Latest Odisha News

ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନର ଡ୍ରିମ ରନ୍ ଶେଷ

ଅଷ୍ଟମ ପ୍ରୟାସରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା । ଦିନିକିଆ ହେଉ କି ଟି-୨୦, ପ୍ରଥମ ଥର ପାଇଁ ଏକ ଆଇସିସି ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଜିଆଂଟ୍ କିଲର୍ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ଏକତରଫା ବିଜୟ ହାସଲ କରିଛି ନିଜର ସର୍ବପ୍ରଥମ ବିଶ୍ୱକପ୍ ଟାଇଟଲର ନିକଟତର ହୋଇଛି ଦକ୍ଷିଣ ଆଫ୍ରିକା । ଏଥର ଆଉ ସେମିଫାଇନାଲରେ ଝୁଂଟିନି ଦଳ । ଦିନିକିଆ ହେଉ କି ଟି-୨୦ ବିଶ୍ୱକପ୍ , ପୂର୍ବରୁ ଦକ୍ଷିଣ ଆଫ୍ରିକା ୭ ଥର ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସବୁଥିରେ ହାରିଥିଲା । ଏଥର କିନ୍ତୁ ଘଟିଛି ବ୍ୟତିକ୍ରମ ।

ଟି-୨୦ ବିଶ୍ୱକପର ପ୍ରଥମ ସେମିରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା । ମାତ୍ର ୫୬ ରନରେ ଶେଷ ହୋଇଥିଲା ଆଫଗାନିସ୍ତାନର ଇନିଂସ । ଗୋଟିଏ ୱିକେଟ ହରାଇ ୫୭ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଦକ୍ଷିଣ ଆଫ୍ରିକା । ଏଥିସହ ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ୧୯୯୮ରେ ବାଂଲାଦେଶରେ ଆୟୋଜିତ ଆଇସିସି ନକଆଉଟ୍ ଦିନିକିଆ ଚାମ୍ପିଅନସିପ ବା ମିନି ୱାର୍ଲଡ କପରେ ହିଁ ଟାଇଟଲ ଜିତିଥିଲା । କିନ୍ତୁ କୌଣସି ଫର୍ମାଟର ବିଶ୍ୱକପ୍ ହାତେଇ ପାରିନାହିଁ ଦକ୍ଷିଣ ଆଫ୍ରିକା । ଏଥର ଦକ୍ଷିଣ ଆଫ୍ରିକା ପାଇଁ ପ୍ରଥମ ବିଶ୍ୱକପ୍ ଜିତିବାର ସୁଯୋଗ ସୃଷ୍ଟି ହୋଇଛି । ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାର ବିଜେତାକୁ ଭେଟିବ ଦକ୍ଷିଣ ଆଫ୍ରିକା ।

 

ସେମିଫାଇନାଲରେ ଆଫଗାନିସ୍ତାନ ନିମ୍ନମାନର ପ୍ରଦର୍ଶନ କରିବ ବୋଲି ଖୁବ୍ କମ୍ କ୍ରିକେଟପ୍ରେମୀ ହିଁ ଆଶା କରିଥିବେ । ନିଜ କ୍ରିକେଟ ଇତିହାସର ସବୁଠୁୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହିଁ ଫେଲ୍ ମାରିଲା ଆଫଗାନିସ୍ତନ । ଗ୍ରୁପ୍ ପର୍ଯ୍ୟାୟ ଓ ସୁପର ଏଇଟରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା ଆଫଗାନିସ୍ତାନ । କିନ୍ତୁ ସେମିଫାଇନାଲରେ ଗୋଟିଏ ଇନ୍ ଫର୍ମ ଟିମଠାରୁ ହାରିଛି ଦଳ । କିନ୍ତୁ ସମଗ୍ର ଟୁର୍ନାମେଂଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଛି ଆଫଗାନିସ୍ତାନ । ଅନେକ ମଧୁର ସ୍ମୃତି ଓ ଅଭିଜ୍ଞତା ନେଇ ଟୁର୍ନାମେଂଟରୁ ବିଦାୟ ନେଇଛି ଦଳ । ଗତବର୍ଷ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍ ଓ ଏଥର ଟି-୨୦ ବିଶ୍ୱକପରେ ପ୍ରଦର୍ଶନ ଦୃଷ୍ଟିରୁ କୌଣସି ଦଳ ଆଫଗାନିସ୍ତାନକୁ ଆଉ ହାଲୁକାରେ ନେବାକୁ ଦୁଃସାହସ କରିବେ ନାହିଁ ।

Leave A Reply

Your email address will not be published.