Latest Odisha News

ଅବସର ଘୋଷଣା କଲେ ରିଦ୍ଧିମାନ ଶାହ

କୋଲକାତା: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଚଳିତ ରଣଜୀ ସିଜନ ପରେ ସେ କ୍ରିକେଟକୁ ଅଲବିଦା କହିବେ । ୪୦ ବର୍ଷୀୟ ରିଦ୍ଧିମାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଖେଳିଛନ୍ତି । ସେ ୩ଶତକ ସହ ୧୩୫୩ ରନ ସଂଗ୍ରହ କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ଶାହଙ୍କ ଉପରେ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ଭରୋଷା ରଖିଥିଲା । ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ରାହୁଲ ଡ୍ରାଭିଡ କୋଚ ଏବଂ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ଶାହ ବଦଳରେ କେଏସ ଭରତ ଏବଂ ରିଷଭ ପନ୍ତଙ୍କୁ ଗୁରୁତ୍ୱ ଦିଆ ଯାଇଥିଲା । ଶାହଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା ।

ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଯେଉଁମାନେ ମୋ କ୍ରିକେଟ କ୍ୟାରିୟର ନେଇ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେମାନଙ୍କୁ କେବେ ହେଲେ ଭୁଲି ପାରିବି ନାହିଁ ବୋଲି ଏହି ୱିକେଟକିପର ଜଣଙ୍କ କହିଛନ୍ତି । ଆଇପିଏଲରେ ଗୁଜରାଟ ଟାଇଟାନ୍ସ ତାଙ୍କୁ ରିଟେନ କରିନାହିଁ । ଶାହ ମଧ୍ୟ ମେଗା ଅକ୍ସନ ପାଇଁ ମଧ୍ୟ ଆବେଦନ କରି ନାହାନ୍ତି । ସେ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ପକ୍ଷରୁ ଖେଳିଛନ୍ତି ।

Comments are closed.