ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଭାରତୀୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । କାନାଡ଼ା ସୁପ୍ରିମକୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି । ଅଭିଯୁକ୍ତ କରନ ବ୍ରାର୍, ଅମନଦୀପ ସିଂହ, କମଲପ୍ରୀତ ସିଂହ ଏବଂ କରଣପ୍ରୀତ ସିଂହଙ୍କୁ ଜାମିନ ମିଳିଛି । ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ଗତବର୍ଷ ଏମାନଙ୍କୁ କାନାଡା ପୋଲିସ ଗିରଫ କରିଥିବା ବେଳେ ନଭେମ୍ବରରେ ଏମାନଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ତଥ୍ୟ-ପ୍ରମାଣ ବଳିଷ୍ଠ ନଥିବା କାରଣରୁ ତଳକୋର୍ଟ ଏମାନଙ୍କ ଶୁଣାଣି ଉପରେ ସ୍ଥଗିତାଦେଶ ଲଗାଇଥିଲେ । ଆଉ ଏବେ କାନାଡା ସୁପ୍ରିମକୋର୍ଟ ଦେଇଛନ୍ତି ଜାମିନ । ହରଦୀପ ସିଂହ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡ଼ା ଦ୍ବିପାକ୍ଷିକ ସମ୍ପର୍କ ବହୁମାତ୍ରାରେ ପ୍ରଭାବିତ ହୋଇଛି ।
ଭାରତ ବିରୋଧରେ ବଳିଷ୍ଠ ପ୍ରମାଣ ଥିବା ବୁଲି ବୁଲି କହିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ । କିନ୍ତୁ ୪ ଭାରତୀୟ ଯୁବକଙ୍କୁ ଗରଫ କରିବା ପରେ ପୋଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ସତ, କିନ୍ତୁ ଜାମିନ ଆବେଦନର ଶୁଣାଣି ବେଳେ ଉପସ୍ଥିତ ହୋଇ ନଥିଲା । ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଭିଡିଓ କନଫରେନ୍ସରେ ଏବଂ ଜଣେ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇଥିଲେ ।