Latest Odisha News

BREAKING NEWS

ପଏଣ୍ଟ ଶୀର୍ଷରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡକୁ ୯ରେ ଭେଟିବ ସେମିଫାଇନାଲରେ

ଲଣ୍ଡନ: ବିଶ୍ୱକପର ଅନ୍ତିମ ଲିଗମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିପାରିଛି ଭାରତ । ଭାରତ କଙ୍ଗାରୁ ଦଳକୁ ପଛରେ ପକାଇ ସମୁଦାୟ ୯ଟି ମ୍ୟାଚରେ ସର୍ବାଧିକ ୭ଟି ବିଜୟ, ଗୋଟିଏ ପରାଜୟ ସହିତ ମୋଟ ୧୫ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲିଆ ୯ଟି ମ୍ୟାଚରୁ ୭ଟି ବିଜୟ ଓ ୨ଟି ପରାଜୟ ସହିତ ଭାରତ ପଛକୁ ୧୪ ପଏଣ୍ଟ ପାଇ ୨ୟସ୍ଥାନରେ ଅଟକିଛି । ଇଂଲଣ୍ଡ ୧୨ ପଏ ସହିତ ୧୨ ପଏଣ୍ଟ ଏବଂ ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ସହିତ ୪ର୍ଥ ପଏଣ୍ଟ ହାସଲ କରିଛି ।

ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ଖେଳ ପ୍ରଦର୍ଶନ କରି ଶକ୍ତିଶାଳୀ ଭାରତୀୟ ଦଳ ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ସହିତ ଭାରତ ସାମ୍ନାରେ ୨୬୫ ରନର ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା ।

ରୋହିତ ଶର୍ମା ଶନିବାର ଦିନ ଅନୁଷ୍ଠିତ ମ୍ୟାଚରେ ଚଳିତ ବିଶ୍ୱକପରେ ୫ମ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ ୯୪ଟି ବଲରୁ ଧୁଆଁଧାର ୧୦୩ ରନ ସଂଗ୍ରହ କରି ବିରଳ ରେକର୍ଡ଼ ହାସଲ କରିପାରିଛନ୍ତି । ସେହିପରି ଶିଖର ଧାୱନଙ୍କ ବଦଳରେ ବ୍ୟାଟିଂ ଓପନ କରୁଥିବା କେ ଏଲ୍ ରାହୁଲ ପ୍ରଶଂସନୀୟ ବ୍ୟାଟି ପ୍ରଦର୍ଶନ କରି ୧୧୧ ରନର ଶତକ ହାସଲ କରିଛନ୍ତି ।

ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କପ୍ତାନ ବିରାଟ କୋହଲୀ ୩୪ ରନ ସଂଗ୍ରହ କରିଥିଲେ । ଭାରତ ୪୩.୩ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୨୬୫ ରନର ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା ।

ଦୁର୍ଦ୍ଧଶ ଓପନର୍ ତଥା ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କର ଧୁଆଁଧାର ଶତକ ଲାଗି ‘ପ୍ଲେୟାର୍ ଅଫ ଦି ମ୍ୟାଚ୍’ ଘୋଷିତ କରାଯାଇଛି ।

ଅନ୍ୟପକ୍ଷରେ ବିଶ୍ୱକପ୍ ଦାବିଦାର ଅଷ୍ଟ୍ରେଲିଆକୁ ଟୁର୍ଣ୍ଣାମେଣ୍ଟର ଡାକହର୍ଷ ଦକ୍ଷିଣ ଆଫ୍ରିକା ୧୦ ରନରେ ପରାସ୍ତ କରିଛି । ଏହି ପରାଜୟ ଫଳରେ ଅଷ୍ଟ୍ରେଲିଆ ଦଳ ପଏଣ୍ଟ ତାଲିକାର ୨ୟ ସ୍ଥାନକୁ ଖସିଆସିଛି ।

ଲିଗ୍ ମ୍ୟାଚ ସମ୍ପୂର୍ଣ୍ଣ ହେବାପରେ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ସ୍ଥାନ ହାସଲ କରିଛି । ପ୍ରଥମସ୍ଥାନ ହାସଲ କରିଥିବା ଭାରତ ୪ର୍ଥ ସ୍ଥାନ ହାସଲ କରିଥିବା ନ୍ୟୁଜିଲାଣ୍ଡକୁ ଆସନ୍ତା ୯ ତାରିଖରେ ବିଶ୍ୱକପର ୧ମ ସେମିଫାଇନାଲରେ ଭେଟିବାକୁ ଯାଉଛି । ସେହିପରି ୨ୟ ସ୍ଥାନ ହାସଲ କରିଥିବା ଅଷ୍ଟ୍ରେଲିଆ ଟିମ୍ ୩ୟ ସ୍ଥାନ ହାସଲ କରିଥିବା ଆୟୋଜକ ଇଂଲଣ୍ଡ ଦଳକୁ ୧୧ ତାରିଖରେ ଭେଟିବ ।

Leave A Reply

Your email address will not be published.