Latest Odisha News

BREAKING NEWS

୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ

ନୂଆଦିଲ୍ଲୀ: ଡାକ୍ତରୀ ଡିଗ୍ରୀ ପାଇଁ ୭୦ ହଜାର ଟଙ୍କା। ଆଜିର ଦୁନିଆରେ ସବୁ କିଛି ସମ୍ଭବ। ବିନା ପାଠ ପଢାରେ ବି ହୋଇପାରିବେ ଡାକ୍ତର। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । କିନ୍ତୁ ଏଥିପାଇଁ ଦେବାକୁ ପଡୁଥିଲା ଟଙ୍କା। ୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ। ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୋଲିସ।

ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଡାକ୍ତର ରମେଶ ଗୁଜରାଟୀ। ପୋଲିସର ସୂଚନା ଅନୁଯାୟୀ ରମେଶ ଗୁଜରାଟୀ ଦେଖିଲେ ଯେ ଭାରତରେ ଇଲେକ୍ଟ୍ରୋ ହୋମିଓପାଥି ନେଇ କୌଣସି ନିୟମ ନାହିଁ। ତେଣୁ ସେ ଏକ ବୋର୍ଡ ଗଠନ କରି ଏହି ପାଠ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରିବାକୁ ଯୋଜନା କଲେ।

ସେଥିପାଇଁ ସେ ୫ ଜଣ ଲୋକଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ଦେଲେ। ତିନି ବର୍ଷରୁ କମ୍ ସମୟ ମଧ୍ୟରେ ସେମାନଙ୍କର ପ୍ରଶିକ୍ଷଣ ଶେଷ ହୋଇଥିଲା। ରୋଗୀଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ମେଡିସିନି କେମିତି ଦିଆଯିବ, ସେ ନେଇ ସେମାନେ ପ୍ରଶିକ୍ଷଣ ନେଇଥିଲେ। ଯେତେବେଳେ ଏହି ନକଲି ଡାକ୍ତରମାନେ ଦେଖିଲେ ଯେ ଲୋକମାନେ ଇଲେକ୍ଟ୍ରୋ ହୋମିଓପାଥି ପ୍ରତି ଆକୃଷ୍ଟ ହେଉଛନ୍ତି, ସେତେବେଳେ ସେମାନେ ଯୋଜନା ପରିବର୍ତ୍ତନ କରିଦେଲେ ଓ ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ମିଛ ଡିଗ୍ରୀ ବିକିବା ଆରମ୍ଭ କରି ଦେଲେ।

ସେମାନଙ୍କର ସଂସ୍ଥା (ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟ) ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ। ଡାକ୍ତରୀ ଡିଗ୍ରୀ ପ୍ରଦାନ କରିବାକୁ ଓ ପ୍ରଶିକ୍ଷଣ ଦେବାକୁ ସେମାନେ ପ୍ରତ୍ୟେକ ଲୋକଙ୍କଠାରୁ ୭୦ ହଜାର ଟଙ୍କା ନେଉଥିଲେ। ଏହା ସହିତ ସେମାନେ ସେହି ନକଲି ଡାକ୍ତରମାନଙ୍କୁ କହୁଥିଲେ ଯେ ସେମାନେ ଏହି ସାର୍ଟିଫିକେଟ ଦ୍ୱାରା ଏଲୋପାଥି ଓ ହୋମିଓପାଥି ଚିକିତ୍ସା କରିପାରିବେ।

 

Comments are closed.