Latest Odisha News

BREAKING NEWS

SC on Lathi Charge: ‘ଆନ୍ଦୋଳନ ହେଉଛି ବୋଲି ଲାଠିଚାର୍ଜ କରିପାରିବେନି ପୋଲିସ’: ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ଦେଶବ୍ୟାପୀ ପ୍ରୋଟୋକଲ୍‌ ଆଣିବାକୁ ସଙ୍କେତ

ନୂଆଦିଲ୍ଲୀ: ଦେଶରେ ଛାତ୍ର ଆନ୍ଦୋଳନ ସମୟରେ ପୋଲିସର କଥିତ ଅତ୍ୟଧିକ ବଳପ୍ରୟୋଗକୁ ନେଇ ଦାଖଲ ହୋଇଥିବା ବିଭିନ୍ନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, “କେବଳ ଆନ୍ଦୋଳନ ହେଉଛି ବୋଲି ପୋଲିସ ଲାଠିଚାର୍ଜ କରିପାରିବେ ନାହିଁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ସମ୍ବିଧାନ ପ୍ରଦତ୍ତ ଅଧିକାର।”

NEET-UG ପେପର ଲିକ୍‌ ଓ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପୋଲିସ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଓ ଅତ୍ୟଧିକ ବଳପ୍ରୟୋଗ କରିଥିବା ଅଭିଯୋଗ ନେଇ ଏକାଧିକ ଆବେଦନ ଦାଖଲ ହୋଇଛି। ଅନ୍ୟପକ୍ଷରେ, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ସମ୍ପର୍କିତ ଏକ ଆବେଦନ ମଧ୍ୟ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

ଜଷ୍ଟିସ ଜୟମାଲ୍ୟ ବାଗଚୀ କହିଥିଲେ, “ପୋଲିସ ଉପରେ ଆକ୍ରମଣ ମଧ୍ୟ ସମାନ ଭାବେ ଚିନ୍ତାର ବିଷୟ। ପୋଲିସ ପାଇଁ ଯଥେଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) କାହିଁକି ନାହିଁ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇପାରେ।”

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, “ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ନିଶ୍ଚିତ ହେବା ଦରକାର। କୌଣସି ପ୍ରକାରର ଅତ୍ୟଧିକ ବଳପ୍ରୟୋଗକୁ ରୋକାଯିବା ଉଚିତ। ଏହା କେବଳ ଦିଲ୍ଲୀର ପ୍ରସଙ୍ଗ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଛି। ତେଣୁ ଆନ୍ଦୋଳନ ହେଉଛି ବୋଲି ଲାଠିଚାର୍ଜ କରିବା ଠିକ୍‌ ନୁହେଁ।”

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ଶୃଙ୍ଖଳା ଓ ସଂଯମ ଅତ୍ୟନ୍ତ ଜରୁରୀ। ଯୁବପିଢ଼ି ଯଦି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଚାହାଁନ୍ତି, ସେମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସୁଯୋଗ ମିଳିବା ଉଚିତ। କିନ୍ତୁ ଯଦି ସମାଜବିରୋଧୀ ତତ୍ତ୍ୱ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତି, ତେବେ ପୋଲିସ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବ।

ଏହି ପ୍ରସଙ୍ଗରେ ସାରା ଦେଶ ପାଇଁ ଏକ ସମାନ ପ୍ରୋଟୋକଲ୍‌ କିମ୍ବା ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ନେଇ ମଧ୍ୟ ସୁପ୍ରିମକୋର୍ଟ ସଙ୍କେତ ଦେଇଛନ୍ତି। ଏଥିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ପୋଲିସର କାର୍ଯ୍ୟପଦ୍ଧତି ଏବଂ ସମାଜବିରୋଧୀ ତତ୍ତ୍ୱଙ୍କୁ ମୁକାବିଲା କରିବାର ବ୍ୟବସ୍ଥା ସାମିଲ ହୋଇପାରେ।

ସମସ୍ତ ନୂଆ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଜୁଲାଇ ୨୮, ମଙ୍ଗଳବାର ତାରିଖ ଧାର୍ଯ୍ୟ କରିଛନ୍ତି। ବିହାରର ସିୱାନରେ ପ୍ରଦର୍ଶନକାରୀଙ୍କୁ ଛତ୍ରଭଙ୍ଗ କରିବା ପାଇଁ AK-47 ରାଇଫଲ ବ୍ୟବହାର କରାଯାଇଥିବା ଅଭିଯୋଗ ଥିବା ଏକ ଆବେଦନ ମଧ୍ୟ ଏହି ଶୁଣାଣିର ଅଂଶ ହେବ।

Leave A Reply

Your email address will not be published.