Latest Odisha News

ମନ ମୋହୁଛି ଫ୍ଲୀ ମାର୍କେଟ, ଆକର୍ଷିତ ହେଉଛନ୍ତି ଯୁବବର୍ଗ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଉତ୍ସବମୁଖର ହୋଇଛି ରାଜଧାନୀ ଭବନେଶ୍ଵର। ଏହାକୁ ଦ୍ବିଗୁଣିତ କରୁଛି ଏକାମ୍ର ଉତ୍ସବର ଓ ଫ୍ଲୀ ମାର୍କେଟ। ଫ୍ଲୀ ମାର୍କେଟର ପାରମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀର ସମ୍ଭାର ଦେଖିବା ପାଇଁ ବଢୁଛି ଦର୍ଶକଙ୍କ ଭିଡ଼। ସାଂସ୍କୃତିକ ସନ୍ଧ୍ୟାରେ ମାର୍କେଟିଙ୍ଗର ମଜା ନେଉଛନ୍ତି ଦର୍ଶକ। ଯାହା ପରାମ୍ପରିକ ହସ୍ତକଳା, କୁଟୀରଶିଳ୍ପ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହିତ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଉଛି।  ଗୁରୁବାର ଏହି ଉତ୍ସବର ୫ମ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଏକାମ୍ର ଉତ୍ସବ କାରଣରୁ  ଫ୍ଲୀ ମାର୍କେଟ ଆସନ୍ତା ଜାନୁଆରୀ ୧୬ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୪ଟାରୁ ରାତି ପର୍ଯ୍ୟନ୍ତ ଖୋଲାରହିବ । ଏହି ମାର୍କେଟ ସବୁ ବର୍ଗର ଅଗନ୍ତୁକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଛି। ୩୩ ଷ୍ଟଲରେ ପରିଦର୍ଶକ ପାଇଁ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ, ଅର୍ଗାନିକ ଏବଂ ସ୍ୱାସ୍ଥ୍ୟ ଭିତ୍ତିକ ଖାଦ୍ୟ ବ୍ୟଞ୍ଜନର ଆକର୍ଷଣୀୟ ସମ୍ଭାର ରହିଛି। ଏହି ମାର୍କେଟରେ ବିଭିନ୍ନ ପ୍ରକାରର ହାତ ତିଆରି ପାରମ୍ପରିକ କୁଟୀରଶିଳ୍ପର ବହୁ ଷ୍ଟଲ ଯୁବବର୍ଗଙ୍କୁ ଆକର୍ଷିତ କରୁଛି। ସେହିପରି ହ୍ୟାଣ୍ଡୁଲମ ଷ୍ଟଲରେ ମଧ୍ୟ ମହିଳାମାନେ ଭିଡ ଲଗାଉଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ  ମିଲେଟ, ବାଜରା ଓ ବହୁ ପାରମ୍ପରିକ ଖାଦ୍ୟକୁ ନୂଆରୂପରେ ପ୍ରଦର୍ଶନ ହେଉଛି ।  ଲୋକମାନେ ମାଟି ତିଆରି ପାତ୍ର ଗଢ଼ିବାର ମଜା ନେଉଛନ୍ତି। ଅନ୍ୟପଟେ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ ସହ ପରିଦର୍ଶକମାନେ ଗାୟକ, ନୃତ୍ୟଶିଳ୍ପୀ, ଏବଂ ଲୋକ କଳାକାରଙ୍କ ଲାଇଭ୍ ପ୍ରଦର୍ଶନକୁ ଦର୍ଶକ ମନଭରି ଉପଭୋଗ କରୁଛନ୍ତି।

Comments are closed.