Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନା, ଭେଙ୍କେୟା ନାଇଡୁଙ୍କୁ ମିଳିବ ବଡ଼ ପଦ?

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ପ୍ରାୟ ତିନି ବର୍ଷ ପରେ ରାଜନୀତିରେ ପୁଣି ସକ୍ରିୟ ହୋଇଛନ୍ତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ ଭେଙ୍କେୟା ଦିଲ୍ଲୀରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।

ସୂତ୍ରରୁ ଜଣାପଡ଼ିଛି, ଭେଙ୍କେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟକ୍ତିଗତ ଭାବେ ପ୍ରାୟ ୪୦ ମିନିଟ୍‌ ଧରି ବୈଠକ କରିଛନ୍ତି। ସେ ଆରଏସଏସ ଓ ବିଜେପିର ଶୀର୍ଷ ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ବୈଠକଗୁଡ଼ିକ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଭେଙ୍କେୟା ନାଇଡୁ ଦେଶ ବନ୍ଧୁ ଗୁପ୍ତା ରୋଡ଼ସ୍ଥିତ ଆରଏସଏସର ନୂଆ କାର୍ଯ୍ୟାଳୟକୁ ଯାଇ ସଂଘର ନେତାଙ୍କ ସହ ବନ୍ଦ ଦ୍ୱାରରେ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଛନ୍ତି। ରବିବାର ସନ୍ଧ୍ୟାରେ ବିଜେପିର ଯୁଗ୍ମ ସାଧାରଣ ସମ୍ପାଦକ ଶିବ ପ୍ରକାଶ ତାଙ୍କୁ ଭେଟି ଦୀର୍ଘ ସମୟ ଧରି ଦଳୀୟ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି।

ସୂତ୍ର ଅନୁସାରେ, ଭେଙ୍କେୟା ନାଇଡୁଙ୍କ ଆଲୋଚନାରେ ବିଜେପି ଓ ଆରଏସଏସ ମଧ୍ୟରେ ସମନ୍ୱୟ, ରାଜନୈତିକ ପ୍ରସଙ୍ଗ, ଉପରାଷ୍ଟ୍ରପତି ପଦ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସାମିଲ ଥିଲା। ସେ ଆମେରିକା ସହ ବାଣିଜ୍ୟ ଶୁଳ୍କ ନେଇ ଭାରତ ନିଜର ନିଷ୍ପତ୍ତି ନେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଏହା ସହିତ ଦେଶର ଅର୍ଥନୀତି ଓ ବୈଦେଶିକ ନୀତିରେ ସ୍ୱାଧୀନତା ବଜାୟ ରଖିବା ଉପରେ ଜୋର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ନାଇଡୁଙ୍କୁ କହିଛନ୍ତି ଯେ ବିଜେପି ସଭାପତି ଚୟନ ଶୀଘ୍ର ହେବ। ଅଗଷ୍ଟ ୧୫ ପରେ ନୂଆ ଉପରାଷ୍ଟ୍ରପତି ଓ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି। ନାଇଡୁଙ୍କ ଏହି ଦିଲ୍ଲୀ ଗସ୍ତ ଓ ଶୀର୍ଷ ନେତାଙ୍କ ସହ ବୈଠକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପୂର୍ବରୁ ଏକ ବଡ଼ ରାଜନୈତିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ବିଜେପି ଜାତୀୟ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ସବୁଠୁ ଆଗରେ ରହିଛି। ଏହାସହ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଭେଙ୍କେୟା ନାଇଡୁଙ୍କ ଦିଲ୍ଲୀ ଗସ୍ତ ଓ ନେତାମାନଙ୍କ ସହ ବୈଠକ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଅଗଷ୍ଟ ୧୫ ପରେ ଉପରାଷ୍ଟ୍ରପତି ଓ ବିଜେପି ଜାତୀୟ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।

Comments are closed.