Latest Odisha News

BREAKING NEWS

ସମୁଦ୍ର ବାଲିରେ ଖେଳିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ଶରୀର ଭିତରେ ପଶିଗଲେ କୀଟ

ଫ୍ଲୋରିଡ଼ା: ସାଧାରଣତଃ ଲୋକେ ସମୁଦ୍ର କୂଳରେ ସମୟ ବିତାଇବାକୁ ପସନ୍ଦ କରନ୍ତି । ଆଉ ସମୁଦ୍ର ପାଣିରେ ଘଣ୍ଟା ଘଣ୍ଟା ଧରି ଖେଳିଥାନ୍ତି । କେହି କେହି କୂଳରେ ବାଲି ଉପରେ ବସି ଉପଭୋଗ କରନ୍ତି । କିଛି ପିଲା ସମୁଦ୍ର ବାଲିରେ ଘର ତିଆରି କରିବା, ଗୋଡ,ହାତ ପୋତି ଖେଳିଥାନ୍ତି । ଆଉ କିିଛି ଅଛନ୍ତି ପୁରା ଶରୀରକୁ ବାଲିରେ ପୋତି ମଜା ନେଇଥାନ୍ତି । ଏବେ ଫ୍ଲୋରିଡ଼ାର ଜଣେ ଯୁବକ ବାଲିରେ ପୋତି ହୋଇ ମଜା ନେଉଥିବା ବେଳେ ତାର ପରିଣତି ଭୋଗିବାକୁ ପଡ଼ିଛି ।

୧୭ ବର୍ଷୀୟ ମାଇକେଲ୍ ନାମକ ଜଣେ ଯୁବକ ଫ୍ଲୋରିଡ଼ାରେ ରୁହନ୍ତି । ଦିନେ ସେ ତାଙ୍କର କିଛି ସାଙ୍ଗଙ୍କ ସହ ନିକଟରେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । ସାଙ୍ଗମାନଙ୍କ ସହିତ ସେଠାରେ ବହୁତ ମଜା କରିଲେ । ଏହି ସମୟରେ ତାଙ୍କ ସାଙ୍ଗମାନେ ମାଇକେଲଙ୍କୁ ତାଙ୍କ ବେକ ପର୍ଯ୍ୟନ୍ତ ବାଲିରେ ପୋତି ଦେଇଥିଲେ । ସମସ୍ତେ ଏହି ମୁହୂର୍ତ୍ତକୁ ବହୁତ ଉପଭୋଗ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସହିତ କ’ଣ ହେବ ମାଇକେଲ ଜାଣି ନ ଥିଲେ । ବହୁତ ମଜାମସ୍ତି ପରେ ସମସ୍ତେ ନିଜ ଘରକୁ ଚାଲିଗଲେ ।

ହେଲେ ଘରକୁ ଫେରିବା ପରେ ମାଇକେଲଙ୍କ ସମସ୍ୟା ଆରମ୍ଭ ହେଲା । ପ୍ରଥମେ ତାଙ୍କ ପୁରା ଶରୀର କୁଣ୍ଡେଇ ହେଲା । କିଛି ସମୟ ପରେ ତାଙ୍କ ଦେହରେ କିଛି ଲାଲ ଦାଗ ଦେଖାଯିବାକୁ ଲାଗିଲା । ସେ ଠିକ୍ ଭାବେ ବୁଝି ପାରିଲେ ନାହିଁ ଯେ, କିପରି ଏବଂ କାହିଁକି ତାଙ୍କ ଶରୀରରେ ଲାଲ୍ ଦାଗ ଦେଖାଯାଉଛି । ଏହି ଦାଗ ଯୋଗୁଁ ମାଇକେଲ୍‌ଙ୍କ ଶରୀରରେ ଯନ୍ତ୍ରଣା ବଢିବାକୁ ଲାଗିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କ ପରିବାର ଲୋକେ ମାଇକେଲଙ୍କୁ ଡାକ୍ତରଖାନା ନେଲେ । ଡାକ୍ତରମାନେ ପରୀକ୍ଷା କରିବା ପରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଲା । ଯାହାକୁ ଦେଖି ଡ଼ାକ୍ତର ଓ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଗଲେ ।

ବାସ୍ତବରେ, ମାଇକେଲଙ୍କ ଶରୀରରେ ହୁକ୍ୱର୍ମସ୍ ନାମକ ଏକ କୀଟ ପ୍ରବେଶ କରିଥିଲା । ଏହି ଛୋଟ ଛୋଟ କୀଟ ସାଧାରଣତଃ ସମୁଦ୍ର ବାଲିରେ ଲୁଚି ରହିଥାନ୍ତି । ବାଲିରେ ବିନା ପୋଷାକରେ ଥିବା ବ୍ୟକ୍ତିମାନଙ୍କ ଚର୍ମ ଭିତରେ ଏହି କୀଟଗୁଡ଼ିକ ପଶିଯାଇଥାନ୍ତି । ସେମାନେ ମଣିଷ ଶରୀରରୁ ଖାଦ୍ୟ ଖାଇ ଥାଆନ୍ତି । ମାଇକେଲଙ୍କୁ ତାଙ୍କ ସାଙ୍ଗମାନେ ବିନା ପୋଷାକରେ ବାଲିରେ ପୋତି ଦେଇଥିଲେ । ଏହି କାରଣରୁ ତାଙ୍କ ଶରୀର ଭିତରେ ଏହି କୀଟ ପଶିଯାଇଥିଲେ । ଫଳରେ ତାଙ୍କ ଅଣ୍ଟା, ଗୋଡ ଏବଂ ହାତ ଭୟଙ୍କର ଭାବେ ଫୁଲି ଯାଇଥିଲା । ଦୀର୍ଘ ସମୟର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

 

Comments are closed.