ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଜଣେ ଭଲ ଲେଗ ସ୍ପିନର ଭାବେ ୟୁଜଭେନ୍ଦ୍ର ଚହଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ବ୍ୟାଟ୍ସମ୍ୟାନଙ୍କୁ ଫସାଇବାରେ ମାହିର ଚହଲ ଏବେ ହଠାତ ଅଲୋଡା ହୋଇ ପଡୁଛନ୍ତି । ଏପରିକି ତାଙ୍କ ଟି୨୦ କ୍ୟାରିୟରରେ ଯବନିକ ପଡିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ନଭେମ୍ବର ଆଇପିଏଲ ୨୦୨୫ ପାଇଁ ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ରାଜସ୍ଥାନ ରୟାଲ୍ସ ଚହଲଙ୍କୁ ରିଲିଜ କରି ଦେଇଛି । ସେ ଏବେ ମେଗା ନିଲାମରେ ଅବତୀର୍ଣ୍ଣ ହେବେ । ୨୦୧୫, ୨୦୧୬ ଓ ୨୦୨୦ ସିଜନରେ ସେ ୨୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ । ଏହା ପରେ ହଠାତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ତାଙ୍କୁ ରିଟେନ କରି ନ ଥିଲା ।
୨୦୨୨ ନିଲାମରେ ରାଜସ୍ଥାନ ଚହଲଙ୍କୁ ଟିମରେ ନେଇଥିଲା । ସେ ୨୦୨୩ ସିଜନରେ ୧୪ ମ୍ୟାଚରୁ ୨୧ ଓ ଗତ ସିଜନରେ ୧୫ ମ୍ୟାଚରୁ ୧୮ ୱିକେଟ ନେଇଥିଲେ । ଆଇପିଏଲ ଇତିହାସରେ ଏହି ୩୪ ବର୍ଷୀୟ ଲେଗ ସ୍ପିନର ସର୍ବାଧିକ ୨୦୫ ୱିକେଟ ନେଇଛନ୍ତି । ଚହଲ ଏବେ ଜାତୀୟ ଦଳରୁ ମଧ୍ୟ ବାଦ ପଡିଛନ୍ତି । ଏପରିକି ତାଙ୍କୁ ଟି୨୦ ବିଶ୍ୱକପରେ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳି ନ ଥିଲା । ୨୦୨୧ରେ ସେ ଦଳ ସହିତ ନ ଥିଲେ । ୨୦୨୨ ଓ ୨୦୨୪ରେ ବେଂଚରେ ବସି ସିଜନ ଶେଷ କରିଥିଲେ । ୨୦୨୩ ଦିନିକିଆ ବିଶ୍ୱକପ ଦଳରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନ ଥିଲା ।
ଚହଲ ୭୨ ଦିନିକିଆରେ ୧୨୧ ଓ ୮୦ଟି୨୦ରେ ୯୬ ୱିକେଟ ନେଇଛନ୍ତି । ରବି ବିଶ୍ନୋଇ, କୂଲଦୀପ ଯାଦବ ଏବଂ ଏହା ବ୍ୟତୀତ ଯୁବ ସ୍ପିନର ଚହଳଙ୍କ ସ୍ଥାନ ଛଡେଇ ନେଇଛନ୍ତି । ଟି୨୦ରେ ବୋଲରଙ୍କଠାରୁ ଭଲ ଫିଲ୍ଡିଂ ଏବଂ ବଡ ଶଟ ମାରିବା ଦକ୍ଷତା ଏବେ ଖୋଜା ଯାଉଛି । ଯେଉଁଥିରେ ଚହଲ ପଛରେ ପଡି ଯାଇଛନ୍ତି । ଚେସକୁ ଚାହି କ୍ରିକେଟରେ କ୍ୟାରିୟର କରିଥିବା ଚହଲଙ୍କ ପରବର୍ତୀ ଚାଲ କଣ ହେବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
Comments are closed.