ଅନୁଗୁଳ: ଗତକାଲି ନିମାପଡା ପରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଜଣେ ଏଏସଆଇ ମଦୁଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନା ଅନୁସାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ ଓ ମହେଶ କୁମାର ସ୍ବାଇଁ ନାମକ ଦୁଇ ଯୁବକ ମଦ୍ୟପାନ କରି ଉତ୍ପାତ କରୁଥିଲେ । ଏନେଇ ସ୍ଥାନୀୟ ଲୋକମାନେ ବନ୍ତଳା ପୋଲିସକୁ ସୂଚନା ଦେଇଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ଥାନାର ଜଣେ ଏଏସଆଇ ବନ୍ତଳା ଛକରେ ପହଞ୍ଚିଥିଲେ । ଉକ୍ତ ଦୁଇ ଯୁବକ ଥାନା ଠାରୁ ୧୦୦ମିଟର ଦୂରରେ ଥିବା ମଦ ଦୋକାନକୁ ଯାଇଥିବା ଜାଣି ଏଏସଆଇ ସେଠାରେ ଏକ ସାଦା ପୋଷାକରେ ପହଞ୍ଚିଥିଲେ । ଶ୍ରୀ ସାହୁ ହଠାତ ଯୁବକଙ୍କ ମୋଟରସାଇକେଲରୁ ଚାବି ଛଡାଇ ନେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ଥିବା ଦୁଇ ଯୁବକ ଏଏଏସଆଇଙ୍କୁ ମାଡ଼ ମାରିବା ସହ ଜାବୁଡି ଧରିଥିଲେ ।
ଯୁବକଙ୍କ କବଳରୁ ରକ୍ଷା ପାଇବାକୁ ପାଇଁ ଶ୍ରୀ ସାହୁ ଚିତ୍କାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଦୁଇ ଯୁବକଙ୍କ କବଳରୁ ପୋଲିସ କର୍ମଚାରୀଙ୍କୁ ମୁକୁଳାଇ ଥିଲେ । ତେବେ ଏଭଳି କାଣ୍ଡ କରିଥିବା ଦୁଇ ଯୁବକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed.