ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏବେ କଡ଼ା ନଜର ରଖିଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)। ଅଗଷ୍ଟ ୧୦ରୁ ୧୩ ତାରିଖ ମଧ୍ୟରେ ମାତ୍ର ୪ ଦିନ ଭିତରେ ସାରା ରାଜ୍ୟରେ ମୋଟ ୩୬,୬୦୩ଟି ଇ-ଚାଲାଣ କଟାଯାଇଥିବା ବେଳେ ଏଥିରୁ ୧୫୧ଟି ଚାଲାଣ କେବଳ ‘ରଙ୍ଗ୍ ସାଇଡ୍’ ବା ଭୁଲ ଦିଗରେ ଗାଡ଼ି ଚାଳନା ପାଇଁ କଟାଯାଇଛି।
ରଙ୍ଗ୍ ସାଇଡ୍ ଡ୍ରାଇଭିଂ ପାଇଁ ଇ-ଚାଲାଣ ସଂଖ୍ୟା ତୁଳନାତ୍ମକ ଭାବେ କମ୍ ଥିଲେ ମଧ୍ୟ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ୨୦୨୬ ମସିହାର ତଥ୍ୟ ଅନୁଯାୟୀ, କେବଳ ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବା କାରଣରୁ ରାଜ୍ୟରେ ୧,୧୦୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୭୦ ଜଣ ନିରୀହ ଲୋକଙ୍କର ଅକାଳ ବିୟୋଗ ଘଟିଛି।
ସଡ଼କ ସୁରକ୍ଷା ଅଭିଯାନ ସହ ଜଡ଼ିତ ଓଡ଼ିଶା କଲିଂ ଫାଉଣ୍ଡେସନ୍ (ଓସିଏଫ୍)ର ସଦସ୍ୟ ଦେବବ୍ରତ ନାୟକଙ୍କ ମତରେ, ବିନା ହେଲମେଟରେ ଗାଡ଼ି ଚଳାଇଲେ ଜଣେ ବ୍ୟକ୍ତି କେବଳ ନିଜ ଜୀବନକୁ ବିପଦରେ ପକାଏ। କିନ୍ତୁ ଜଣେ ରଙ୍ଗ୍ ରୁଟ୍ ଚାଳକ ରାସ୍ତାରେ ଯାଉଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି କରେ ।
ତେଣୁ ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ, ଅର୍ବାନ ପ୍ଲାନର୍ ପୀୟୂଷ ରାଉତ ଏବଂ ବାଇକ୍ ଚାଳକ ସୁବ୍ରତ ଓଝା ମଧ୍ୟ ନିଜର ତିକ୍ତ ଅନୁଭୂତି ବାଣ୍ଟିବା ସହ କହିଛନ୍ତି ଯେ ସିଙ୍ଗଲ୍ ଲେନ୍ ରାସ୍ତାରେ ବିପରୀତ ଦିଗରୁ ଗାଡ଼ି ଆସିଲେ ଦୁର୍ଘଟଣାର ଆଶଙ୍କା ବଢିଯାଏ । ଏହି ପ୍ରସଙ୍ଗରେ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ଦୀପ୍ତିରଞ୍ଜନ ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ନିୟମକୁ କଡ଼ାକଡ଼ି ପାଳନ କରିବା ଏବଂ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ବିନା ପାତରଅନ୍ତରରେ ଚାଲାଣ କଟାଯାଉଛି।
ପରିସଂଖ୍ୟାନ ଉପରେ ନଜର ପକାଇଲେ, ଏହି ୪ ଦିନରେ ସର୍ବାଧିକ ୧୭,୨୮୦ଟି ଚାଲାଣ କେବଳ ହେଲମେଟ୍ ନିୟମ ଉଲ୍ଲଂଘନ ପାଇଁ କଟାଯାଇଛି (ଯେଉଁଥିରେ ଉଭୟ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ସାମିଲ ଅଛନ୍ତି)। ସେହିପରି ଅତିରିକ୍ତ ବେଗରେ ଗାଡ଼ି ଚଳାଇବା ପାଇଁ ୪,୭୯୯ ଜଣଙ୍କୁ ଏବଂ ଟ୍ରିପଲ୍ ରାଇଡିଂ ବା ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କରିବା ଅଭିଯୋଗରେ ୯୦୬ଟି ଇ-ଚାଲାଣ କାଟିଛି ପରିବହନ ବିଭାଗ ।
