Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏକୁ ଝଟକା, ହାତ ଛାଡ଼ିଲେ ପାରସ ପାସଓ୍ୱାନ୍

ପାଟଣା: ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛି। ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏହି ନିଷ୍ପତ୍ତି ନେଇଛନ୍ତି। ବିଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଘୋଷଣା କରିଛନ୍ତି।

ପାରସ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦଳ ଦଳିତ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବାରୁ ଏନଡିଏରେ ଅବହେଳାର ଶିକାର ହୋଇଛି। ସେ କହିଛନ୍ତି, “ମୁଁ ୨୦୧୪ରୁ ଏନଡିଏ ସହ ରହିଆସୁଛି। କିନ୍ତୁ ବିହାରରେ ବିଜେପି ଓ ଜେଡିୟୁ ନେତାମାନେ ଏନଡିଏ ବୈଠକରେ ଆମ ଦଳକୁ ସାମିଲ କରନ୍ତି ନାହିଁ। ଏଣୁ ଏନଡିଏ ସହ ସମ୍ପର୍କ ଛିନ୍ନ ହେଲା।”

ଭବିଷ୍ୟତର ରାଜନୈତିକ ଯୋଜନା ବିଷୟରେ ପାରସ କହିଛନ୍ତି, “ଯଦି ମହାଗଠବନ୍ଧନ ଆମକୁ ଉଚିତ ସମୟରେ ସମ୍ମାନ ଦିଏ, ତେବେ ଆମେ ନିଶ୍ଚିତ ଭାବେ ରାଜନୀତିରେ ନୂଆ ପଦକ୍ଷେପ ବିଷୟରେ ଚିନ୍ତା କରିବୁ।” ଚଳିତ ବର୍ଷ ସେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହ ଏକାଧିକ ବୈଠକ କରିସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପାରସ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଛନ୍ତି, “ନୀତୀଶଙ୍କ ୨୦ ବର୍ଷର ଶାସନରେ ବିହାରର ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହୋଇଛି। ନୂଆ ଶିଳ୍ପ ଗଢ଼ି ଉଠିନାହିଁ, ଦୁର୍ନୀତି ଚରମ ସୀମାରେ ପହଁଚିଛି।”

ଏହି ଘଟଣା ସମ୍ପର୍କରେ କେନ୍ଦ୍ରୀୟ ମନ୍ତ୍ରୀ ଜିତନ ରାମ ମାଞ୍ଝୀ ପ୍ରତିକ୍ରିୟା ରଖି କହିଛନ୍ତି, “ଏହା ଏନଡିଏ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ।”

ଉଲ୍ଲେଖଯୋଗ୍ୟ ଯେ, ଆରଏଲଜେପି ୨୦୨୧ରେ ପଶୁପତି ପାରସଙ୍କ ବଡ଼ ଭାଇ ତଥା ସ୍ୱର୍ଗତ ନେତା ରାମ ବିଲାସ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ବିଭାଜନ ପରେ ଗଠିତ ହୋଇଥିଲା। ଗତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ପାରସ କେନ୍ଦ୍ର ମନ୍ତ୍ରୀ ପଦ ଛାଡ଼ିଦେଇଥିଲେ । ଏହି ସମୟରେ ରାମବିଳାଶଙ୍କ ପୁଅ ତଥା ପାରସଙ୍କ ପୁତୁରା ଚିରାଗ ପାସୱାନଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ)କୁ ଏନଡିଏ ଅଧୀନରେ ପାଞ୍ଚଟି ଆସନରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିଥିଲା। ଏହାସହ, ଗତ ବର୍ଷ ବିହାର ସରକାର ପାରସଙ୍କୁ ତାଙ୍କ ଦଳ ପରିଚାଳନା ପାଇଁ ବ୍ୟବହୃତ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇ ତାହା ଚିରାଗ ପାସୱାନଙ୍କୁ ଆବଣ୍ଟନ କରିଥିଲେ।

Comments are closed.