ଆଖି ପିଛୁଳାକେ ୨୦୨୪ ହାତମୁଠାରୁ ଖସି ଯାଉଛି । ହାତଗଣତି ଦିନକ ପରେ ୨୦୨୫ ନୂଆ ଉନ୍ମାଦନା ନେଇ ପଂହଚିବ । ୨୦୨୪ରେ ଭାରତୀୟ କ୍ରୀଡା ପାଇଁ ଏକ ଭଲ ବର୍ଷ ଥିଲା କହିଲେ ଭୁଲ ହେବନି । ଟି୨୦ବିଶ୍ୱକପ, ଅଲିମ୍ପିକ ଓ ବିଶ୍ୱକପ ଚେସ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଆୟୋଜିତ ହୋଇଛି । ଆଉ ଆମ ଆଥଲେଟଙ୍କ ପ୍ରଦର୍ଶନ ଭାରତକୁ ଗୌରବାନ୍ୱିତ କରିଛି ।
ଟି୨୦ ବିଶ୍ୱକପ: ୧୩ ବର୍ଷ ପରେ ଭାରତ ପୂନର୍ବାର ବିଶ୍ୱକପ ଜିତି ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛି । ଗତ ବର୍ଷ ଦିିନିକିଆ ବିଶ୍ୱକପ ପରାଜୟ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା । ଦକ୍ଷିଣ ଆଫ୍ରିକା ଭଲ ବ୍ୟାଟିଂ ପ୍ରଦର୍ଶନ ଭାରତ ହାତରୁ କପକୁ ଖସେଇ ନେଉଥିଲା । ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ବୋଲିଂ ପ୍ରଦର୍ଶନ ସହ ସୂର୍ଯ୍ୟକୁମାର ଯାଦବଙ୍କ ସ୍ମରଣୀୟ କ୍ୟାଚ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଭାରତର ଏହା ଦ୍ୱିତୀୟ ଟି୨୦ ବିଶ୍ୱକପ ଟାଇଟଲ ଥିଲା ।
ଗୁକେଶ ବିଶ୍ୱ ଚାମ୍ପିୟନ: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଡି.ଗୁକେଶ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି । ଫାଇନାଲରେ ସେ ଚୀନର ଡିଙ୍ଗ ଲିରେନଙ୍କୁ ହରାଇଥିଲେ । ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଏହି ଟାଇଟଲ ହାସଲ କରିଛନ୍ତି ।
ଅଲିମ୍ପିକ୍ସରେ ମନୁଙ୍କ କାରନାମା: ପ୍ୟାରିସ ଅଲିମ୍ପିକ୍ସ ଗେମ୍ସରେ ଭାରତୀୟ ଆଥଲେଟ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସହ ଓଭରାଲ ୬ ପଦକ ଜିତିଥିଲେ । ଶୁଟର ମନୁ ଭାକର ୨ଟି ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଏହି ସଫଳତା ହାସଲ କରିଥିଲେ । ୧୦ ମିଟର ଏୟାର ପିସ୍ତଲ ମହିଳା ବିଭାଗ ଏବଂ ମିକ୍ସଡ ଇଭେଂଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ମନୁ ଭାକର, ନୀରଜ ଚୋପ୍ରା, ଅମନ ସେହାରୱତ, ଲକ୍ଷ୍ୟ ସେନ ଓ ଭିନେଶ ଫୋଗଟ ଭାରତ ପାଇଁ ପଦକ ଜିତିଥିଲେ । ଭାରତୀୟ ହକି ଟିମ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଥିଲା ।
ନୀରଜଙ୍କୁ ରୌପ୍ୟ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପ୍ୟାରିସ ଗେମ୍ସରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ହାସଲରୁ ବଂଚିତ ହୋଇଥିଲେ । ଗତ ସଂସ୍କରଣରେ ସେ ସ୍ୱଣ୍ଣ ର୍ ପଦକ ଜିତିଥିଲେ । ନୀରଜ ଏଥର କିନ୍ତୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ । ସୁଶୀଲ କୁମାର, ପିଭି ସିନ୍ଧୁଙ୍କ ପରେ ଭାରତ ପକ୍ଷରୁ କ୍ରମାଗତ ୨ଟି ଅଲିମ୍ପିକ୍ସରେ ପଦକ ଜିିତିବା ଗୌରବ ଅର୍ଜନ କରିଛନ୍ତି ।
ଚେସ ଅଲିମ୍ପିଆଡରେ ୨ ସ୍ୱର୍ଣ୍ଣ: ଚେସ ଅଲିମ୍ପିଆଡ ୨୦୨୪ରେ ଭାରତ ୨ଟି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ହଙ୍ଗେରୀରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ଡି.ଗୁକେଶ, ରମେଶବାବୁ ପ୍ରଜ୍ଞାନନନ୍ଦ ଓ ଅର୍ଜୁନ ଇରିଗେଇସିଙ୍କୁ ନେଇ ଗଠିତ ପୁରୁଷ ଟିମ ଏବଂ ହାରିକା ଡ୍ରୋନାଭଲ୍ଲୀ, ବୈଶାଳୀ ରମେଶବାବୁ, ଦିବ୍ୟା ଦେଶମୁଖ ଓ ଭନ୍ତିକା ଅଗ୍ରୱାଲ ମହିଳା ଟିମ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
୪୩ ବର୍ଷରେ ରୋହନ ରଚିଲେ ଇତିହାସ: ଭାରତର ସିନିୟର ଟେନିସ ଖେଳାଳି ରୋହନ ବୋପାନ୍ନା ୪୩ ବର୍ଷ ବୟସରେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସରେ ସେ ମାଥ୍ୟୁ ଏବଡେନଙ୍କୁ ସାଥୀ ଟାଇଟଲ ଜିିତିଥିଲେ । ସେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି ।