Latest Odisha News

BREAKING NEWS

ନିଶା କବଳରେ ଯୁବପୀଢ଼ି

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’

ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳଗୁଡ଼ିକ କଥା ଯଦି ଦେଖିବା ଅବସ୍ଥା ସେଇଠି ମଧ୍ୟ ତଦ୍ରୁପ । ମଦ ନିଶାରେ ସାରା ଯୁବସମାଜ କବଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ନିକଟରେ କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନ ଏଫ ଏଚ ଏସ – ୫ )ର ତଥ୍ୟ କହିଛି ଯେ ଓଡ଼ିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ପରିବାରକୁ ସର୍ଭେରେ ସାମିଲ କରାଯାଇଥିଲା । ତଥ୍ୟ ଯାହା ଥିଲା ତାହା ଅତ୍ୟନ୍ତ ଚିନ୍ତାର ବିଷୟ । ନିଶା ସେବନ କ୍ଷେତ୍ରରେ ବଡ଼ ବଡ଼ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକେଇଦେଇଛି । ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିଲା ବେଳେ ଓଡ଼ିଶାରେ ୨୮. ୮ ପ୍ରତିଶତ ପୁରୁଷ ମଦ ପିଉଛନ୍ତି । କେବଳ ପୁରୁଷ ନୁହନ୍ତି, ଓଡ଼ିଶାର ମହିଳାମାନେ ମଧ୍ୟ ଏଥିରେ ଆଗକୁ ଆସିଯାଇଛନ୍ତି ।  ଖାଲି ମଦ ନୁହେଁ ତମାଖୁ, ଗଞ୍ଜେଇ, ବ୍ରାଉନ ସୁଗାର, ଚରସ ଭଳି ନିଶା ଦ୍ରବ୍ୟର ଚାହିଦା ମଧ୍ୟ ବେଶୀ ମାତ୍ରାରେ ଓଡ଼ିଶାରେ ବୃଦ୍ଧି ପାଇଛି ।

ତଥ୍ୟ ଅନୁଯାୟୀ ଉଭୟ ପୁଅ ଏବଂ ଝିଅ ନୂଆ ନୂଆ ପ୍ରକାରର ନିଶା କବଳରେ ଯୁବପୀଢ଼ି ଅଧିକ ମାତ୍ରାରେ ଆକର୍ଷିତ ହେଉଛନ୍ତି । ‘ହୁକ୍କା’ ଭଳି ନିଶାରେ ବର୍ତ୍ତମାନ ଯୁବ ପୀଢ଼ି ସମ୍ପୂର୍ଣ୍ଣ ମାତ୍ରାରେ କବଳିତ । ଆଜିକାଲି ଭୁବେନେଶ୍ୱରରେ ଛତୁ ଫୁଟିଲା ଭଳି ଡ଼ିସ୍କୋ କ୍ଳବ । ଏସବୁର ଜାଲରେ କଲେଜ ପଢ଼ୁଆ ପୁଅ ଆଉ ଝିଅମାନେ । ବିଶେଷ କରି ବାହାର ରାଜ୍ୟରୁ ଆସି ଆମ ରାଜ୍ୟର ବଡ଼ ବଡ଼ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠ ପଢ଼ୁଥିବା ପିଲାମାନେ ଏଇ କ୍ଲବରେ ବେଶୀ ସମୟ ଅତିବାହିତ କରିଥାନ୍ତି । ବେଳେବେଳେ ଏସବୁ ଜାଗାମାନଙ୍କରେ ରେଡ଼ ହେବାର ଖବର ଆମେ ଦେଖୁଛେ ଆଉ ଶୁଣୁଛେ । କିନ୍ତୁ ତା’ ପରେ ବି ଏଇ ଅବସ୍ଥାରେ କିଛି ବି ସୁଧାର ଆସୁନାହିଁ । ଭୁବନେଶ୍ୱରରେ ରହୁଥିବା କିଛି କିଛି ପରିବାରର ପିଲାମାନେ ମଧ୍ୟ ଏଇ ରାସ୍ତାରେ ଏବେ ଚାଲିଛନ୍ତି l ଯାହା କି ପରିବାର ପାଇଁ ଏବେ ବଡ଼ ଚିନ୍ତାର ବିଷୟ ।

କୁହାଯାଏ ଯୁବା ବୟସ ହେଉଛି ସବୁ କିଛି କରିପାରିବାର ସ୍ବପ୍ନ ଦେଖିବାର ପ୍ରକୃଷ୍ଟ ସମୟ । କିନ୍ତୁ ପରିସ୍ଥିତି ଏବେ ଏମିତି ଯେ ଏଇ ସମୟର ମୂଲ୍ୟ ବୁଝିନପାରି ନିଶା କବଳରେ ଆମ ଯୁବପୀଢ଼ି । ଗାଁରେ ମଦରେ ବୁଡ଼ି ରହି ନିଜ ଜୀବନକୁ ତଳିତଳାନ୍ତ କରୁଥିବାର ଦୃଶ୍ୟର ଝଲକ ଦେଖୁଥିଲା ବେଳେ ଏଇଠି ବାରରେ ବସି ସାଙ୍ଗମାନଙ୍କ ସାଙ୍ଗରେ ମଦ ଗ୍ଲାସକୁ ଚିୟରସ କରୁଥିବାର ଝଲକ ମଧ୍ୟ ଆମେ ସମସ୍ତେ ଦେଖିଥିବା ।  ସରକାରୀ ସ୍ତରରେ ମଧ୍ୟ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା ଆମ ରାଜ୍ୟରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ ବୋଲି ଏଡ଼ାଇ ଦିଆଇନପାରେ । ବର୍ତ୍ତମାନ ଘଟୁଥିବା ଦୁର୍ଘଟଣାଗୁଡିକର ମୁଖ୍ୟ କାରଣ ମଦ୍ୟପାନ ବୋଲି ଜଣାପଡ଼ିଛି । ଏତେ କମ ବୟସରୁ ନିଶାକୁ ଆପଣେଇନେବା ବଡ଼ ଦୁର୍ଭାଗ୍ୟଜନକ ଆମ ସମାଜ ପାଇଁ । ଯାହା ଏବେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ।  ଏଇ ପ୍ରସଙ୍ଗ ଏବେ ଏକ ବଡ଼ ଆହ୍ୱାନ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ । ଏଇ ବାବଦରେ ସରକାରଙ୍କ କଠୋର ନୀତିର ଆବଶ୍ୟକତା ଅଛି ; ନଚେତ ଘରେ ଘରେ ଅତି ଅଳ୍ପ ବୟସରୁ ମଦ୍ୟପ ବାହାରିବେ ଏଥିରେ ସନ୍ଦେହନାହିଁ ।

ମଦ୍ୟପାନ କରି ଗାଡ଼ି ଚଲେଇବା, କାହାକୁ ଅଶ୍ଳୀଳ ଆଚରଣ କରିବା, ମରଣାନ୍ତକ ଆକ୍ରମଣ କରିବା, ଏସବୁ ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଯଦି ନିଆଯାଇପାରିବ, ତା’ ହେଲେ କିଛି ମାତ୍ରାରେ ଏ ସମସ୍ୟାର ସମାଧାନର ବାଟ ଫିଟିଯିବ । ମଦ ଶବ୍ଦର ସରଳ ଅର୍ଥ ମରିବ ଆଉ ଦରିଦ୍ର । ଏଇ ଦୁଇଗୋଟି ଅର୍ଥକୁ ଯଦି ଯୁବ ସମାଜ ବୁଝିପାରନ୍ତେ, ତା’ ହେଲେ ସୁନ୍ଦର ଭବିଷ୍ୟତର ସଫଳ ହେଉଥିବା ସ୍ବପ୍ନ ସେମାନଙ୍କର ପୂରଣ ହୋଇପାରନ୍ତା ! ସଂସ୍କୃତିର ଆଢ଼ୁଆଳରେ ଅପସଂସ୍କୃତିକୁ ପ୍ରଶୟ ଦେବା କଦାପି ସଭ୍ୟ ସମାଜର ପରିଚୟ ନୁହେଁ । ତେଣୁ ସମସ୍ତେ ଏଇ ପ୍ରସଙ୍ଗକୁ ଆନ୍ତରିକତାର ସହ ଆଲୋଚନା କରିଲେ ଶୀଘ୍ର ସୁଫଳ ମିଳିପାରିବ ଏବଂ ଆମେ  ଏ ଅବାଟରୁ ଯୁବଗୋଷ୍ଠୀଙ୍କୁ ବାହାର କରି ଏକ ସୁସ୍ଥ, ନିଶାମୁକ୍ତ ଓ ହିଂସାମୁକ୍ତ ସମାଜର ପରିକଳ୍ପନାରେ ଭାଗିଦାର ହୋଇପାରିବା ।

Leave A Reply

Your email address will not be published.