Latest Odisha News

BREAKING NEWS

ସମୀପ ଦୃଷ୍ଟିଦୋଷ ‘ମାୟୋପିଆ’ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ବୟସ ଅନୁସାରେ ଆମର ଶରୀରରେ ଅନେକ ପରିବର୍ତ୍ତନ ହେଉଥାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ରୋଗ ସହିତ ମଣିଷର ବୟସର ଆଉ ବିଶେଷ ସମ୍ବନ୍ଧ ରହୁନାହିଁ। ଯେପରିକି ଆଜିର ଦିନରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା ହୋଇଗଲାଣି ।ସେହି ପରିପ୍ରେକ୍ଷୀରେ ଆଜିକାଲି ଅନେକ ଲୋକ ମାୟୋପିଆ ରୋଗରେ ଆକ୍ରାନ୍ତ ହେଲେଣି । ହେଲ ଜଣେ ବ୍ୟକ୍ତି ପାଖ ବସ୍ତୁ ସହଜରେ ଦେଖିପାରନ୍ତି, କିନ୍ତୁ ଦୂରରେ ଥିବା ଜିନିଷ ଅସ୍ପଷ୍ଟ ଦେଖାଯାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ସମଗ୍ର ବିଶ୍ୱରେ ମାୟୋପିଆ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱରେ ୪୦ କୋଟିରୁ ଅଧିକ ଲୋକ ଏହି ରୋଗର ଶିକାର। କେବଳ ଏତିକି ନୁହେଁ, ଅନୁସନ୍ଧାନରୁ ଜଣାପଡିଛି ଯେ ୨୦୫୦ ସୁଦ୍ଧା ମାୟୋପିଆ ରୋଗୀଙ୍କ ସଂଖ୍ୟା ୫୦୦ କୋଟିକୁ ବୃଦ୍ଧି ପାଇପାରେ, ଯେଉଁମାନଙ୍କ ମଧ୍ୟରେ ପ୍ରାୟ ୧୦ ପ୍ରତିଶତ ରୋଗୀ ଦୃଷ୍ଟିହୀନତାର ସର୍ବାଧିକ ବିପଦରେ ପଡ଼ିପାରନ୍ତି।

ମାୟୋପିଆକୁ ନିକଟ ଦୃଷ୍ଟିଦୋଷ ବା ସମୀପ ଦୃଷ୍ଟିଦୋଷ ବୋଲି କୁହାଯାଏ। ଆଖିରେ ଏହି ସମସ୍ୟା ହେଲେ ଜଣେ ବ୍ୟକ୍ତି ନିକଟରେ ଥିବା ଜିନିଷ କିମ୍ବା ଅକ୍ଷର ଦେଖିପାରନ୍ତି, କିନ୍ତୁ ଦୂରରେ ଥିବା ଜିନିଷ ଦେଖିବାରେ ଅସମର୍ଥ ହୁଅନ୍ତି। ଦୂରରେ ଥିବା ଜିନିଷ ଦେଖାଗଲେ ମଧ୍ୟ ଅସ୍ପଷ୍ଟ ଭାବେ ଦୃଷ୍ୟମାନ ହୁଏ।

ମାୟୋପିଆରେ, ଆଖି ପିତ୍ତୁଳା(ଆଖି ବଲ୍)ର ଆକାର ବଢିଯାଏ। ଯେଉଁ କାରଣରୁ ଆଲୋକ ଆଖିରେ ପ୍ରବେଶ କରିବା ସମୟରେ, ରେଟିନା ଉପରେ କେନ୍ଦ୍ରିତ ହେବା ପରିବର୍ତ୍ତେ ରେଟିନାଠାରୁ ଟିକେ ଆଗରେ କେନ୍ଦ୍ରିତ ହୋଇଥାଏ। ଫଳସ୍ୱରୂପ, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଏ। ଯେତେବେଳେ ମାୟୋପିଆର ଅବସ୍ଥା ଗୁରୁତର ହୁଏ, ମୋତିଆବିନ୍ଦୁ ଏବଂ ଗ୍ଲୁକୋମା ଭଳି ରୋଗ ହେବାର ଆଶଙ୍କା ବଢ଼ିଯାଏ। ମାୟୋପିଆ ସାଧାରଣତଃ ଧୀରେ ଧୀରେ ବିକଶିତ ହୁଏ। କିନ୍ତୁ ଏହା ପିଲାମାନଙ୍କଠାରେ ବହୁତ ଶୀଘ୍ର ବଢ଼ିଥାଏ।

ମାୟୋପିଆର ଅନେକ କାରଣ ରହିଛି। ସେଥିମଧ୍ୟରୁ ପରିବର୍ତ୍ତିତ ଜୀବନଶୈଳୀ ଅନ୍ୟତମ। ଅର୍ଥାତ୍ ବର୍ତ୍ତମାନ ସମୟରେ ସ୍କ୍ରିନରେ ଅଧିକ ସମୟ ବିତାଇବା ଅର୍ଥାତ୍ ମୋବାଇଲ୍, ଲାପଟପ୍, କମ୍ପ୍ୟୁଟର୍ ଏବଂ ଟିଭିର ବହୁଳ ବ୍ୟବହାର ଆଖି ଉପରେ କୁପ୍ରଭାବ ପକାଉଛି। ଏହା ବ୍ୟତୀତ ବଂଶଗତ କାରଣରୁ, ମଦ୍ୟପାନ ଏବଂ ସିଗାରେଟ୍ ଅଭ୍ୟାସ, ପ୍ରାକୃତିକ ଆଲୋକରେ କମ୍ ସମୟ ବିତାଇବା ଆଦି ମାୟୋପିଆର କାରଣ ହୋଇଥାଏ।

ଅନ୍ୟ ରୋଗ ପରି, ମାୟୋପିଆର ମଧ୍ୟ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ, ସେଗୁଡିକ ହେଲା :- ଦୂର ବସ୍ତୁଗୁଡ଼ିକ ଅସ୍ପଷ୍ଟ ଦେଖାଯିବା। ଆଖି ପିତ୍ତୁଳାର ଲମ୍ବ ବୃଦ୍ଧି ପାଇବା। ବାରମ୍ବାର ଆଖି ଘଷିବା। ଟିଭି ପାଖରେ ବସି ଦେଖିବା। ବହି ପଢ଼ିବା ବେଳେ ଅତି ନିକଟରୁ ଦେଖିବା। ଆଖି ଉପରେ ଅତ୍ୟଧିକ ଚାପ ଯୋଗୁଁ ମୁଣ୍ଡବିନ୍ଧା। ଗାଡ଼ି ଚଳାଇବାରେ ଅସୁବିଧା (ବିଶେଷକରି ରାତିରେ)। ସ୍ପଷ୍ଟ ଦେଖିବା ପାଇଁ କିଛି ସମୟ ଆଖି ବନ୍ଦ କରିବା କିମ୍ବା ବନ୍ଦ ରଖିବା ଆଦି ମାୟୋପିଆର ଲକ୍ଷଣ ହୋଇଥାଏ।

ମାୟୋପିଆ ନିରାକରଣ ପାଇଁ ଡିଜିଟାଲ୍ ଉପକରଣଗୁଡ଼ିକରେ ସମୟ ସୀମିତ କରିବା । ଆଖିର ମାଂସପେଶୀ ବିସ୍ତାର କରିବାକୁ ସ୍କ୍ରିନ ବ୍ରେକ୍ ନେବା ।ଅଳ୍ପ ଆଲୋକରେ ପଢ଼ିବା ନାହିଁ କିମ୍ବା କାମ କରନ୍ତୁ ନାହିଁ । ସ୍କ୍ରିନରେ ବେଶୀ ସମୟ କାମ କଲେ ଚଷମା ବ୍ୟବହାର କରିବା ସ୍କ୍ରିନ ଧୂମପାନ ବନ୍ଦ କରିବା ଏବଂ ନିୟମିତ ଭାବରେ ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ଚକ୍ଷୁ ପରୀକ୍ଷା କରେଇବା ଦ୍ୱାରା କିଛି ପରିମାଣରେ ମାୟୋପିଆକୁ ରୋକା ଯାଇପାରିବ ।

Leave A Reply

Your email address will not be published.