ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’
ଫୁଲୁରୀ ଫେରି ଆସିଥିଲା ସତକୁ!! ଉଜୁଡ଼ା କ୍ଷେତର ମାଲିକ ଭଳି । ସର୍ବସ୍ୱ ହରାଇଥିବା ଚାଷୀଟେ ପରି ଫେରିଥିଲା । ଆଲୁରାବାଳ, ଆଖିପସିଯାଇଛି ଭିତରକୁ । କହରା କେଶ… କୋଳଖାଲି । ମଳିକ ପଡ଼ିଯାଇଥିଲା ମୁହଁ ତା’ର । ଯେମିତି ମାସ ମାସ ଧରି ଭୋଗିଛି ଜ୍ୱର । ମଇଳା ଶାଢ଼ୀ… ।
– ଫୁଲୁରୀ!! ଏ… ଧନ… ତୁ କୁଆଡ଼େ ଯାଇଥିଲୁ?? ଏଁ… କହ… କୁଆଡ଼େ ଯାଇଥିଲୁ ତୁ ମୋତେ ଛାଡ଼ି… ମୋ\’ ପୁଅ କାଇଁ ?? ଆଉଁସି ପକାଇ, ଗଳାରେ ଲଗାଇ ପ୍ରଶ୍ନ କରୁଥିଲା ଚକରା ।
ମାତ୍ର ନିର୍ଜିବ ପରି ଫୁଲୁରୀ ଠିଆହୋଇଥିଲା । ଦୋହଲି ଯାଉଥିଲା ତାକୁ ହଲାଇବା ମାତ୍ରେ । ମୃତକାଠ ପରି ସେ ପଡ଼ିରହିଲା ଦାଣ୍ଡ ବଖରାରେ… ବିନା ପ୍ରଶ୍ନ ଓ ବିନା ଉତ୍ତରରେ । ଯେମିତି ସେ ମୂକ ଓ ବଧିର ହୋଇଯାଇଛି । ଖାଲି ଫେରିଆସିଛି… ବଞ୍ଚିଛି.. ଏଇତକ ହଁ ସତ୍ୟ!!
– ପଚାରେ… ତାକୁ କିଏ ଛାଡ଼ିଲା ଆଣି?? କୁଆଡ଼େ ଯାଇଥିଲା ବାରବୁଲି…?? ପ୍ରଶ୍ନ କରୁଥିଲା ଚକରାର ମା’… ।
ମାତ୍ର ଚକରା ପଚାରିନଥିଲା ଏ ପ୍ରଶ୍ନ । ସେ ବରଂ ହତାଶ ବେଶୀ ହୋଇଯାଇଥିଲା ଫୁଲୁରୀକୁ ଏମିତି ଦେଖି । ତା’ ପୁଅକୁ ନପାଇ ଅସହାୟ ପିତୃତ୍ୱରେ ବିକଳ ହୋଇ କାନ୍ଦିଉଠିଲା ମନ । କ’ଣ ହେଲା ତା’ ପୁଅର କିଏ ନେଇଗଲା ନା, ତା’ର କ’ଣ…!!
ପ୍ରାୟ ଦୁଇଦିନ ପରେ ଶେଜରୁ ଉଠିଥିଲା ଫୁଲୁରୀ! ପଖାଳକଂସା ଉପରେ ଝୁଙ୍କିପଡ଼ିଥିଲା, ବିକଳ ଭାବେ । ମୁଠା ମୁଠା କରି ଖାଇଲା ପିଲାଙ୍କ ପରି । ଏଇ ସେଇ ଫୁଲୁରୀ ନୁହେଁ । ଯେ ତା’ର ପତ୍ନୀ । ଏଇ ଆଉ କିଏ! ଏଇମିତି ଗୋଟେ ଅନୁଭବ ତିଆରି ହୋଇ ଯାଉଥିଲା କ୍ରମଶଃ ଚକରା ମନରେ କିମ୍ବା ତାକୁ ଏମିତି ଔଷଧ କରିଦିଆଯାଇଛି ସେ ଭୁଲିଯାଇଛି ତା’ର ଅସ୍ତିତ୍ୱ! ତା’ ପାଇଁ କିଛି କରିବାକୁ ପଡ଼ିବ । ସତକୁ ସତ ସେ ଭୁଲିଯାଇଥିଲା ତା’ରଅସ୍ତିତ୍ୱ!! ଜୀବନର ଅସୀମ ସତ୍ୟକୁ ସେ ଯେମିତି ଭୁଲିଯାଇଥିଲା । ତା’ ଚାରିପାଖର ଦୁନିଆକୁ ତା’ର ପରିଚୟକୁ । ତା’ର ଝିଅ ଦୂରରୁ ବିକଳହୋଇ ଦେଖୁଥିଲା ତା’ ମା’କୁ ଅପରିଚିତ ଢଙ୍ଗରେ ।
ଫୁଲୁରୀ ଖାଉଥିଲା, ଆଉ ଶୋଇପଡ଼ୁଥିଲା…କୃଷ୍ଣପକ୍ଷର କାଳରାତ୍ରୀ ଯେମିତି ଢାଙ୍କି ପକାଇଥିଲା ତା’ର ସମଗ୍ର ଅସ୍ତିତ୍ୱକୁ । ସେ କେମିତି ଗୋଟେ ହଜିଯାଇଥିଲା ଅତଳ ସମୁଦ୍ର ଭିତରେ । ନା ଜ୍ଞାନ, ନା ଶବ୍ଦ ସବୁରୁ ତିରୋହିତ । ଚକରା ତାକୁ ନେଇ ଯାଇଥିଲା ମଣିଆ ପାଖକୁ । ମଣିଆ ଘରେ ପହଞ୍ଚିଲା ବେଳକୁ ମଣିଆ ବସିଥିଲା ତା’ର ଘର ଆଗ ଚଉଁରା ମୂଳେ । ପୂଜା କରୁଥିଲା କିଛି । ଚକରାକୁ ଦେଖୁ ଦେଖୁ ରଡ଼ିକରି କହିଲା – ରହିଯା!! ସେଇଠି!! ରହ!!
ରହ!!…
ଡରିଗଲା ଚକରା । ବ୍ୟାକୁଳ ଭାବେ । ହାତ ଯୋଡ଼ି ଠିଆହେଲା । ଫୁଲୁରୀ କିନ୍ତୁ ଦୋହଲିବା ଆରମ୍ଭ କରିଦେଇଥିଲା । ମଣିଆ ତା’ର ମୟୂରପୁଚ୍ଛର ପୁଳାଏ ଏକାଠି ବନ୍ଧାଥିବା ମୁଠାଏ ପୂଣ୍ୟସ୍ପର୍ଶରେ ତାକୁ ବାରମ୍ବାର ପିଟିଲା ଏବଂ ରକ୍ତାଭ ପଡ଼ିଆସୁଥିବା ଆଖିକୁ ଫୁଲୁରୀକୁ ଚାହିଁବାକୁ ବାରବାର କହିଲା । ଫୁଲୁରୀ କିନ୍ତୁ ମୋଟେ ଚାହିଁନଥିଲା । ତା’ର ପତା ମୁଦା ଥିଲା । ସେ ଆଖି ଖୋଲି ପାରୁନଥିଲା ଯେମିତି – ତା’ ମୁଣ୍ଡ ବୁଲାଇଲା ପରି ସେ ଖାଲି ପାଗଳ ଭଳି ବୁଲାଇ ଆଣୁଥିଲା ତା’ ମୁଣ୍ଡ ମାଟିରୁ ଆକାଶ, ଆଗରୁ ପଛ… ଚକରା କାନ୍ଦିଉଠୁଥାଏ ଥରକୁ ଥର ।
– କହ! ତୁ କିଏ?? କଉଠିକି ଆସିଛୁ?? କୁଆଡ଼େ ଏଇ ଯାଇଥିଲା??
– ମୁଁ… ଫୁଲୁରୀ… ।
– ମିଛି!! ସତକହ; ତୁ କିଏ?? ଆଉଥରେ ପିଟିଲା ମଣିଆ ତା\’ର ମୟୂରପୁଚ୍ଛରେ ।
– ହଁ ମୁଁ ଫୁଲୁରୀ ନୁହେଁ… ମୁଁ କେହିନୁହେଁ… ମୁଁ ତା\’ ଛୁଆକୁ ଖାଇଦେଲି ନା.. ନା… ନେଇଗଲି ତା’ଠାରୁ… ତା\’ କୋଳରୁ ମୋ\’ କୋଳକୁ… ତାକୁ
ନିଆଶ୍ରୀ କରିଦେଲି…
– କାହାକୁ??
ହାତଲମ୍ବାଇ ଦେଲା ଶୂନ୍ୟ ଆଡ଼କୁ, ଯେଉଁଠି ଚକରାକୁ ପାରକରି ଅନେକ ଶୂନ୍ୟତା ପାରକରି ଯାଉଥିଲା ଅନେକ ଆକାଂକ୍ଷାପୂର୍ଣ୍ଣ ବିବଷତାକୁ ଆଡ଼
କରି ।
– କ’ଣ ଘଟଣା ଥିଲା କହ… ଆହୁରି ଟାଣ କରି କହିଲା ମଣିଆ ।
ଧକେଇ ଧକେଇ କାନ୍ଦିଲା ଫୁଲୁରୀ । ନିଜ ଗାଲକୁ ରାମ୍ପୁଡ଼ି ଦେଲା । ନିଜର ଚୁଟିକୁ ମୁଠା ମୁଠା କରି ଉଟାରି ଆଣିଲା । କହିଲା – ଏଇ ଖରାବେଳେ ମୁଗଚୋରୀ କରିବାକୁ ଯାଇଥିଲି । ସମସ୍ତେ ମତେ ମାଇଚିଆ କହି ଚିଡ଼ାଉଥିଲେ । ତା\’ର ପରିକା କାଟିବା, ମସଲା ବାଟିବା, ସ୍ତ୍ରୀଲୋକ ସହ ଗାଲରେ ହାତଦେଇ ଗପିବାକୁ ସମସ୍ତେ ମାଇଚିଆ କହି ଚିଡ଼ାଉ ଥିଲେ । ସ୍ତ୍ରୀଲୋକ ତୁଠରେ ମୁଁ ଗାଧେଇ ଯାଏ, ପହଁରେ… ପହଁରା ନିଶାରେ ଯେ ମୁଁ ମରିଯିବି,
ଭାବିନଥିଲି… ।
ଖରାବେଳେ ଥିଲା ଗାଈମାନଙ୍କୁ ଆଉଡ଼େଇ ଯାଉ ଯାଉ ମୁଁ ବୋଉ ହାତରେ ମୁଠାଛୁଇଁ ପୁଳାଏ ତା\’ ହାତରେ ଗୁଞ୍ଜିଦେଇ କହିଥିଲି ନୂଆଉକୁ ଲୁଣ ଦେଇ ସିଝାଇବାକୁ । ଘରେ ମାଛ ତରକାରି ହବ ବୋଲି ବୋଉ ମତେ କହିଲା । ମୁଁ ନଈରୁ ମାଛ ଧରୁଥିଲି । ଗାଈଗୁଡ଼ାକୁ ପାଞ୍ଚଣରେ ପିଟି ବିଦାକରି ଦେଲି ଟିକେ ଦୂରକୁ । ଗାଧୋଇ ମାଛଧରିବି ବୋଲି । ଆଉ କି ଫେରି ପାରିଲି । ମୃତ୍ୟୁର କରାଳ ସ୍ରୋତରେ ଗୋଟେ ଭଉଁରୀରେ ପଡ଼ି ମରିଲି । କାତପାଇଲା ନାହିଁ, ପାଦ ହାତ ବହୁତ ଛାଟିଲି… କେହି ନଥିଲେ ସେଠି । ଥିଲେ ବି ବଞ୍ଚାଇବ କିଏ!! ମୁଁ ସେଇ ଭଉଁରୀରେ ରହେ… ଯାହାକୁ ଲୋଭହୁଏ ନିଏ । କିଏ ମୋ\’ ପାଖକୁ ଆଣେ ଖେଳିବାକୁ । ଏୟା ପୁଅକୁ ବି ନେଲି ।
ସବୁଦିନ ଆସେ ସେଠିକି, ଲୋକଟା ତାକୁ ଛାଡ଼ିଯାଇଥିଲା ବନ୍ଧକଡ଼ରେ । ସେଦିନ ବି ଆସିଥିଲା ନଈକୁ ଗାଧେଇ, କାଖରେ ପୁଅ ଥିଲା । ମୂର୍ଚ୍ଛା ମାରିଗଲା ଫୁଲୁରୀ… ପୁଣି ପାଣି ଛାଟିଲା ଚକରା… । ‘ଛୁଉଁନା ତାକୁ… ଏବେବି ଯାଇନି… କହିଲା ସତର୍କ କରି ମଣିଆ ।
– କହ ବାକି କଥା… ସବୁକଥା… ତୋ’ କଥା… ତୁ ଫୁଲୁରୀ ।
– ହଁ ମୁଁ ଫୁଲୁରୀ…
– କହି ତୋ’ କଥା ଏଥର କେଉଁଠି ଥିଲୁ… କାହିଁକି ଗଲୁ..
ବିକଳରେ ରଡ଼ିକରି କାନ୍ଦିଉଠିଲା ଏଥର ଫୁଲୁରୀ ଅଧା ଖୋଲାଥିଲା ତା\’ର ଆଖି । କୁନ୍ଥେଇ କୁନ୍ଥେଇ କହୁଥାଏ, ଲୁହ ଧାର ଧାର ବୋହିଯାଉଛି… ଦୁଇ ଗାଲ ଦେଇ । “ମୁଁ ପାଗଳୀ ହୋଇଯାଇଥିଲି… ସବୁ ଅନ୍ଧାର ହୋଇ ଯାଇଥିଲା । ମୁଁ ମରିଯାଇଥିଲି… ଏଇ ଲୋକଟା ପାଖରେ… ଟିକେ ଖୁସି ଖୋଜି ଯାଇ ଅସଂଖ୍ୟ ଦୁଃଖଖୁ ଉଟାରି ଆଣିଲି । ଉଜୁଡ଼ିଗଲା ମୋ’ କୋଳ… କୋଳଦେଖାଇ ଭୋ… ଭୋ… କରି କାନ୍ଦିଲା । ଧନରେ ହାତ ମାରି କହିଲା –
ଶୁଖିଯାଇଛି ମୋ’ ଧନ… ମୋ’ ଧନ କାଇଁ… କୁଆଡ଼େ ଗଲା ମୋ’ ଧନ… ଦେଖିଚ ତାକୁ??
– ତୁ କହିବୁ କ’ଣ ହୋଇଥିଲା ତ… କହ… ପୁଣି ପିଟିଲା ତା’ ମୁଣ୍ଡରେ । ସେତେ ବେଳକୁ ଲୋକ ଭିଡ଼ ହୋଇ ସାରିଲେଣି ଚାରିପଟେ ।
– ହଁ!! ହଁ! ମୁଁ ତ କହିବି… ହଁ ସେ ବାବୁ ମୋତେ ନେଲା ଢ଼େର ସ୍ୱପ୍ନ ଦେଖାଇଲା । ମୋତେ ରାଣୀକରି ରଖିବ କହିଲା ମିଛ… ମିଛ!! ମୁଁ କାଣି… ତା’ ଘରର ଚାକରାଣୀ କଲା ତା’ ବିଲରେ ଖଟାଇଲା । ଶେଷକୁ ମୋତେ ନେଇ ବେଶ୍ ଝଗଡ଼ା ହେଲା ତା\’ ଘରେ । ସଉତୁଣୀ ଆଣିଚୁ କହି ତା’ ସ୍ତ୍ରୀ ମୋତେ ପିଟିଲା, ଲହୁ ଲୁହାଣ କଲା, ସାରାଗାଁରେ ନିଶାପ କଲା… ଶେଷକୁ ନେଇ ମୋତେ ଛାଡ଼ି ଦେଲେ କେଉ ଅପନ୍ତରାରେ… ମୁଁ ଜାଗା, ନା ରାସ୍ତା କିଛି ବି ଜାଣିନି… ଯିବି କୁଆଡ଼େ… କିଏ ଅଛି… କେମିତି ବଞ୍ଚିବି ସବୁ ସ୍ୱପ୍ନ ଥିଲା, ମୁଁ ହତାଶ ହୋଇ ଯାଇଥିଲି । ସେଦିନ ପୁଅକୁ କାଖରେ ରଖି ଗାଧୋଇଗଲି ।
ହାତରୁ ମୋ’ର ଖସିଗଲା ସେ, ପାଣିର ଭଉଁରି ଭିତରେ ସେ, ମୁଁ ଦେଖୁଛି… ମୁଁ କିଛି କରିପାରୁନି… ରଡ଼ିକଲି… କମ୍ପମାନ କଲି… ସାରା ଆକାଶ ଫଟାଇଦେଲି… ମାତ୍ର ପୁଅକୁ ବଞ୍ଚାଇ ପାରିଲିନି… ପାଣିର ଭଉଁରି ଭିତରେ ସେ ହଜିଗଲା ଯେ ଗଲା । ତାକୁ ନଈ ଖାଇଗଲା ମୋତେ କିଆଁ ଖାଇଲାନି… ମୁଁ କାହିଁକି ନମଲି… ମୋ’ ପାପର ଫଳ ସେ ଭୋଗିଲା… ମୁଁ ମରିଯିବା ଠିକ୍ ଥିଲା । ପୁଅ ମୋ’ର ଅତଳପାଣିରେ କୁଆଡ଼େ ଲୀନ ହୋଇଗଲା । ଅନେକ ବେଳଯାଏ ଆକ୍ତାମାକ୍ତା ହୋଇ ପାଣିରେ ଉଠୁଥିଲା ପଡ଼ୁଥିଲା । କୂଳ କି କିନାରା ଦିଶିଲା ନାହିଁ । ଅନେକ ବେଳଯାଏ ଲୋକଙ୍କ ଧାଡ଼ି ଲମ୍ବିଥିଲା । ମୁଁ ବି ଡ଼େଇଁ ପଡ଼ିଲି ଭଉଁରିକୁ ହତାଶ ହୋଇ । କେମିତି ବଞ୍ଚିଲି କାହିଁକି ଜାଣିନି… । ମୋତେ
ଛାଡ଼ିଦିଅ ମୋ’ ପୁଅ ପାଖକୁ… ମୁଁ ବଞ୍ଚିବାକୁ ଚାହେଁନା…!!
ଚକରା ଲଥ୍କରି ତଳେ ବସିପଡ଼ିଲା ବିଜୁଳି ଆଘାତ ପାଇଲାପରି । ମୂର୍ଚ୍ଛା ଆଉଥରେ ମାରିଯାଇଥିବା ଫୁଲୁରୀକୁ ସାଷ୍ଟାମ କରାଯାଇଥିଲା । ମଲା ଅବସ୍ଥା ପରି ଲାଗୁଥିବା ଫୁଲୁରୀକୁ କିଏ ବଞ୍ଚାଇଲା ସେ ଜାଣେନି । ମାତ୍ର ତାକୁ ଜାଲରେ ଉଦ୍ଧାର କରାଯାଇଥିଲା ଶିତୁଆ ପଡ଼ିଯିବା ଅବସ୍ଥାରେ ତଳମୁହଁ ଥିଲା ସେ, ଲୁଗା ନଥିଲା ଦେହରେ । ଢେର ଦିନ ଯାଏ ସେ ପଡ଼ିରହିଲା କାହା ପିଣ୍ଢାରେ । ଅଧ ରାତିରେ କାନ୍ଦଣା ଶୁଭେ ପୁଅର । ସେ ଡ଼େଇଁଯାଏ ବିଲପାଟ,
ନଈପାଖକୁ ପୁଅକୁ ଖୋଜିବାକୁ । ବଞ୍ଚିବାର ଶେଷ ଆଶ୍ରା ହଜିଯାଇଥିଲା । ଛାତି ବିଦାରି ଯାଉଥିଲା ଚକରାର ।
ଫେରିଆସିଛି ଫୁଲରୀ! ଏତିକି କ’ଣ ଯଥେଷ୍ଟ ନୁହେଁ ଚକରା ପାଇଁ ସ୍ୱଭାବିକ ହୋଇ ଆସୁଥିବା ଫୁଲୁରୀକୁ କୋଳାଗ୍ରତ କରି ଛାତିରେ ଚାପି ଧରିଲା ଚକରା । ତୁ ଅଛୁ, ସେଇ ତକ ହିଁ ସତ! ଯାହାଗଲା ଆମେ ଫେରାଇ ଆଣିପାରିବା ନାହିଁ । ସେତିକି ଦିନର ଥିଲା ସେ… । ଛାଡ଼ ତାକୁ ଝୁରିବା, ଆଉ ଗୋଟେ ତୋ’ର ଛୁଆ ଅଛି, ଯେ ଅପେକ୍ଷା କରିଛି ତୋତେ ଚାଲ… ଅବିଶ୍ୱାସ ଓ ଆଶାର ଛୋଟ ଝଲକଟେ ଫୁଲୁରୀ ଆଖିରେ ଦେଖିପାରୁଥିଲା ଚକରା । ଙ୍ଘ ଙ୍ଘ ଙ୍ଘ
ମାଓଲି ଜାଣିଲା ତା’ ବଡ଼ଭଉଣୀ ଫେରିଆସିଛି । ମାତ୍ର ନିଜର ଦୁଃଖ ଭିତରେ ଆସିପାରିଲା ନାହିଁ । ଈଶ୍ୱର ବାଡ଼େଇଛାଟି ହେଉଥିଲା ଯନ୍ତ୍ରଣାରେ ବିଦାରି ହୋଇଯାଉଥିଲା ତୁହାକୁ ତୁହା… ।
ଆଳିମାଳିକା ଜିନିଷରେ ଭର୍ତ୍ତି ଘରଭିତରେ ଖଟଉପରେ ଈଶ୍ୱର ଶୋଇଥିଲା । କନ୍ଥାଟା ଘୋଡ଼େଇ ହୋଇ କମ୍ପୁଥିଲା ଈଶ୍ୱର । ବାରବାର ବାଉଳୁଥିଲା ଅନେକ କଥା – । ତା’ ଭିତରେ ଯେଉଁ କଥାଟି ସବୁଠାରୁ ବେଶୀ ବାଉନୁଥିଲା ତାହା ଥିଲା – “ମୁଁ ମୋ’ ପିଲାକୁ ସାହେବ କରିବି… ତୁ ଦେଖିବୁ ଥା… ଈଶ୍ୱର ହସ ହସ ମୁହଁ ବଦଳରେ ଗୋଟେ ଯନ୍ତ୍ରଣାକାତର ମଣିଷକୁ ଆଖି ଆଗରେ ଦେଖି କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା ମାଓଲି । ଡାକ୍ତରଖାନାକୁ
ବାରବାର ଧାଉଁଥିଲା । ବିକଳ ହୋଇ କହୁଥିଲା “ଜର ଜମା ଛାଡ଼ୁନି… କ’ଣ ଟିକେ ଭଲ ଔଷଧ ଦିଅ!” ଡାକ୍ତର ବାବୁ ଚିଡ଼ିଯାଉଥିଲେ ତା’ କଥାରେ – ନାଇ ଆମେ ଖରାପ ଔଷଧ ଦଉଚୁ… ଏତେ ଯଦି ଜାଣୁଛ ଅନ୍ୟ ଡାକ୍ତର ପାଖଖୁ ଯାଉନୁ… ମାଓଲି ଏଥର ପାଖ ଡାକ୍ତରଙ୍କ ପାଖକୁ ଗଲା । ଦୁଇଶହ ଟଙ୍କା ଫିସ୍ ମଧ୍ୟ ଦେଲା । ଔଷଧ ଆଣିଲା ଚାରିଶ ଟଙ୍କାର । କୁମ୍ପି ଭାଙ୍ଗି ଦେଲା ସେ । ଫଳ, କ୍ଷୀର, ପାଉଁରୁଟି, ବିସକୁଟ ସବୁ ଆଣି ଥୋଇଲା ଈଶ୍ୱର ପାଖରେ । କେଉଟା ଟିକେ ଖାଉ ବୋଲି । କଳାକାଠ ପଡ଼ିଯାଇଥିଲା ଈଶ୍ୱର । କ’ଣଟିକେ ଚଢ଼େଇ ପରି ପାଟିକୁ ନେବା ଛଡ଼ା କିଛି ମଧ୍ୟ ଖାଉ ନଥିଲା ।
ମାଓଲି ବିକଳ ହୋଇ ତା’ କାନିରେ ଈଶ୍ୱରର ମୁହଁ ପୋଛି ଆଣି ପଚାରିଲା ଧିରେ ଧିରେ – ପଖାଳ ଗଣ୍ଡେ ଖାଇବ?? ମନ ହଉଚି କି…
– କୁନ୍ଥେଇ କରି ଅତି ଆଗ୍ରହରେ ଈଶ୍ୱର କହିଲା – “ହଁ ମୁଠାଏ ଦେ”…
ବିବ୍ରତ ହୋଇ ପଡ଼ିଲା ମାଓଲି । ଦୌଡ଼ିଯାଇ ମୁଠାଏ ପଖାଳ କଂସାରେ ବାଢ଼ିଆଣିଲା । ଆଳୁ ପୋଡିଦେଲା ବଡ଼ି ଚୁରିଦେଲା । ପୁଳାଏ ଶାଗ ଖରଡ଼ି ପକାଇ ରସୁଣ ଛୁଙ୍କ ଦେଲା । ମହମହ ବାସ୍ନାରେ ଉଠିବସିଲା ଈଶ୍ୱର । ମୁହଁ ଯନ୍ତ୍ରଣାରେ ବିକୃତ ହୋଇଯାଉଛି । କିନ୍ତୁ ମୁଠାଏ ପଖାଳ ଯେମିତି ଆଜି ଅମୃତ ତୁଲ୍ୟ ବୋଧ ହେଉଥିଲା ତାକୁ । ତୃପ୍ତ ହୋଇଯାଉଛି ମନ ।
ଅସହାୟ ହୋଇପଡ଼ିଥିବା ମାଓଲି, ଈଶ୍ୱର ମୁହଁରେ ତୃପ୍ତ ନିଶ୍ୱାସ ଦେଖି ଟିକେ ଉତ୍ଫୁଲିତ ହୋଇ ଉଠିଲା । ତାକୁ ହାତ ଧୁଏଇ ଦେଇ ଖଟ ଉପରକୁ ଭାରଦେଇ ନେଲା । କନ୍ଥା ଘୋଡ଼ାଇ ଦେଲା । ଗୋଡ଼ହାତ ଚିପି ଦେଲା । ତା\’ର ଛାଡ଼ିଥିବା ପଖାଳ କଂସାରେ ଖାଇ ବସିବା ବେଳକୁ ଈଶ୍ୱର ଚିଡ଼ି ଉଠି କହିଲା
– ଏଇ ମୂର୍ଖ! ମୋ’ ଛୁଆକୁ ମାରିବୁ ନା କ’ଣ? – ଉଠ୍ ସେଠୁ…
ପ୍ରଥମ କରି ଏତେ ବିରକ୍ତ ଭାବ ଦେଖିଲା ଈଶ୍ୱର ଠାରେ । ଭୟଙ୍କର । ହାତରୁ ଭାତଗୁଣ୍ଡା ଖସିପଡ଼ିଲା । ଲୁହଭରି ଆସିଲା ଆଖିରେ । ଆଜିକାଲି ଈଶ୍ୱର ରାଗିଯାଏ କଥାକଥାରେ । ମାଓଲି ଦୁଃଖ କରେନା । ଜରରେ ସେମିତି ଚିଡ଼୍ଚିଡ଼ା ହୋଇଯାଇଛି ଜାଣେ । ଶରୀର ସୁସ୍ଥଥିଲେ ସବୁ ଠିକ୍ । ଶରୀର ଅସୁସ୍ଥରେ ମନ କଉଠି ଭଲ ହେବ । ମାଓଲି ଡରିଯାଇଥିଲା । ତା’ର ସୁଖ ଉପରେ କେମିତି କାହାର ନଜର ଲାଗିଯାଇଥିଲା । ଯନ୍ତ୍ରଣାରେ ଛଟପଟ ଈଶ୍ୱର ତା’ର ଦୁଇଟା ପାଦକୁ ଲୁଗାରେ ବାନ୍ଧିଥିଲା ବହୁତ ଦୃଢ଼ କରି । ବାଡ଼େଇ କଚାଡ଼ି ହେଲା । ଭୂଇଁରେ ପଡ଼ିଲା । ମାଓଲି କାନ୍ଦିଲା ଭୋ ଭୋ କରି । ଡାକ୍ତରଖାନା ବୁହା ହୋଇଗଲା ।
ଶୂନ୍ୟ ଈଶ୍ୱର ଆଗରେ ହାତପତାଇ କାନିପତାଇ ତା\’ ଈଶ୍ୱରକୁ ଭଲ କରିଦେବାକୁ ବିକଳ ପ୍ରାର୍ଥନା କରୁଥିଲା ସେ । ଡାକ୍ତରଖାନା ବାରଣ୍ଡାରେ ତା’ର ଶାଶୁ ଲୁଗାଜାକି ଆଖିରେ ସମ୍ପିଚାଲିଥିଲା ତାକୁ । ତା’ ପୁଅର ଏ ଅବସ୍ଥା ପାଇଁ କାଳେ ସେ ହିଁ ଦାୟୀ । ସବୁ କାରଣର ଦାୟୀ ସେ । ଅଲକ୍ଷଣି, ସତ୍ୟାନାସୀ ପରି ଅନେକ ଶବ୍ଦରେ ପୋତି ପକାଉଥିଲେ ତା\’ ଶାଶୁ । ସେ ପାଖ ପୁରାଇ ଦେବାକୁ ଆଉ ପ୍ରସ୍ତୁତ ନଥିଲେ ତାଙ୍କ ପୁଅ ପାଖରେ । ତାକୁ ବାହାରକୁ ଠେଲିଦେଇ
କହିଲେ – “ଅଲକ୍ଷଣୀ… ବୋପାକୁ ଖାଇଲା ମା’କୁ… ଶେଷରେ ଆଇଚି ମୋ’ ପୁଅକୁ ଖାଇବାକୁ କେଡ଼େ ସୁନ୍ଦର ମୋ\’ ଡଉଲଡ଼ାଉଲ ଭେଣ୍ଡିଆପୁଅକୁ, ଦିନ କେଇଟାରେ କ’ଣ କରିଦେଲା ଦେଖ… ଶେଜଲଗା କରିଦେଲା । ଯା’ଏଠୁ ପଳା ମୋ’ ଆଗରୁ ।
ମାଓଲି ଡାକ୍ତରଖାନା ବାରଣ୍ଡାରେ ଠିଆହୋଇ ରହିଲା । କାକୁସ୍ଥ ପରି, ହାତଯୋଡ଼ି… “ଥରେ ତାଙ୍କ ପାଖରେ ରହିବାକୁ ଦିଅନ୍ତୁ ବୋଉ…” । ତାକୁ ଛାଡ଼ିନଥିଲେ ଈଶ୍ୱର ପାଖକୁ । ଆସ୍ତେ ଆସ୍ତେ ବିଛଣାଲଗା ହୋଇଗଲା ଈଶ୍ୱର । ଜ୍ଞାନ ହରାଇ ଦେଲାପରି ହେଲା ଈଶ୍ୱର ଦିନକେଇଟାରେ ଈଶ୍ୱର ଗୋଟେ କଙ୍କାଳ ହୋଇଗଲା । ଔଷଧ, ରକ୍ତପରୀକ୍ଷା, ଡାକ୍ତରଙ୍କ ଯିବା-ଆସିବା ଗୋଟେ ଦୌଡ଼ ଆଉ ପରୀକ୍ଷା ଭିତରେ ଅନ୍ୟମାନେ ନିରବ ଦର୍ଶକ ପରି ଖାଲି ଯିବା
ଆସିବା କରୁଥିଲେ ।
ଆଜିକାଲି ପ୍ରାୟ ତା’ର ସାଙ୍ଗ ମାନେ ଆସନ୍ତି ବୁଝାନ୍ତି ଶାଶୁକୁ ସେଇ ସମୟରେ ଈଶ୍ୱର ପାଖକୁ ଯାଏ ମାଓଲି । ଦୁଇଧର ଲୁହ ଆଉ ଶୁଖୁ ନଥିଲା ତା’ ଆଖିରେ । ନିଗୁ ପ୍ରାୟ ଆସି ରହେ ରାତିରେ । ତା’ ସହ ଆସେ ଛୋଟା ଓ ଅନ୍ୟମାନେ । ଗୁଞ୍ଜି ଦିଅନ୍ତି ଦୁଇଶ ଚାରିଶ ମାଓଲି ହାତରେ ଯାହାକୁ ଛଡ଼ାଇନିଏ ତା’ ଶାଶୁ ।- “ପୁଅର ଔଷଧ, ଫଳ… ଏଇ ସବୁ ପାଇଁ ପଇସା… ତୋ’ର ନୁହେଁ… ଏଇ କଥା ପଦକ କହନ୍ତି କିନ୍ତୁ!
ମାଓଲିର କିଛି କହିବାର ନାହିଁ । ଈଶ୍ୱର ତା’ର ଭଲ ହୋଇଯିବା ଲୋଡ଼ା ତା\’ର ଅନ୍ୟକିଛି ଲୋଡ଼ାନାହିଁ । କାନ୍ଦୁଥିବା ମାଓଲି ଆଖିରୁ ଲୁହ ଧାର ପୋଛିଲା ତା’ ଦେଇ । ଭଲ ହେଇଯିବ ଲୋ… ବ୍ୟସ୍ତ ହଅନା!! ଈଶ୍ୱର ଏତେ ନିଷ୍ଠୁର ନୁହେଁ ତୋ’ ଈଶ୍ୱରକୁ ଛଡ଼େଇ ନେବେ… ।
– କିନ୍ତୁ…
କ୍ରମଶଃ….
Comments are closed.