Latest Odisha News

BREAKING NEWS

ରାତି ପାହିଲେ ବଦଳିବ କ୍ୟାଲେଣ୍ଡରର ପୃଷ୍ଠା: ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ବିଦାୟ ୨୦୨୪। ସ୍ୱାଗତ ୨୦୨୫। ରାତି ପାହିଲେ ନୂଆବର୍ଷ। ନୂଆ ତାରିକାରେ ନୂଆ ଢ଼ଙ୍ଗରେ ନୂଆ ଶୈଳୀରେ ନୂତନ ବର୍ଷକୁ ଆପଣେଇବାକୁ ପ୍ରସ୍ତୁତ ହେଉଛନ୍ତି ଲୋକ। କିଏ ପରିବାର ସହ ପିକନିକ୍ ଯାଉଛି ତ କିଏ ସାଙ୍ଗସାଥୀ ସହ ବଣଭୋଜି ପାଇଁ ବାହାରି ସାରିଛନ୍ତି । ସେହିପରି କିଏ କ୍ଲବ ଓ ପବ୍ ରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ଲାନ୍ କରିଛନ୍ତି । ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ସବୁ ପ୍ରସ୍ତୁତି ଆରମ୍ଭ ଶେଷ ହୋଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ଯ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ନୂଆବର୍ଷ ସେଲିବ୍ରେସନ୍ କୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ନେଇ ବ୍ୟବସ୍ଥା କରାଯାଇଛି । ଆଜି ସାରା ରାତି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂକୁ କଡାକଡି଼ କରାଯିବ । ସେହିପରି ସହରର ପ୍ରାୟ ସ୍ଥାନରେ ଏମଭି ଚେକିଂ କରାଯିବ। ଦ୍ରୁତ ଗତିରେ ଗାଡି଼ ଚାଳନା ଓ ନିଶା କାରବାର ଉପରେ ମଧ୍ୟ ନଜର ରଖିବ ପୋଲିସ । ସେହିପରି ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ବିଶେଷ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ଏଥିସହ ରାଜଧାନୀର ପ୍ରମୁଖ ଛକରେ କ୍ବିକ୍ ରେସପନ୍ସ ଟିମ୍ ଉପସ୍ଥିତ ରହିବ । ଅନ୍ୟପଟେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ନିୟୋଜିତ ହେବେ ।

ସେପଟେ ନୂଆବର୍ଷ ପାଇଁ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ମୁତୟନ‌ ହୋଇଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟ ମଧ୍ୟରେ ରହିଛି ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି । ଏଥିସହ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି । ଆଜି ଏବଂ ଆସନ୍ତାକାଲି ପ୍ରବଳ ଭିଡ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ମଧ୍ୟ ଲାଗୁ ହୋଇଛି ।

Comments are closed.