Latest Odisha News

BREAKING NEWS

ଟ୍ରେନ୍ ଭିତରେ କୁସ୍ତି , ଉପଭୋଗ କଲେ ଯାତ୍ରୀ

ଜାପାନ: ଟ୍ରେନ୍ ଭିତରେ କୁସ୍ତି । ଦୁଇ ପେସାଦାର କୁସ୍ତି ଯୋଦ୍ଧାଙ୍କ କଳାକୌଶଳ ଉପଭୋଗ କରିଛନ୍ତି ଯାତ୍ରୀ । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଜାପାନର ଟୋକିଓରୁ ନାଗୋୟା ଯାଉଥିବା ସିଂକାଂସେନ୍ ବୁଲେଟ୍ ଟ୍ରେନ୍‌ର ଏକ ବଗି ଭିତରେ ଦୁଇ ଜଣ ପେସାଦାର କୁସ୍ତିଯୋଦ୍ଧା ମିନୋରୋ ସୁଜୁକି ଓ ସାଂସିରୋ ତାକିଗୋ କୁସ୍ତି ପ୍ରଦର୍ଶନ କରିଛନ୍ତି, ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । ବଗିରେ ଥିବା ମୋଟ ୭୫ ଜଣ ଯାତ୍ରୀଙ୍କ ସମ୍ମୁଖରେ ଏହି ଦୁଇ ଯୋଦ୍ଧା ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖି ଯାତ୍ରୀମାନେ ଖୁବ୍ ଉପଭୋଗ କରିଥିଲେ । ଏଥିସହିତ ଯାତ୍ରୀମାନେ ନିଜ ନିଜ ଫୋନ୍ ବା କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିଥିଲେ ।

ଟୋକିଓ ସ୍ଥିତ ଡିଡିଟି-ପ୍ରୋ ରେସଲିଂ ସଂଗଠନ ଦ୍ୱାରା ଆୟୋଜିତ ଏହି ପ୍ରତିଦ୍ୱନ୍ଦ୍ୱିତାର ଟିକେଟ୍ ୩୦ ମିନିଟ୍ ଭିତରେ ବିକ୍ରି ହୋଇଯାଇଥିଲା । ଯାତ୍ରୀମାନଙ୍କୁ ମୁଗ୍ଧ କରିବା ପାଇଁ କୁସ୍ତିଯୋଦ୍ଧା ମିନୋରୋ ଓ ସାଂସିରୋ ମଧ୍ୟରେ ହୋଇଥଲା ଏହି ପ୍ରତିଯୋଗିତା । ଏଥିରେ ଉଭୟ କୁସ୍ତି କଳା ପ୍ରଦର୍ଶନ କରିଥିଲେ । ଦୀର୍ଘ ଅଧ ଘଣ୍ଟା ଧରି ଚାଲିଥିବା ଏହି ପ୍ରତଯୋଗିତାରେ ସୁଜୁକି ବିଜେତା ଘୋଷିତ ହୋଇଥିଲେ । ଏହି କୁସ୍ତି ପ୍ରତିଯୋଗିତାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ପେସାଦାର କୁସ୍ତି ଲଢ଼େଇ ଜାପାନର ଅନ୍ୟତମ ଲୋକପ୍ରିୟ କ୍ରୀଡ଼ାର ମାନ୍ୟତା ବହନ କରେ । ସେହିପରି ସେଠାକାର ବିଶେଷ କରି ସୁମୋ ଯୋଦ୍ଧାଙ୍କ ମଧ୍ୟରେ କୁସ୍ତି ଲଢ଼େଇ ଦେଖିବା ଲାଗି ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଥାଏ । ଡିଡିଟି-ପ୍ରୋ ରେସଲିଂ ସଂଗଠନ ଟ୍ରେନ୍ ବଗି ସମେତ ପୁସ୍ତକ ଭଣ୍ଡାର, ଶିବିରସ୍ଥଳ ଭଳି ଅସ୍ୱାଭାବିକ ସ୍ଥାନମାନଙ୍କରେ କୁସ୍ତି ଲଢ଼େଇ ଆୟୋଜନ କରି ଆସୁଛି । ଗତ ମାସରେ ଏକ ରେସ୍ତୋରାଁରେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ଦୁଇ ସୁମୋ ଯୋଦ୍ଧାଙ୍କ ମଧ୍ୟରେ ଲଢ଼େଇ ଅନୁଷ୍ଠିତ ହୋଇଥିଲା ।

Comments are closed.