Latest Odisha News

ଭାଇଚାରାର ସହରରେ ଭାଇଗିରି, ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇଲେ ଦୁର୍ବୃତ୍ତ

କଟକ: କଟକରେ ତାଲିବାନୀ ଶାସନ । ଅଧଘଣ୍ଟାର ଆତଙ୍କରେ ଭୟଭୀତ କଟକବାସୀ । କଟକରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କ ହାତକୁ ବାନ୍ଧି ଗାଡ଼ି ପଛରେ ପ୍ରାୟ ୨ କିଲୋମିଟର ଦୌଡ଼ାଇଛନ୍ତି । ଜନଗହଳି ପୂର୍ଣ୍ଣ କଟକ ସହରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି । ସନ୍ଧ୍ୟା ସମୟରେ ଭାଇଚାରାର ସହରରେ ଏଭଳି ଭାଇଗିରି ପରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ଦୁର୍ବୃତ୍ତ ସେଲ୍ଟର ଛକରୁ କନିକା ଛକ ପରେ ଚଣ୍ଡି ଛକ ଯାଏ ଦୁର୍ବୃତ୍ତ ଯୁବକଙ୍କ ହାତକୁ ବାନ୍ଧି ଏଭଳି ଗାଡ଼ି ପଛରେ ଦୌଡ଼ାଇଥିଲେ । ତେବେ ଏହି ରାସ୍ତାରେ ଦୁଇ ଦୁଇଟି ଟ୍ରାଫିକ୍ ପୋଷ୍ଟ ଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିଲା କି ଥାନାକୁ ଖବର ଦେଇ ନଥିଲା । କିନ୍ତୁ ବିଚ୍ ରାସ୍ତାରେ ଭାଇଗିରି ବେଳେ ଯିଏ ପ୍ରତିବାଦ କଲା, ଦୁର୍ବୃତ୍ତ ତାକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ ।

ତେବେ ଦୁର୍ବୃତ୍ତ କାହିଁକି ଯୁବକ ଜଣଙ୍କ ହାତକୁ ବାନ୍ଧି ବୁଲାଇଲେ ଜଣା ପଡ଼ି ନଥିବା ବେଳେ ବାକି ଟଙ୍କାକୁ ନେଇ ଏଭଳି ଘଟିଥିବା କୁହାଯାଉଛି । କଟକ ମିସନ୍ ରୋଡ୍ ଅଞ୍ଚଳର ଏ ଘଟଣା ଭାଇରାଲ୍ ପରେ କମିଶନରେଟ୍ ପୋଲିସ ନିଜ ଆଡ଼ୁ ପଦକ୍ଷେପ ନେଇଛି । ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ । ଭାଇରାଲ ଭିଡିଓ ଆଧାରରେ ଲାଲବାଗ ଥାନା ପୋଲିସ ଦୁଇ ଯୁବକଙ୍କୁ ଚିହ୍ନଟ ପରେ ଅଟକ ରଖିଛି ।

ଭାଇଚାରାର ସହର କଟକର ଛାତି ଉପରେ ଏଭଳି ଲୋମଟାଙ୍କୁରା ଘଟଣା ପରେ ସହରରେ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି । ପୋଲିସ ଛକ ଛକରେ ଚେକିଂ କରୁଥିବା କହୁଥିବା ବେଳେ କିଭଳି ଦୁର୍ବୃତ୍ତ କରୁଥିଲେ ଦାଦାଗିରି ?

Comments are closed.