ଖୋର୍ଦ୍ଧା: ବନ୍ଧୁମାନଙ୍କ ସହ ରିଲ୍ ସୁଟିଂ କରୁଥିବା ବେଳେ ଶୁକ୍ରବାର ଜଣେ ଯୁବକ ଜଳାଶୟରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ କଟକ ଜିଲ୍ଲା ସାଲେପୁରର ଆଶୁତୋଷ ବେହେରା।
ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ଓ ତାଙ୍କ ସାଙ୍ଗମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଭିଡିଓ ସୁଟିଂ କରିବାକୁ ତାପଙ୍ଗ ଗ୍ରାମପଂଚାୟତ ବଜସଉଳୀ ଗାଁକୁ ଆସିଥିଲେ। ରିଲ୍ସ ସୁଟିଂ ସମୟରେ ସେମାନଙ୍କ ମଧ୍ୟରେ ଥିବା ଜଣେ ଯୁବତୀ ପାଣିରେ ବୁଡ଼ି ଯାଇଥିଲେ। ଆଶୁତୋଷ ଝିଅକୁ ବଞ୍ଚାଇବା ପାଇଁ ତୁରନ୍ତ ପାଣିକୁ ଡେଇଁଥିଲେ ମଧ୍ୟ ଗଭୀର ପାଣିରୁ ନିଜେ ସୁରକ୍ଷିତ ଭାବେ ବାହାରି ନପାରି ବୁଡ଼ି ଯାଇଥିଲେ।
ଘଟଣାସ୍ଥଳରେ ଖୋର୍ଦ୍ଧା ଅଗ୍ନିଶମ ବିଭାଗ କର୍ମଚୀରୀ ଓ ପୋଲିସ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଦୀର୍ଘ ତିନି ଘଣ୍ଟାର ଅପରେସନ ପରେ ଶେଷରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ସମସ୍ତ ବନ୍ଧୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଉଲ୍ଲେଖଯୋଗ୍ୟ, ଆଜିର ଯୁବପିଢ଼ୀ ରିଲ୍ସ ପାଇଁ ଏଭଳି ଅନେକ ବିପଦପୂର୍ଣ୍ଣ କାମ କରୁଥିବାର ନଜିର ରହିଛି। ଚଳନ୍ତା ଟ୍ରେନରୁ ଡେଇଁବା, ବ୍ରିଜ ଉପରୁ ନଦୀକୁ ଡେଇଁବା ସହ ଚଳନ୍ତା ଗାଡିରେ ରିଲ୍ଲ କରି ଅନେକ ପ୍ରାଣ ହରାଇଛନ୍ତି। କିଛି ଲୋକଙ୍କ ପାଖରେ ନିଜର ଷ୍ଟଂଟ ପହଂଚାଇବାକୁ ଯାଇ ଯେଉଁଭଳି ଯୁବପିଢୀ ରିଲ୍ସ କରିବା ପଛରେ ପଡ଼ିଛନ୍ତି ତାହା ଏବେ ଚିନ୍ତାଜନକ।
Comments are closed.