Latest Odisha News

ମାଓବାଦୀଙ୍କ ବର୍ବରତା: ଇନ୍‌ଫର୍ମର୍‌ ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନ୍‌ଫର୍ମର୍‌ ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି ପଞ୍ଚାୟତ ବାରିପଙ୍ଗା ଗ୍ରାମର ଗ୍ରସକା ରୋହିତଙ୍କ ପୁଅ ‌ମେଟଲା ରୋହିତଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଓବାଦୀମାନେ ମେଟଲାଙ୍କ ମୃତଦେହକୁ ପଲିଥିନ୍‌ରେ ଗୁଡ଼ାଇ ବାରିପଙ୍ଗା ଅଙ୍ଗନବାଡ଼ି ନିକଟରେ ଫିଙ୍ଗିଦେଇ ଚାଲିଯାଇଛନ୍ତି।

ଗତ ୨୫ ତାରିଖ ସନ୍ଧ୍ୟାରେ ବିଜିଏନ୍‌ (ବଂଶଧାରା-ଘୁମୁସର-ନାଗାବଳୀ) ମାଓ ଡିଭିଜନର ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମେଟଲା ରୋହିତଙ୍କୁ ତାଙ୍କ ଘରୁ ଉଠାଇ ନେଇ ଯାଇଥିବା ବେଳେ ଦୁଇଦିନ ଧରି ଘର ଲୋକେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ମାତ୍ର ଆଜି ସକାଳୁ ମେଟଲାଙ୍କ ମୃତଦେହ ନିକଟସ୍ଥ ବାରିପଙ୍ଗା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ମିଳିଥିଲା। ଏହାସହ ଶବ ନିକଟରେ ମାଓବାଦୀ ଏକ ହାତଲେଖା ଚିଠି ମଧ୍ୟ ଛାଡ଼ି ଯାଇଛନ୍ତି। ଗାଁଲୋକେ ଆଜି ସକାଳେ ମେଟଲାଙ୍କ ଶବକୁ ଦେଖି କୋଟଗଡ଼ ଥାନାରେ ଖବର ‌ଦେଇଥିଲେ।

ତେବେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। ଅନ୍ୟପଟେ ମୃତ ଶରୀରରେ ଥିବା କ୍ଷତଚିହ୍ନକୁ ଦେଖି ମାଓବାଦୀମାନେ ନିର୍ଯ‌ାତନା ଦେଇ ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ପୋଲିସ ମେଟଲାଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ କନ୍ଧମାଳ ପୋଲିସ ପକ୍ଷରୁ ମାଓ ବିରୋଧୀ ଅଭିଯାନ ତଥା ସର୍ଚ୍ଚ ଅ‌ପରେସନକୁ କଡ଼ାକଡ଼ି କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

Comments are closed.