Latest Odisha News

ଜାହୀର, ବାଲାଜୀଙ୍କ ମଧ୍ୟରୁ କିଏ ହେବ ଟିମ ଇଣ୍ଡିଆର ବୋଲିଂ କୋଚ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର କୋଚ ନିଯୁକ୍ତ ହେବା ପରେ ଏବେ ସପୋର୍ଟ ଷ୍ଟାଫ ନେଇ ଆଲୋଚନା ଆରମ୍ଭ ହୋଇଛି । ବିସିସିଆଇର ଜନୈକ ଅଧିକାରୀ ଜାହୀର ଖାଁ ଓ ଲକ୍ଷ୍ମୀପତି ବାଲାଜୀଙ୍କ ନାମ ବୋଲିଂ କୋଚ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ବ୍ୟତୀତ ବିନୟ କୁମାରଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସିଛି । ଗମ୍ଭୀର ଓ ବିନୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବାରୁ ତାଙ୍କ ପଲା ସାମାନ୍ୟ ଭାରୀ ରହିଛି । ରିପୋର୍ଟ ମୁତାବକ ଗମ୍ଭୀର ମୁମ୍ବାଇର ପୂର୍ବ କ୍ରିକେଟର ଅଭିଷେକ ନାୟାର ଓ ବିନୟଙ୍କୁ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ କୋଚ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଏଏନଆଇ ରିପୋର୍ଟ ଅନୁସାରେ ବିନୟଙ୍କୁ କୋଚ କରିବା ପାଇଁ ବିସିସିଆଇ ଏତେଟା ଆଗ୍ରହ ପ୍ରକାଶ କରୁ ନାହିଁ । ଜାହୀର ଓ ବାଲାଜୀଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତ କରିବା ପାଇଁ କୁହାଯାଇଛି । ଜାହୀର ଆନ୍ତର୍ଜାତୀୟସ୍ତରରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ବାଲାଜୀ ସିଏସକେର ବୋଲିଂ କୋଚ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ।

ଦିନିକିଆ କ୍ରିକେଟରେ ଜାହୀର ୨୦୦ ମ୍ୟାଚରୁ ୨୮୨ ୱିକେଟ ନେଇଥିବା ବେଳେ ବାଲାଜୀ ୩୦ ମ୍ୟାଚରୁ ୩୪ ୱିକେଟ ହାସଲ କରିଛନ୍ତି । ସେହିପରି ଟି୨୦ରେ ଜାହୀର ୧୭ ମ୍ୟାଚରୁ ୧୭ ୱିକେଟ ଏବଂ ବାଲାଜୀ ୫ ମ୍ୟାଚରୁ ୧୦ ୱିକେଟ ଅକ୍ତିଆର କରିଛନ୍ତି । ଟେଷ୍ଟ କ୍ରିକେଟରେ ଜାହୀର ୯୨ ମ୍ୟାଚରେ ୩୧୧ ୱିକେଟ ନେଇଥିବା ବେଳେ ୮ ମ୍ୟାଚରୁ ୨୭ ୱିକେଟ ଅକ୍ତିଆର କରିଛନ୍ତି ।

Comments are closed.