Latest Odisha News

BREAKING NEWS

ଭାଷା ଭାଗବତ : ଅତୁଲ୍ୟ ଉପହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଧର୍ମଧାରଣାଶ୍ରିତ ବିଧି
ତୋଳିଲେ ଅଲଂଘ୍ୟ ପରିଧି
ବ୍ୟକ୍ତି, ଜାତିର ଅଭିବୃଦ୍ଧି
ମାର୍ଗ ଅବଶ୍ୟ ହୁଏ ରୁଂଧି

ନୈତିକତା ଓ ମାନବତା
ବ୍ୟତୀତ ରାଷ୍ଟ୍ରର କ୍ଷମତା
ହୁଅଇ କେବଳ ପ୍ରତୀକ
ବୁଝଂତିନାହିଁ ବହୁ ଲୋକ

ଯିଏ ବି ନିରୀଶ୍ବରବାଦୀ
ନିରବ ରହିଥାଏ ଯଦି
ବ୍ୟାପେନି କେବେ ବିଶୃଂଖଳା
ବ୍ୟକ୍ତି ବି ହୁଏନି ବାଉଳା

ଯେଉଁଠି ଲୋଡ଼ା ଆନୁଗତ୍ୟ
ସେଠି ଅଦୃଶ୍ୟ ହୁଏ ସତ୍ୟ
କ୍ଷଣିକ ମତର ପ୍ରାଧାନ୍ୟ
ସତ୍ୟର ମାନ କରେ ମ୍ଳାନ

କ୍ଷମତା ହସ୍ତାଂତରଣୀୟ
ନିଷ୍ଠା ବ୍ୟତୀତ ଜ୍ଞାନୋଦୟ
ଯେହେତୁ ଅଟେ ଅସଂଭବ
ଜ୍ଞାନ ବଳେ ଚଳୁଛି ବିଶ୍ବ

କ୍ଷମତା ଓ ଜ୍ଞାନ କଂଦଳ
ଯୋଗୁଁ ମିଳେନି ଭଲ ଫଳ
ଏହା କଲେ ହୃଦୟଗଂମ
ସଂସାର ହୁଏ ମନୋରମ

ପୁରୁଷାନୁକ୍ରମେ ଜ୍ଞାନ-ଧନ
କରାଯାଏନି ବିତରଣ
ବ୍ୟକ୍ତି ହିଁ କରିଲେ ଅର୍ଜନ
ବିଶ୍ବକୁ କରଇ ଅର୍ପଣ

ଅତୁଲ୍ୟ ଏହି ଉପହାର
ଯାହାକୁ ମିଳେ ବାରଂବାର
ସେ ଜିଏଁ ସର୍ବସୁଖ ପାଇ
କେବେ ବିଷଣ୍ଣ ହୁଏନାହିଁ

ଭାଷା-ଗଠିତ ଜ୍ଞାନ-ନିଧି
ସ୍ବୀକାର କରେନି ପରିଧି
ସ୍ବୟଂବର୍ଧନଶୀଳ ହୋଇ
ବିଶ୍ବ ସାରା ପାରଇ ରହି

Leave A Reply

Your email address will not be published.