ଭୁବନେଶ୍ବର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଶୋଭାଯାତ୍ରା । ପୂଜାର୍ଚ୍ଚନା ଓ ପଣା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ। ନଜର ରଖିବ ୬୫୦ ସିସିଟିଭି ଓ ୪୦ ଡ୍ରୋନ ।
ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, ସବୁ ଜିଲ୍ଲାରେ ସିସିଟିଭି ୬୫୦ଟି ସ୍ଥାନରେ ଲଗାଯାଇଛି । ୪୦ଟି ଡ୍ରୋନରେ ଲାଇଭ ଟେଲିକାଷ୍ଟ ଜରିଆରେ ନଜର ରଖାଯିବ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ କମ୍ପାନି ସିଏପିଏଫ, ୩ଟି ରାପିଡ ଆକ୍ସନ ଫୋର୍ସ ସହ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।
ବାଲେଶ୍ବର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ,ସମ୍ବଲପୁର,ଝାରସୁଗୁଡା,ଭଦ୍ରକ,ରାଉରକେଲା,ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ବିଶେଷ ଫୋକସ କରାଯାଇଛି । ଏହି ସବୁ ଜିଲ୍ଲାର ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କ ସମାଗମ ଓ ଶୋଭାଯାତ୍ରା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି । ଫୋର୍ସ ବ୍ୟାପକ ଭାବେ ମୁତୟନ କରାଯାଇଛି । କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବାକୁ କୁହାଯାଇଛି ।
ଜିଲ୍ଲାସ୍ତରରେ କିଭଳି ପ୍ରସ୍ତୁତି ରହିଛି ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ନେଇଛନ୍ତି । ଭିସି ଜରିଆରେ ବିଶେଷ କରି ଯେଉଁ ସବୁ ହନୁମାନ ଜୟନ୍ତୀ ବଡ଼ ଆକାରରେ ପାଳନ ହୁଏ ସେସବୁ ଜିଲ୍ଲାର ଜିଲ୍ଲାପାଳ ସହ ଜିଲ୍ଲା ଏସପି ଓ ରେଞ୍ଜ ଆଇଜି ଓ ଡିଆଇଜି ସହ ଆରଡିସି ମାନଙ୍କ ସହ ଆଲୋଚନା କରି ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି ।
ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ରହିଛି। ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିବ। ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଥିବା ସୂଚନା ଦେଇଛନ୍ତି ଏଡିଜି ଆଇନ ଶୃଙ୍ଖଳା ।
ଏଥିସହ ଜନସାଧାରଣଙ୍କୁ ନିବେଦନ କରିଛନ୍ତି, ଅପପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ବିଶୃଙ୍ଖଳାକାରି ସୋସିଆଲ ମିଡିଆ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବେ । ସେଭଳି କିଛି ବାର୍ତ୍ତା ବା ମେସେଜ ଆସିଲେ ଫରଓ୍ବାର୍ଡ କରନ୍ତୁ ନାହିଁ । ଖବରକୁ ପୋଲିସକୁ ଜଣାନ୍ତୁ । ସଚେତନ ନାଗରିକ ହୁଅନ୍ତୁ ।
ଏହି ପର୍ବପର୍ବାଣୀ ପାଳନ ବେଳେ ବାଯୁମଣ୍ଡଳର ତାପମାତ୍ରା ବୃଦ୍ଧି ସହ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ତଥା କର୍ତ୍ତବ୍ଯରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କଲ୍ଯାଣ ନିମନ୍ତେ ଉପଯୁକ୍ତ ବନ୍ଦୋବସ୍ତ କରିବା ଉପରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଗୁରୁତ୍ଵାରୋପ କରିଥିଲେ। ପର୍ବପର୍ବାଣୀର ଶାନ୍ତି ପୂର୍ଣ୍ଣ ତଥା ଶୃଙ୍ଖଳିତ ପାଳନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ପର୍ବର ଶୃଙ୍ଖଳିତ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି( ଗୁଇନ୍ଦା) ଜୟ ନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ, ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।
Comments are closed.