Latest Odisha News

BREAKING NEWS

ୱାକଫ ବିଲ୍‌ର ବିରୋଧରେ ମୌଲାନା, ମନ୍ଦିରର ସୁନାକୁ ଗରିବ ହିନ୍ଦୁମାନଙ୍କରେ ବାଣ୍ଟିବା ଦରକାର…

ନୂଆଦିଲ୍ଲୀ: ରାଜ୍ୟସଭାରେ ଓ୍ୱାକଫ୍ ବୋର୍ଡ ସଂଶୋଧନ ବିଲ୍‌ ଉପସ୍ଥାପନ ହେବା ପରେ ମୌଲାନା କଲ୍‌ବେ ଜାୱାଦ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଏହି ବିଲ୍‌କୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଏଥିରେ ସବୁଠାରୁ ବିପଜ୍ଜନକ ଦିଗ ହେଉଛି ସରକାରୀ ଅଧିକାରୀମାନେ କେବଳ ସରକାରଙ୍କ ପକ୍ଷ ନେବେ। ଏହା ମୁସଲିମ ସମ୍ପ୍ରଦାୟର ଅଧିକାରକୁ ଖରାପ କରିବ। ମୌଲାନା କହିଛନ୍ତି, ଓ୍ୱାକଫ୍ ସମ୍ପତ୍ତି ଜନସାଧାରଣ ଆଲ୍ଲାହଙ୍କୁ ଦାନ କରିଥାନ୍ତି ଓ ଏହା ଉପରେ କେବଳ ମୁସଲିମ ସମ୍ପ୍ରଦାୟର ଅଧିକାର ରହିଛି। ଏହି ବିଲ୍‌ ମୁସଲିମଙ୍କ ଧାର୍ମିକ ଅଧିକାରକୁ ହରଣ କରୁଛି।

ସରକାରଙ୍କୁ ବିଦ୍ରୁପ କରି ମୌଲାନା କହିଛନ୍ତି, ମନ୍ଦିରଗୁଡ଼ିକରେ ହଜାର ହଜାର କିଲୋ ସୁନା ଜମା ହୋଇ ରହିଛି। ଏହାକୁ ଗରିବ ହିନ୍ଦୁଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ମାତ୍ର ତିନୋଟି ମନ୍ଦିରର ସମ୍ପତ୍ତି ଓ୍ୱାକଫ୍ ସମ୍ପତ୍ତିଠାରୁ ଅଧିକ। ଯଦି ଏହା ମୁସଲିମଙ୍କୁ ଦିଆଯାଏ, ତାହେଲେ ସେମାନଙ୍କ ପାଇଁ ଯଥେଷ୍ଟ ହେବ। ସେ ପ୍ରଶ୍ନ ଉଠାଇଛନ୍ତି, ମନ୍ଦିରରେ ଜନସାଧାରଣ ଦାନ ଦେଇଥିବା ସୁନା ଉପରେ ସରକାରଙ୍କର କିଛି ଅଧିକାର ନାହିଁ, ତାହେଲେ ଓ୍ୱାକଫ୍ ଉପରେ କାହିଁକି ହସ୍ତକ୍ଷେପ କରାଯାଉଛି?

ମୌଲାନା ସରକାରକୁ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଓ୍ୱାକଫର ଧର୍ମ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହାକୁ ଧାର୍ମିକ ପ୍ରସଙ୍ଗ ବନାଇ ଦିଆଯାଇଛି। ସେ ଘୋଷଣା କରିଛନ୍ତି, “ଆମେ ସୁପ୍ରିମକୋର୍ଟରେ ନିଜ ଅଧିକାର ପାଇଁ ଲଢ଼ିବୁ। ସରକାର ଓ୍ୱାକଫ୍ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ।” ନୀତୀଶ କୁମାରଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି । ସେ କହିଛନ୍ତି, “ନୀତୀଶ ମୁସଲିମ ସମ୍ପ୍ରଦାୟକୁ ଧୋକା ଦେଇଛନ୍ତି। ମୁସଲିମ ଏହାକୁ କେବେ ଭୁଲିବେ ନାହିଁ।” ସେ ଚେତାବନୀ ଦେଇଛନ୍ତି ଯେ ସରକାର କଡ଼ା ପଦକ୍ଷେପ ନେଲେ ଏପରି ଶାସ୍ତି ମିଳିବ ଯେ ଭବିଷ୍ୟତରେ କେହି ଧୋକା ଦେବେ ନାହିଁ।

ମୌଲାନା ଜାୱାଦ ଶେଷରେ କହିଛନ୍ତି, “ଏହା ଆମ ଧର୍ମ ସହ ଜଡ଼ିତ ପ୍ରସଙ୍ଗ। ଆମେ ଏଥିପାଇଁ ସଂଘର୍ଷ କରିବୁ। ସୁନ୍ନୀ ଓ ଦଲିତ ସମ୍ପ୍ରଦାୟ ଆମ ସହ ଅଛନ୍ତି।” କେନ୍ଦ୍ର ସରକାର ବୁଧବାର ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନ କରିଥିଲେ। ପ୍ରାୟ ୧୨ ଘଣ୍ଟା ଚର୍ଚ୍ଚା ପରେ ଏହା ପାସ ହୋଇଥିଲା। ଗୁରୁବାର ଏହା ରାଜ୍ୟସଭାରେ ଉପସ୍ଥାପନ ହୋଇଛି ଓ ଦିନ ୧୨ଟାରୁ ଆଲୋଚନା ଚାଲିଛି। ଲୋକସଭାରେ ବିଲ୍‌ ପାସ କରାଇବା ପାଇଁ ସରକାରଙ୍କୁ ବେଶି ଝଞ୍ଜଟ ସହିବାକୁ ପଡ଼ି ନଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌ର ବିରୋଧ କରୁଛନ୍ତି। ସେମାନେ ଏହାକୁ ମୁସଲିମ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ମୌଲାନା ଜାୱାଦଙ୍କ ସହ ଏକାଠି ହୋଇ ବିରୋଧୀ ନେତାମାନେ କହିଛନ୍ତି ଯେ ଏହି ବିଲ୍‌ ମାଧ୍ୟମରେ ଧାର୍ମିକ ବିଭେଦ ସୃଷ୍ଟି କରାଯାଉଛି। ଏହାର ବିରୋଧରେ ସେମାନେ ଜୋରଦାର ସ୍ୱର ଉଠାଇଛନ୍ତି।

Comments are closed.