Latest Odisha News

ଶବ ସତ୍କାର କରିବାକୁ ଯାଇ ଶ୍ମଶାନରେ ନିଜେ ପାଲଟି ଗଲେ ଶବ

ନବରଙ୍ଗପୁର: ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ୍ୟ । ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି ନିଜେ ଶବ ପାଲଟି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଯୁବକଙ୍କ ହଠାତ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । ଶବ ନେଇ ଯାଇଥିଲେ ସତ୍କାର ପାଇଁ କିନ୍ତୁ ତାଙ୍କ ସହ ଏପରି ହେବ ଏହା କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ ।

ସୂଚନା ଅନୁସାରେ, ଝରିଗାଁ ଅଞ୍ଚଳର ସୁଲୋଚନା ନାୟକ ନାମକ ଜଣେ ବୃଦ୍ଧାଙ୍କର ଆଜି ପରଲୋକ ହୋଇଥିଲା। ତାଙ୍କ ଶବ ସତ୍କାର କରିବାକୁ ତାଙ୍କ ସମ୍ପର୍କୀୟ ଓ ପାଖ ପଡ଼ିଶା ଲୋକେ ଶ୍ମଶାନରେ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୪୦ ବର୍ଷିୟ ରଇନୁ ନାୟକ । ସୁଲୋଚନାଙ୍କ ଶବ ସତ୍କାର ପାଇଁ ଶ୍ମଶାନରେ ପ୍ରସ୍ତୁତି ଚାଲିଥିବା ବେଳେ ରଇନୁ ତଳେ ପଡ଼ିଯାଇଥିଲେ। ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶ୍ମଶାନରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରଇନୁଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ।ରଇନୁଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି। ରଇନୁ କୁଲି ମଜୁରୀ କରି ପରିବାର ଚଳାଉଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ରଇନୁଙ୍କ ପତ୍ନୀ ଓ ଏକ ୬ ବର୍ଷର ପୁଅ ଅଛନ୍ତି।

Comments are closed.