Latest Odisha News

୧.୭୭ ଲକ୍ଷ ଭୂତ ଖାଉଛନ୍ତି ରାସନ

ଭୁବନେଶ୍ବର: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ । ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆହୋଇଆସୁଛି ରାସନ । ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି । ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି,  ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଥିବା ବେଳେ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ଏଥିସହିତ ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ଅପେକ୍ଷାରେ ଅଛନ୍ତି । ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଥିବା ବେଳେ ସେମାନଙ୍କୁ କଟାଟାଇ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ।

ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ସେତିକି ଖାଲି ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ଏଥିସହିତ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.