Latest Odisha News

BREAKING NEWS

ବଜେଟରେ ୧୦ ବଡ଼ ଖବର

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

ମଧ୍ୟବିତ୍ତଙ୍କୁ ଅଧିକ ଗୁରୁତ୍ଵ

ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ରହିଛି। ଏହାଦ୍ଵାରା ୧.୭ କୋଟି କୃଷକ ଉପକୃତ ହେବେ। ଏଡିବୁଲ ଅଏଲରେ ଅତ୍ମନିର୍ଭର ହେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି।

୧୨ ଲକ୍ଷ ଯାଏଁ ଆୟକର ଛାଡ

ଆୟକରଦାତାଙ୍କୁ ବଡ ଉପହାର ମିଳିଛି। ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି । ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ବିହାରରେ ଗଠନ ହେବ ମଖାନା ବୋର୍ଡ

ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ। ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ଵରେ ଦ୍ଵିତୀୟ। କପା ଚାଷୀଙ୍କ ପାଇଁ କପାସ ମିଶନ ଆରମ୍ଭ ହେବ। ଏହାଦ୍ଵାରା କୃଷକଙ୍କ ଆମଦାନୀକୁ ପ୍ରୋତ୍ସାହନ ମିଳିବ। କିଷାନ କ୍ରେଡିଟ୍ କାର୍ଡ ଜରିଆରେ ୭.୭ କୋଟି କୃଷକଙ୍କୁ ଅଳ୍ପକାଳୀନ ଋଣ ସୁବିଧା ମିଳିବ।

ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର ହେବ ଦେଶ

ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର ପାଇଁ ଆସାମରେ ୟୁରିଆ ଉତ୍ପାଦନ ଆରମ୍ଭ ହେବ। ୧୨.୭୮ ଲକ୍ଷ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ। ଟେକ୍ସଟାଇଲ୍ ସେକ୍ଟର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସକ୍ଷମ ଅଙ୍ଗନବାଡି ଯୋଜନା ଓ ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ୍

ସକ୍ଷମ ଅଙ୍ଗନବାଡି ଯୋଜନାରେ ଉପକୃତ ହେବେ ୮ କୋଟି ପିଲା। ଏହାସହ ଉପକୃତ ହେବେ ୧ କୋଟି ଗର୍ଭବତୀ ଏବଂ ୨୦ ଲକ୍ଷ ଅପପୁଷ୍ଟି ପିଲା। ସେହିପରି ପ୍ରତି ହାଇସ୍କୁଲରେ କରାଯିବ ଡିଜିଟାଲ୍ ବ୍ୟବସ୍ଥା। ସବୁ ସ୍କୁଲକୁ ଯୋଗାଇ ଦିଆଯିବ ବ୍ରଡବ୍ୟାଣ୍ଡ୍ ସୁବିଧା। ଆଞ୍ଚଳିକ ଭାଷାରେ କରାଯିବ ପୁସ୍ତକ ପ୍ରକାଶନ। ୨ ବର୍ଷ ମଧ୍ୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍‌ ଖୋଲିବାକୁ ଲକ୍ଷ୍ୟ। ସେହିପରି ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ବଜେଟରେ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି। ପାଞ୍ଚ ଆଇଆଇଟି ପାଇଁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଛି।

ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌

ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌ ପ୍ରତିଷ୍ଠା ହେବ। ସମସ୍ତ ମେଡିକାଲରେ ଆବଶ୍ୟକ ଡାକ୍ତର ରହିବେ। ଆସନ୍ତା ୩ ବର୍ଷ ଭିତରେ ଏହି ଲକ୍ଷ୍ୟ ପୂରଣ କରାଯିବ। ୨୦୨୫-୨୬ରେ ୨୦୦ଟି ଡେ କେୟାର କ୍ୟାନସର କେନ୍ଦ୍ର ଖୋଲାଯିବ । ସେହିପରି ମେଡିକାଲ ପର୍ଯ୍ୟଟନ ପାଇଁ ବିଶେଷ ଯୋଜନା କରାଯିବ।

ପୁଞ୍ଜି ନିବେଶ ବିକାଶର ତୃତୀୟ ଇଞ୍ଜିନ୍

ଷ୍ଟାର୍ଟଅପ୍‌ କ୍ଷେତ୍ରର ବିକାଶ ଲାଗି ୨୭ କ୍ଷେତ୍ରକୁ ଫୋକସ। ପ୍ରଥମ ପିଢିର ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଷ୍ଟାର୍ଟଅପ୍ କ୍ୟାପିଟାଲ। କେନ୍ଦ୍ର ସରକାର ନ୍ୟାସନାଲ ମ୍ୟାନୁଫ୍ୟାକ୍ଚରିଂ ମିଶନ ପ୍ରତିଷ୍ଠା କରିବେ।

ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ହେବ ଭାରତ

ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ହେବ ଭାରତ। ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍‌ର କରାଯିବ ପ୍ରତିନିଧିତ୍ଵ। ଉଚ୍ଚମାନର ଏବଂ ଅଭିନବ ଖେଳନା ଉତ୍ପାଦନ ହେବ। ଚୀନ ଖେଳନାକୁ ଭାରତ ଖେଳନା ବରାବର ଟକ୍କର ଦେବ।

ଏମଏସଏମଇ ବିକାଶର ଦ୍ଵିତୀୟ ଇଞ୍ଜିନ୍

ଏମଏସଏମଇ ଫୋକସ ନେଇ କାମ କରୁଛନ୍ତି କେନ୍ଦ୍ର ସରକାର। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ ଦିଆଯାଇଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯୁବକଙ୍କୁ MSME ଦ୍ଵାରା ଅଧିକ ନିଯୁକ୍ତି ଦେବା ଲକ୍ଷ୍ୟ ରଖାଯାଇଛି। ଅଣ ଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିବ। ଅଣଚମଡ଼ା ଶିଳ୍ପ ଦ୍ଵାରା ୨୨ ଲକ୍ଷ ଉପକୃତ ହେବେ।

ନ୍ୟୁକ୍ଲିଅର ପାୱାର ହବ୍ ହେବ ଭାରତ

ଭାରତ ହେବ ନ୍ୟୁକ୍ଲିୟର୍‌ ପାଓ୍ବାର ହବ୍‌। ପରମାଣୁ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ଅର୍ଥମନ୍ତ୍ରୀ। ପରମାଣୁ ଶକ୍ତି ମିଶନ ଅଧୀନରେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୧୦୦ GW ପରମାଣୁ ଶକ୍ତି ବିକଶିତ କରାଯିବ। ଏଥିପାଇଁ ପରମାଣୁ ଶକ୍ତି ଆଇନରେ ସଂଶୋଧନ କରାଯିବ। ଏହାବ୍ୟତୀତ ସରକାର ଜାହାଜ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନାକୁ ପୁଣି ଥରେ ଆରମ୍ଭ କରାଯିବ। ଜାହାଜ ନିର୍ମାଣ ଗୋଷ୍ଠୀଗୁଡ଼ିକୁ ସୁବିଧା ଯୋଗାଇ ଦିଆଯିବ।

ଆଗାମୀ ୧୦ ବର୍ଷ ମଧ୍ୟରେ ପରିବର୍ତ୍ତିତ UDAN ଯୋଜନା ଆରମ୍ଭ କରାଯିବ। ମଡିଫାଏଡ୍‌ ଉଡାଣ ସ୍କିମରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ। ବିହାର ପାଟ୍‌ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର । ବଜେଟରେ ଉଡ଼ାଣ ଯୋଜନାକୁ ସମ୍ପ୍ରସାରଣ କରାଯାଇଛି। ପ୍ରାୟ ୧୨୦ଟି ନୂଆ ସହରକୁ ଉଡାନ ଯୋଜନାରେ ସଂଯୋଗ କରାଯିବ । ବିହାରରେ ଗ୍ରୀନଫିଲ୍ଡ ବିମାନବନ୍ଦର ସ୍ଥାପନ କରାଯିବ । PM ଗତି ଶକ୍ତି ଯୋଜନାକୁ ସଂପ୍ରସାରଣ କରାଯିବ ।

Comments are closed.