ମୟୂରଭଞ୍ଜ: ପିଠିରେ ଗଳି ରହିଛି ଗଛ ଡାଳ । ଅସହ୍ୟ ଯନ୍ତ୍ରଣା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପହଁଚିଲେ ଯୁବକ । ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡ଼ି ଗ୍ରାମରେ ।
ସୁବାସ ମାରାଣ୍ଡି ଏବଂ ତାଙ୍କ ସାଥୀ କୁଅଁର ସୋରେନ ଗ୍ରାମରେ ଥିବା ଏକ ଗଛ ଉପରେ ବସାବାନ୍ଧି ଥିବା ଚଢେଇ ଧରିବାକୁ ଯାଇଥିଲେ । ଚଢେଇ ଧରିବା ନିମନ୍ତେ ଉଭୟ ଗଛ ଉପରକୁ ଉଠିଥିଲେ, ହେଲେ ହଠାତ ଗଛ ଡାଳ ଭାଙ୍ଗିବାରୁ ଉଭୟ ତଳେ ପଡିଯାଇଥିଲେ । ତଳେ ପଡିବା ସମୟରେ ସୁବାସଙ୍କ ପିଠିରେ ଗଛର ଅନ୍ୟ ଏକ ଡ଼ାଳ ପଶି ଯାଇଥିଲା ଯାହାକି ଉକ୍ତ ଡ଼ାଳ ମଧ୍ୟ ଭାଙ୍ଗିଯାଇଥିଲା ।
ଡ଼ାଳ ଭାଙ୍ଗିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତଳେ ପଡିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସୁବାସଙ୍କ ପିଠିରେ ଗଳି ଯାଇଥିବା ଡାଳର କିଛି ଅଂଶ କାଟିବା ପରେ ଡ଼ାଳ ସହିତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ତେବେ ପିଠିରେ ପଶିଥିବା ଗଛ ଡ଼ାଳ ଛାତି ଆଡ଼େ ବାହାରିଛି, ତେଣୁ ପ୍ରାଥମିକ ଚିକିତ୍ସା ପରେ ସୁବାସଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ସୁବାସଙ୍କ ସାଥୀ ଏବେ ଆହତ ହୋଇ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।
Comments are closed.