ଲୀ, ମହମ୍ମଦ ହାଫିଜ, ସାହିନ ଆଫ୍ରିଦି, ୱାହାବ ରିଆଜ, ମହମମଦ ଆମିର, ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ ଏବଂ ଇମଦ ୱାସିମ ।

ଏଠାରେ ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗତ ୫ଟି ମ୍ୟାଚରେ ଭାରତ ସମସ୍ତ ୫ଟି ମ୍ୟାଚରେ ବିଜୟ ହାସଲ କରିପାରିଛି ।

Leave A Reply

Your email address will not be published.