ରାଜସ୍ଥାନ: ଦୁନିଆର ସବୁଠୁ ବଡ ରୁଟି । ଯାହାକୁ ୧୧ କୁଇଣ୍ଟାଲ ଅଟାରେ ପ୍ରସ୍ତୁତ କରାଯାଇଛି, ଯାହାର ଓଜନ ରହିଛି ୨୭୦୦ କେଜି । ଏବେ ଏହି ରୁଟି ଗିନିଜ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।
ରାଜସ୍ଥାନର ସାଲୋର ଜିଲ୍ଲାରେ ରହିଛି ସିଦ୍ଧ ପୀଠ ଦେବପୁରା ବାଲାଜୀ ମନ୍ଦିର । ଏହି ମନ୍ଦିର ଏବେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହି ମନ୍ଦିରରେ ବାଲାଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି । ଶନିବାର ଏହି ମନ୍ଦିରରେ ବାଲାଜୀ ମହାରାଜଙ୍କୁ ୨୭୦୦ କିଲୋ ଓଜନର ରୁଟି ଅର୍ପଣ କରାଯାଇଛି । ଯେଉଁଥିରେ ୧୧.୨୫ କୁଇଣ୍ଟାଲ ଅଟା, ଡ଼୍ରାଏ ଫୁଡ଼,ସୁଜି ଓ ଦେଶୀ ଘିଅ ବ୍ୟବହାର କରାଯାଇଛି । ଏହାକୁ ପ୍ରସ୍ତୁତ କରିବାକୁ ୧୮ ରୁ ୨୦ ଘଣ୍ଟା ସମୟ ଲାଗିଥିଲା । ରାଜସ୍ଥାନର ପ୍ରସିଦ୍ଧ ସେଣ୍ଟ ରାମଦାସ ଜୀ ମହାରାଜ ପୁନାସା ୱାଲେ ବାପ ଜୀଙ୍କ ତତ୍ତ୍ୱ୍ୱାବଧାନରେ ଏହି ରୁଟି ପ୍ରସ୍ତୁତ କରାଯାଇଛି ।
ମନ୍ଦିର ପୁରୋହିତ କହିଛନ୍ତି ଯେ, ଏହି ରୁଟି ୧୧ ଫୁଟ ଲମ୍ବ ହୋଇଥିବା ବେଳେ ଓଜନ ୨୭୦୦ କିଲୋ । ଏହା ହେଉଛି ଦୁନିଆର ସବୁଠୁ ବଡ ରୁଟି । ତେଣୁ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ଏହାପୂର୍ବରୁ ସୁରଟରେ ୧୨୭ କିଲୋଗ୍ରାମ ରୁଟି ତିଆରି କରାଯାଇଥିଲା । ଏବେ ଦେବପୁରା ବାଲାଜୀଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।
ଏହି ରୁଟିକୁ ଦେଖିବାକୁ ମନ୍ଦିର ପରିସରରେ ଶହ ଶହ ଭକ୍ତଙ୍କ ଭିଡ଼ ଜମିଛି । ରୁଟି ପାଇଁ ତିଆରି ହୋଇଥିବା ଚୁଲିରେ କାରିଗରମାନେ ଜାଳେଣି ଭାବେ ଗୋବର ତିଆରି ଘସି ବ୍ୟବହାର କରିଛନ୍ତି । ଗତକାଲି ରାତିରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । ଶନିବାର ସକାଳେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ପରେ ବାଲାଜୀ ମହାରାଜଙ୍କୁ ଶିଶୁ ଭୋଗ ଆକାରରେ ଭୋଗ ଦିଆଯାଇଛି । ଭୋଗ ଲାଗି ପରେ ଏହାକୁ ବଣ୍ଟନ କରାଯାଇଛି । ରୁଟି ପ୍ରସ୍ତୁତି ଠାରୁ ଆରମ୍ଭ କରି ଭୋଗ, ଅଖଣ୍ଡ କୀତ୍ତନ, ରାମଧୁନ ସଂକୀର୍ତ୍ତନ କରାଯାଇଥିଲା ।
Comments are closed.