Latest Odisha News

ବିଶ୍ବ ପର୍ଯ୍ୟଟନ ଦିବସ: ଜାଣନ୍ତୁ କାହିଁକି ସେପ୍ଟେମ୍ବର ୨୭ରେ ପାଳିତ ହୁଏ?

ଭୁବନେଶ୍ଵର: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ସମଗ୍ର ବିଶ୍ୱରେ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାରରେ ପର୍ଯ୍ୟଟନର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମିଳିତ ଜାତିସଙ୍ଘର ସଂଗଠନ ଦ୍ବାରା ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜନ ପ୍ରତିବର୍ଷ କରାଯାଇଥାଏ । ଦୁନିଆରେ ଏପରି ଅନେକ ସୁନ୍ଦର ଏବଂ ରହସ୍ୟମୟ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହା ଆପଣମାନେ ନିଶ୍ଚୟ ଦେଖିବା କଥା । ତେବେ ଓଡ଼ିଶା ମଧ୍ୟ ପର୍ଯ୍ୟଟନ ପାଇଁ ବେଶ ଲୋକପ୍ରିୟ । ଦୁର ଦୁରାନ୍ତ ଦେଶ ବିଦେଶରୁ ଅନେକ ଯାତ୍ରୀ ଓଡ଼ିଶାର ସୌନ୍ଦର୍ଯ୍ୟ, ପରମ୍ପରା, ଐତିହ୍ୟ ଏବଂ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହୋଇଥାଆନ୍ତି । ଯେପରିକି ପୁରୀ ଶ୍ରୀମନ୍ଦିର, ମନ୍ଦିର ମାଳିନୀ ଭୁବନେଶ୍ୱର, କୋଣାର୍କ, କଟକ ବାରବାଟୀ, ଚାନ୍ଦିପୁର ବେଳାଭୂମି, ଚିଲିକା ହ୍ରଦ ଇତ୍ୟାଦି ।

ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ଲାଗି ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ, ଝରଣା, ନଦୀ, ସମୁଦ୍ରତଟରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡୁଛନ୍ତି। ଫଳରେ ରାଜ୍ୟରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍‍) ଅଧିକରୁ ଅଧିକ ସମୃଦ୍ଧ ହୋଇଛି। ଲୋକଙ୍କ ଆଗ୍ରହ ଓ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିବେଶ ପର୍ଯ୍ୟଟନସ୍ଥଳର ବିକାଶକୁ ଅଗ୍ରାଧିକାର ଦେଇଛନ୍ତି।

୧୯୮୦ ମସିହା ପରଠାରୁ, ମିଳିତ ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନର(UNWTO) ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ବା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଭାବେ ପାଳନ କରାଯାଉଛି । ଏହି ଦିନର ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ପର୍ଯ୍ୟଟନର ଭୂମିକା ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏହା କିପରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧକୁ ପ୍ରଭାବିତ କରେ ତାହା ପ୍ରଦର୍ଶନ କରିବା |

ପର୍ଯ୍ୟଟନ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଥାଏ । ଯେକୌଣସି ଦେଶର ସାଂସ୍କୃତିକ ଐତିହ୍ୟ ମଧ୍ୟ ପର୍ଯ୍ୟଟନ ଦ୍ୱାରା ଉତ୍ସାହିତ ହୋଇଥାଏ । ପର୍ଯ୍ୟଟନ ସହିତ ଜଡ଼ିତ ଥିବା ଲୋକଙ୍କ ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ପର୍ଯ୍ୟଟନ ଏବଂ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶ୍ୱ ପର୍ଯ୍ୟଟନ ଦିବସ ୧୯୭୦ରେ ବିଶ୍ୱ ପର୍ଯ୍ୟଟନ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିଲା । ୨୭ ସେପ୍ଟେମ୍ବର ୧୯୮୦ରେ ପ୍ରଥମ ଥର ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥିଲା ।

Leave A Reply

Your email address will not be published.